ନୂଆଦିଲ୍ଲୀ : ଏବେ ଭାରତରେ ନିଜର ଆଧିପତ୍ୟ ବିସ୍ତାର କରିବାକୁ ଯାଉଛି ବ୍ରିଟେନର ଚର୍ଚ୍ଚିତ ଭାରତୀୟ ଷ୍ଟ୍ରିଟ୍ ଫୁଡ଼୍ ଏବଂ ଚା’ ବ୍ରାଣ୍ଡ ‘ଚାଏଓ୍ଵାଲା’ । ଏ ନେଇ ଫ୍ରାଞ୍ଚାଇଜ୍ ଇଣ୍ଡିଆ ଚାଏଓ୍ଵାଲା ସହ ହାତ ମିଳାଇଥିବା ଜଣାପଡ଼ିଛି । ଆଗାମୀ ୫ବର୍ଷ ମଧ୍ୟରେ ଚାଏଓ୍ଵାଲା ଭାରତରେ ୧୫୦ରୁ ୨୦୦ଟି ରେସ୍ତୋରାଁ ଖୋଲିବ ବୋଲି ଯୋଜନା ରଖିଛି । ଭାରତରେ ଚାଏଓ୍ଵାଲା ବ୍ରାଣ୍ଡକୁ ସ୍ଥାପିତ କରିବା ପାଇଁ ଏହି ସପ୍ତାହରେ ଭାରତୀୟ କମ୍ପାନି ଚାଏଓ୍ଵାଲା ସହ ମାଷ୍ଟର ଫ୍ରାଞ୍ଚାଇଜ୍ ଡ଼ିଲ କରିଥିବା ଜଣାପଡ଼ିଛି ।

ଚାଏଓ୍ଵାଲାର ଗୋଟିଏ ରେସ୍ତୋରାଁରେ ୪୦ଲକ୍ଷ ଟଙ୍କା ନିବେଶ କରାଯିବା ସହ ଏଠାରେ ବିଶେଷ ପ୍ରକାରର କଫି,ଚା’,ମସାଲା ଚିପ୍ସ,ବମ୍ବେ ସ୍ୟାଣ୍ଡଓ୍ଵିଚ୍, ଚିଲ୍ଲି ପନିର,ବଟର ଚିକେନ,ରୋଟି,ପରାଠା ଏବଂ ଅନ୍ୟ ଭାରତୀୟ ଖାଦ୍ୟ ଉପଲବ୍ଧ ହେବ ବୋଲି ଫ୍ରାଞ୍ଚାଇଜ୍ ଇଣ୍ଡିଆ ତରଫରୁ କୁହାଯାଇଛି। ୨୦୧୫ରେ ଚାଏଓ୍ଵାଲା ଆରମ୍ଭ କରାଯାଇଥିବା ବେଳେ ଏ ପର୍ଯ୍ୟନ୍ତ ବ୍ରିଟେନରେ ଏହାର ୧୫ଟି ଆଉଟଲେଟ୍ ଖୋଲା ଯାଇ ସାରିଛି । ୨୦୨୦ରେ ଏହା ୪୫ରେ ପହଞ୍ଚିବ ବୋଲି ଆଶା କରୁଛି କମ୍ପାନୀ ।