ଲକ୍ଷ୍ନୌ: ଅନେକ ସମୟରେ ଜୀବଜନ୍ତୁଙ୍କ ଆଚରଣ ଆମକୁ କେବେ ହସାଇଥାଏ ତ ଆଉ କେତେବେଳେ ବହୁ ଅସୁବିଧାରରେ ପକାଇଥାଏ। କେବେକେବେ ସେମାନଙ୍କ ଆଚରଣ କୌତୁହଳପୂର୍ଣ୍ଣ ତ ଆଉ କେବେ ବିପଦପୂର୍ଣ୍ଣ ହୋଇଥାଏ। ଏବେ ସେଭଳି କିଛି ଘଟିଛି ୟୁପିର ଔରାଙ୍ଗାବାଦ ଥାନାରେ। ଜଣେ ପୁଲିସ କର୍ମଚାରୀଙ୍କୁ ଥାନାରେ ପଶି ଷଣ୍ଢ ଆକ୍ରମଣ କରିବା ଘଟଣା ଏବେ ଚର୍ଚ୍ଚାରେ ରହିଛି। ଗତ ଶନିବାର ସନ୍ଧ୍ୟାରେ ବୁଲନ୍ଦସହରର ଔରାଙ୍ଗାବାଦ ଥାନାରେ ହଠାତ ଗୋଟିଏ ଷଣ୍ଢ ପଶିଯାଇଥିଲା। ଷଣ୍ଢଟିକୁ ଦେଖି ସେଠାରେ ଉପସ୍ଥିତ ଥିବା ଜଣେ ପୁଲିସ କର୍ମଚାରୀ ତାକୁ ବାହାର କରିବା ପାଇଁ ପାଟି କରି ଷଣ୍ଢ ଆଡ଼କୁ ଦୌଡ଼ିଥିଲେ। ହେଲେ ଷଣ୍ଢକୁ ବାହାର କରିବା ପରିବର୍ତ୍ତେ ନିଜେ ଷଣ୍ଢର ଆକ୍ରମଣର ଶିକାର ହୋଇଥିଲେ ପୁଲିସକର୍ମୀ। ପୁଲିସକୁ ନିଜ ଆଡକୁ ଆସୁଥିବା ଦେଖି ରାଗରେ ଷଣ୍ଢଟି ତାଙ୍କୁ ଟେକି କଚାଡ଼ି ଦେଇଥିଲା। ଆହତ ହୋଇଥିବା ପୁଲିସକର୍ମୀଙ୍କ ନାଁ ମୁନେନ୍ଦ୍ର ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନା ମୁତାବକ, ହଠାତ ଷଣ୍ଢକୁ ପୁଲିସ ଷ୍ଟେସନ ଭିତରେ ଦେଖି ଉପସ୍ଥିତ ଥିବା ପୁଲିସକର୍ମୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଷଣ୍ଢକୁ ଦେଖି ମୁନେନ୍ଦ୍ର ବାଡ଼ି ଦେଖାଇ ଷଣ୍ଢକୁ ବାହାର କରିବାକୁ ଚେଷ୍ଟା କରିଥିଲେ। ହେଲେ ଷଣ୍ଢ ବାହାରକୁ ଯିବା ପରିବର୍ତ୍ତେ ମୁନେନ୍ଦ୍ରଙ୍କୁ ଟେକି କଚାଡ଼ି ଦେଇଥିଲା। ଏହି ଘଟଣା ପରେ ମୁନେନ୍ଦ୍ରଙ୍କ ମୁଣ୍ଡରେ ଆଘାତ ଲାଗିଥିବା ଜଣାପଡ଼ିଛି।
ଦେଖିବାକୁ ଗଲେ ବୁଲା ପଶୁମାନେ ସାଧାରଣତଃ ଚାଷଜମିରେ ଫସଲ ନଷ୍ଟ କରନ୍ତି। ସେଥିଲାଗି ଚାଷୀମାନେ ସେମାନଙ୍କ ଫସଲର ସୁରକ୍ଷା କରିବାକୁ ଯାଇ ବୁଲା ପଶୁମାନଙ୍କୁ ଆକ୍ରମଣ କରିଥାନ୍ତି । ବୁଲାପଶୁମାନେ ମଧ୍ୟ ନିଜ ଉପରେ ହେଉଥିବା ଆକ୍ରମଣରୁ ନିଜକୁ ରକ୍ଷା କରିବାକୁ ଯାଇ ଚାଷୀଙ୍କ ଉପରେ ପାଲଟା ଆକ୍ରମଣ କରିଥାନ୍ତି। ଔରାଙ୍ଗବାଦ ଥାନାରେ ବି ସେଭଳି ଘଟଣା ଘଟିଛି। ନିଜକୁ ବଞ୍ଚାଇବାକୁ ଯାଇ ଷଣ୍ଢଟି ମୁନେନ୍ଦ୍ରଙ୍କ ଉପରେ ଆକ୍ରମଣ କରିଥିବା କୁହାଯାଉଛି।