ଏଥର ବଜେଟରେ ଶିକ୍ଷା କ୍ଷେତ୍ର ପାଇଁ କ’ଣ ଅଛି ନୂଆ ?

ନୂଆଦିଲ୍ଲୀ : କେନ୍ଦ୍ର ବଜେଟରେ ଶିକ୍ଷା ଓ ଦକ୍ଷତା ବିକାଶ ଉପରେ ବିଶେଷ ଗୁରୁତ୍ବ ପ୍ରଦାନ କରାଯାଇଛି । ପିଏମ ଇ-ବିଦ୍ୟାକୁ ସଂପ୍ରସାରିତ କରିବା ସହ ଡିଜିଟାଲ ବିଶ୍ବବିଦ୍ୟାଳୟ ଖୋଲିବା, କୃଷି ବିଶ୍ବ ବିଦ୍ୟାଳୟର ପାଠ୍ୟକ୍ରମରେ ପରିବର୍ତ୍ତନ ଆଦି ସଂପର୍କରେ ବଜେଟରେ ଘୋଷଣା କରାଯାଇଛି ।

ଗୋଟିଏ ଶ୍ରେଣୀ-ଗୋଟିଏ ଟିଭି ଚ୍ୟାନେଲ:

କରୋନା ମହାମାରୀ ସମୟରେ ସ୍କୁଲଗୁଡ଼ିକ ବନ୍ଦ ଥିବାରୁ ପିଲାମାନଙ୍କ ଶିକ୍ଷା ବିଶେଷ ଭାବେ ପ୍ରଭାବିତ ହୋଇଛି । ଏହାକୁ ଦୃଷ୍ଟିରେ ରଖି ସରକାର ପିଏମ ଇ-ବିଦ୍ୟା ଅଧିନସ୍ଥ ଗୋଟିଏ ଶ୍ରେଣୀ-ଗୋଟିଏ ଟିଭି ଚ୍ୟାନେଲ’ କାର୍ଯ୍ୟକ୍ରମର ସଂପ୍ରସାରଣ କରି ୨୦୦ ଚ୍ୟାନେଲକୁ ବୃଦ୍ଧି କରାଯିବ । ଏହା ଦ୍ବାରା ପ୍ରଥମ ଶ୍ରେଣୀରୁ ୧୨ଶ ଶ୍ରେଣୀ ପିଲାମାନଙ୍କୁ ଶିକ୍ଷା ଦାନରେ ସହାୟତା ମିଳିପାରିବ । ଏହି ସବୁ ଚାନେଲରେ ପିଲାମାନେ ଆଞ୍ଚଳିକ ଭାଷା‌ରେ ପାଠପଢ଼ିପା‌ରିବେ।

ଡିଜିଟାଲ ବିଶ୍ବବିଦ୍ୟାଳୟ:

ଭାରତର ଯୁବପିଢିଙ୍କୁ  ଆଇଏସଟିଇ ସ୍ତରର ବିଶ୍ବସ୍ତରୀୟ ପାଠ୍ୟକ୍ରମ ପ୍ରଦାନ ଲାଗି ଏକ ଜାତୀୟ ଡିଜିଟାଲ ବିଶ୍ବବିଦ୍ୟାଳୟର ପରିକଳ୍ପନା କରାଯାଇଛି । ଏହି ବିଶ୍ବବିଦ୍ୟାଳୟକୁ ସବୁ ରାଜ୍ୟର ଛାତ୍ରଛାତ୍ରୀମାନଙ୍କୁ ସବୁ ଭାଷାରେ ପ୍ରଦାନ କରାଯିବ । ଦେଶର ପ୍ରମୁଖ ବିଶ୍ବବିଦ୍ୟାଳୟଗୁଡ଼ିକର ସହଯୋଗରେ ଏହାକୁ ପ୍ରତିଷ୍ଠା କରାଯିବ ।

ଦକ୍ଷତା ବିକାଶ :

ଶିଳ୍ପ ଜଗତର ଚାହିଦାକୁ ଦୃଷ୍ଟିରେ ରଖି ଜାତୀୟ ଦକ୍ଷତା ଶିକ୍ଷା ଫ୍ରେମଓ୍ବାର୍କକୁ ବଦଳାଯିବ । ଆଇଆଇଟିଗୁଡ଼ିକରେ ନୂଆ ଯୁଗର ପାଠ୍ୟକ୍ରମ ଯେପରିକି ଡ୍ରୋନ, ଡ୍ରୋନ ମନିଟରିଂ ଆଦି ରହିବ ।

ଅନ୍ୟପକ୍ଷରେ ୨୦୨୨-୨୩ ଶେଷସୁଦ୍ଧା  ୭୫୦ଟି ବିଜ୍ଞାନ ଓ ଗଣିତ ଲାବ, ୭୫ଟି ସ୍କିଲିଂ ଲାବ ଖୋଲାଯିବ । ଧନ୍ଦା ଓ ଦକ୍ଷତା ମୂଳକ ଶିକ୍ଷାରେ ଗବେଷଣା ପାଇଁ ଏପରି କରାଯିବ ।

କୃଷି ବିଶ୍ବବିଦ୍ୟାଳୟ ପାଠ୍ୟକ୍ରମ ବଦଳିବ: 

ଚଳିତ ବଜେଟରେ କୃଷି ବିଶ୍ବବିଦ୍ୟାଳୟଗୁଡ଼ିକର ପାଠ୍ୟକ୍ରମରେ ପରିବର୍ତ୍ତନ ଆଣିବା ଲାଗି ରାଜ୍ୟ ସରକାରମାନଙ୍କୁ ପ୍ରୋତ୍ସାହିତ କରାଯିବ। ବର୍ତ୍ତମାନର ସମୟ ଆବଶ୍ୟକ କରୁଥିବା ଅତ୍ୟାଧୁନିକ ଜ୍ଞାନକୌଶଳରେ କୃଷି ଉପରେ ପ୍ରାଧାନ୍ୟ ଦିଆଯିବ। ଅର୍ଗାନିକ ଫାର୍ମିଂ, ନ୍ୟାଚୁରାଲ୍ ଫାର୍ମିଂ ଓ ଜିରୋ ବଜେଟ୍ ଫାର୍ମିଂ ଆଦିକୁ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ କରାଯିବ।

ସମ୍ବନ୍ଧିତ ଖବର