ଦେଶରେ ଆଉ ୨୦ଟି ଏଆଇଆଇଏମ୍‌ଏସ୍‌ ପ୍ରତିଷ୍ଠା ପାଇଁ କେନ୍ଦ୍ର କ୍ୟାବିନେଟ ଦେଲା ମଞ୍ଜୁରି

ଏଥିସହ ୭୩ଟି ମେଡିକାଲ କଲେଜର କରାଯିବ ଆଧୁନିକୀରଣ

ନୂଆଦିଲ୍ଲୀ: ସମଗ୍ର ଦେଶରେ ଆଉ ୨୦ଟି ନୂତନ ଅଲ୍‌ ଇଣ୍ଡିଆ ଇଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍‌ସେସ (ଏଆଇଆଇଏମ୍‌ଏସ୍‌) ପ୍ରତିଷ୍ଠା କରିବା ସହ ୭୩ଟି ମେଡିକାଲ କଲେଜକୁ ଆଧୁନିକୀରଣ କରିବା ପାଇଁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗତ ବୁଧବାର ରାତିରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତିକୁ ମଞ୍ଜୁରି ପ୍ରଦାନ କରା ଯାଇଥିବା ଜାଣିବାକୁ ମିଳିଛି।

ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାକୁ ଆଉ ଦୁଇ ବର୍ଷ ଅର୍ଥାତ୍‌ ୨୦୨୦ ପର୍ଯ୍ୟନ୍ତ ବଢ଼ାଇ ଦିଆଯିବା ସହ ଏହି ଯୋଜନାରେ ୧୪,୮୩୨ କୋଟି ଟଙ୍କା ବ୍ୟୟ କରିବା ପାଇଁ ମଧ୍ୟ ଏହି କ୍ୟାବିନେଟ ବୈଠକରେ ନିଷ୍ପତ୍ତି ଗୃହୀତ ହୋଇଛି ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ। ବିଭିନ୍ନ ରାଜ୍ୟରେ ପ୍ରତିଷ୍ଠା ହେବାକୁ ଏହି ସମସ୍ତ ପ୍ରସ୍ତାବିତ ଏଆଇଆଇଏମ୍‌ଏସ୍‌ କାର୍ଯ୍ୟକ୍ଷମ ହେଲେ, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରହିଥିବା ଅଭାବ ଓ ରୋଗୀ ଚିକିତ୍ସା କ୍ଷେତ୍ରରେ ରହିଥିବା ଡାକ୍ତରଙ୍କ ଅଭାବକୁ ଦୂର କରିବାରେ ସମର୍ଥ ହେବ ବୋଲି କହିଛନ୍ତି, କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ। ଖାଲି ଏତିକି ନୁହେଁ ଏହା ଦ୍ୱାରା ନୂତନ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ। ଗୋଟିଏ ଏଆଇଆଇଏମ୍‌ଏସ୍‌ରେ ୩୦୦୦ରୁ ଅଧିକ ଲୋକ ପ୍ରତକ୍ଷ୍ୟ ଭାବେ ନିଯୁକ୍ତି ପାଇବେ। ବିଭିନ୍ନ ରାଜ୍ୟରେ ପ୍ରତିଷ୍ଠିତ ହେବାକୁ ଥିବା ଏହି ସମସ୍ତ ଏଆଇଆଇଏମ୍‌ଏସ୍‌ର ପ୍ରତିଷ୍ଠା ପାଇଁ ସମସ୍ତ ଅର୍ଥ କେନ୍ଦ୍ର ସରକାର ପ୍ରଦାନ କରିବେ ବୋଲି କହିଛନ୍ତି, କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ।

ସମ୍ବନ୍ଧିତ ଖବର