କାନଡ଼ା ପ୍ରଧାନମନ୍ତ୍ରୀଙ୍କ ପତ୍ନୀ, ଅଷ୍ଟ୍ରେଲିଆ ଗୃହମନ୍ତ୍ରୀ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ : କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋଙ୍କ ପତ୍ନୀ ସୋଫି ଟ୍ରୁଡୋ କରୋନା ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ସେ ସୁସ୍ଥ ହେବା ପର୍ଯ୍ୟନ୍ତ ଆଇସୋଲେସନ୍‌ରେ ରହିବେ। ଏବେ ତାଙ୍କ ସ୍ବାସ୍ଥ୍ୟା‌ବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ଅନ୍ୟପକ୍ଷେ ପ୍ରଧାନମନ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି ଏବଂ ତାଙ୍କ ଶରୀରରେ ଭାଇରସ୍‌ର କୌଣସି ଲକ୍ଷଣ ଦେଖିବାକୁ ମିଳିନାହିଁ। କିନ୍ତୁ ଆଗୁଆ ପଦକ୍ଷେପ ଗ୍ରହଣ ପୂର୍ବକ ସେ ମଧ୍ୟ ୧୪ ଦିନ ଆଇସୋଲେସନ୍‌ରେ ରହିବେ। ନିକଟରେ ଟ୍ରୁଡ଼ୋଙ୍କ ପତ୍ନୀ ବ୍ରିଟେନ୍‌ରୁ ଫେରିଥିଲେ। ଏହାପରେ ତାଙ୍କ ଶରୀରରେ କରୋନା ଲକ୍ଷଣ ଦେଖାଦେଲା ଏବଂ ତାଙ୍କୁ ଜ୍ବର ମଧ୍ୟ ହୋଇଥିଲା। ପରୀକ୍ଷାରୁ ଭାଇରସ୍‌ ପଜିଟିଭ୍‌ ବାହାରିଥିଲା। କାନାଡ଼ାରେ ୧୫୮ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି ଏବଂ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଗୃହ ବ୍ୟାପାର ମନ୍ତ୍ରୀ ପିଟର ଡଟ୍ଟନ୍‌ ମଧ୍ୟ କରୋନା ଭାଇରସ୍‌ ସଂକ୍ରମିତ ହୋଇଛନ୍ତି। ୱାସିଂଟନ୍‌ରେ ଏକ ବୈଠକରୁ ଫେରିବା ପରେ ପିଟର ଡଟ୍ଟନ୍‌ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ଡଟ୍ଟନ୍‌ କହିଛନ୍ତି, ସେ ଠିକ୍‌ ଅଛନ୍ତି। କିନ୍ତୁ ଡଟ୍ଟନ୍‌ ଭାଇରସ୍‌ ଆକ୍ରାନ୍ତ ହେବାପରେ କ୍ୟାବିନେଟ୍‌ର ଅନ୍ୟ ସଦସ୍ୟ ଏବଂ ପ୍ରଧାନମନ୍ତ୍ରୀ ସ୍କଟ୍‌ ମରିସନ୍‌ ବି ଭାଇରସ୍‌ ଆକ୍ରାନ୍ତ ହୋଇପାରନ୍ତି ବୋଲି ଆଶଙ୍କା କରାଯାଉଛି। ଡଟ୍ଟନ୍‌ କେଉଁଠାରୁ ଭାଇରସ୍‌ ସଂକ୍ରମିତ ହୋଇଛନ୍ତି ତାହା ସଠିକ୍‌ ଜଣାପଡ଼ିନାହିଁ। ଗତ ସପ୍ତାହରେ ଡଟ୍ଟନ୍‌ ଆମେରିକା ଗସ୍ତ କରି ବିଭିନ୍ନ ବୈଠକରେ ଯୋଗ ଦେଇଥିଲେ ଏବଂ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ଝିଅ ଇଭାଙ୍କା ଟ୍ରମ୍ପ୍‌ଙ୍କ ସହିତ ମଧ୍ୟ ହାତ ମିଳାଇଥିଲେ।

ସମ୍ବନ୍ଧିତ ଖବର