ଆନ୍ଧ୍ରପ୍ରଦେଶର ଆରାକୁ ଘାଟିରେ ଟୁରିଷ୍ଟ ବସ ଦୁର୍ଘଟଣାଗ୍ରସ୍ତ, ୮ ଜଣଙ୍କର ମୃତ୍ୟୁ

ବିଶାଖାପାଟଣା: ପର୍ଯ୍ୟଟକଙ୍କୁ ନେଇ ଯାଉଥିବାବେଳେ ଘାଟି ତଳକୁ ଖସିପଡିଲା ବସ, ଆଉ ଏହି ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ଘଟିଛି | ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶର ଆରାକୁ ଘାଟିରେ ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ଶୁକ୍ରବାର ସନ୍ଧ୍ୟାରେ ପ୍ରାୟ ୩୦ ଜଣ ପର୍ଯ୍ୟଟକଙ୍କୁ ନେଇ ଯାଉଥିବାବେଳେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାର ଆରାକୁ ଘାଟିରେ ଦୁର୍ଘଟଣାର ଶିକାର ହୋଇ ବସଟି ୧୦୦ ଫୁଟ ତଳକୁ ଖସିପଡିଥିଲା |

ଏଥିରେ ୮ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟମାନେ ଆହତ ହୋଇଥିବାର ଜଣାପଡିଛି | ତେବେ ଗୁରୁତରଙ୍କ ସଂଖ୍ୟା ଅଧିକ ଥିବାରୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ଦେଖାଦେଇଛି | ସ୍ଥାନୀୟ ପୁଲିସର ସୂଚନା ମୁତାବକ ହାଇଦ୍ରାବାଦର ଦୀନେଶ ଟ୍ରାଭେଲସର ଏକ ବସ ୩୦ ଜଣ ପର୍ଯ୍ୟଟକଙ୍କୁ ନେଇ ଯାଉଥିବାବେଳେ ଆରାକୁ ଘାଟିରେ ଏହି ଦୁର୍ଘଟଣା ଘଟିଥିଲା |

ବସଟି ଆରାକୁରୁ ହାଇଦ୍ରାବାଦକୁ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା | ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଚାଲିଥିବାବେଳେ ଗୁରୁତରମାନଙ୍କୁ ଆମ୍ବୁଲାନ୍ସ ଯୋଗେ ବିଶାଖାପାଟଣା ପଠାଯାଇଛି |

ସମ୍ବନ୍ଧିତ ଖବର