ଆସନ୍ତା ସପ୍ତାହରେ ହୋଇପାରେ ମୋଦୀ ମନ୍ତ୍ରୀମଣ୍ଡଳର ସଂପ୍ରସାରଣ

ନୂଆଦିଲ୍ଲୀ : ଆସନ୍ତା ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ କ୍ୟାବିନେଟର ସଂପ୍ରସାରଣ କରିବାର ସମ୍ଭାବନା ରହିଛି । ଏଥିପାଇଁ ଗତ କିଛି ଦିନ ହେଲା ପ୍ରସ୍ତୁତି ଚାଲିଛି । ନିଜେ ପ୍ରଧାନମନ୍ତ୍ରୀ ବିଭିନ୍ନ ମନ୍ତ୍ରୀମାନଙ୍କ ରିପୋର୍ଟ କାର୍ଡର ସମୀକ୍ଷା କରୁଛନ୍ତି । ମନ୍ତ୍ରୀମଣ୍ଡଳରେ କେତେକ ନୂଆ ସଦସ୍ୟଙ୍କୁ ସାମିଲ କରାଯାଇପାରେ ଓ କିଛି ମନ୍ତ୍ରୀଙ୍କ ବିଭାଗରେ ପରିବର୍ତ୍ତନ କରାଯାଇପାରେ ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ ଦୁଇଟି ପର୍ୟ୍ୟାୟରେ କ୍ୟାବିନେଟ ସଂପ୍ରସାରଣ ହୋଇପାରେ । ପ୍ରଥମ ସଂପ୍ରସାରଣଟି ଆସନ୍ତା ୭ ତାରିଖ ବେଳକୁ ଓ ଦ୍ବିତୀୟ ସଂପ୍ରସାରଣଟି ସଂସଦର ମୌସୁମୀ ଅଧିବେଶନ ପରେ ହୋଇପାରେ । ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ବେଳେ ସରକାରଙ୍କ ଆସନ୍ତା ୩ ବର୍ଷର କାର୍ୟ୍ୟଯୋଜନା ଓ ବିଭିନ୍ନ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖାଯିବ । ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡ଼ିକୁ ଅଧିକ ପ୍ରତିନିଧିତ୍ବ ମିଳିବ । ସେହିପରି ଆସାମରୁ ସର୍ବାନନ୍ଦ ସୋନଓ୍ବାଲ, ମଧ୍ୟପ୍ରଦେଶରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ମନ୍ତ୍ରୀ ହୋଇପାରନ୍ତି । ସେହିପରି ଓଡ଼ିଶାରୁ ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବ ମନ୍ତ୍ରୀ ହୋଇପାରନ୍ତି । ଆଉ କେତେକ ସୁତ୍ର ଅନୁସାରେ ବୈଜୟନ୍ତ ପଣ୍ଡା ମଧ୍ୟ ମନ୍ତ୍ରୀପଦ ଦୌଡ଼ରେ ଅଛନ୍ତି । ତାଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିପାରେ ।

ସୂଚନାଯୋଗ୍ୟ ଯେ, କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସର୍ବାଧିକ ୮୧ ଜଣ ମନ୍ତ୍ରୀ ରହିପାରିବାର ବ୍ୟବସ୍ଥା ଥିଲେ ବି ଏବେ ମାତ୍ର ୫୩ ଜଣ ମନ୍ତ୍ରୀ ଅଛନ୍ତି । କେତେକ ମନ୍ତ୍ରୀ ଏକାଧିକ ଗୁରୁତ୍ବପୂର୍ଣ୍ଣ ମନ୍ତ୍ରାଳୟ ସମ୍ଭାଳୁଛନ୍ତି । ଏ ଦୃଷ୍ଟିରୁ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ଜରୁରୀ ହୋଇପଡ଼ିଛି ।

ସମ୍ବନ୍ଧିତ ଖବର