ଆଧାର ସହିତ ଲିଙ୍କ୍‌ ହୋଇ ନଥିବା କାରଣ ପାଇଁ ୩ କୋଟି ରାସନ କାର୍ଡ ବାତିଲ କରିବା ‘ଅତ୍ୟନ୍ତ ଗମ୍ଭୀର’: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଧାର କାର୍ଡ ସହିତ ଲିଙ୍କ୍‌ ନହେବା କାରଣରୁ କେନ୍ଦ୍ର ସରକାର ପ୍ରାୟ ତିନି କୋଟି ରାସନ କାର୍ଡ ବାତିଲ କରିବା ଘଟଣାକୁ ସୁପ୍ରିମକୋର୍ଟ ଆଜି (ବୁଧବାର) ‘ଅତ୍ୟନ୍ତ ଗମ୍ଭୀର’ ବୋଲି କହିଛନ୍ତି। ଏଥିସହ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ଏବଂ ସମସ୍ତ ରାଜ୍ୟ ସରକାରଙ୍କ ଠାରୁ ପ୍ରତିକ୍ରିୟା ମାଗିଛନ୍ତି ସୁପ୍ରିମକୋର୍ଟ।

ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବଡ଼େଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍‌ ଏସ୍‌ ବୋପାନ୍ନା ଏବଂ ଜଷ୍ଟିସ୍‌ ଭି ରାମାସୁବ୍ରମଣ୍ୟନ୍‌ଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ କହିଛନ୍ତି ଯେ ଏହି ମାମଲାକୁ ଏକ ବିରୋଧ ଭାବରେ ଗ୍ରହଣ କରାଯିବା ଉଚିତ ନୁହେଁ କାରଣ ଏହା ଅତ୍ୟନ୍ତ ଗୁରୁତର ବିଷୟ। ଏହି ମାମଲାକୁ ଚୂଡ଼ାନ୍ତ ଶୁଣାଣି ପାଇଁ ରଖାଯିବ ବୋଲି ଖଣ୍ଡପୀଠ କହିଛନ୍ତି।

ଏହି ମାମଲାର ଶୁଣାଣି ଆରମ୍ଭରେ, ବରିଷ୍ଠ ଆଡଭୋକେଟ୍‌ କଲିନ୍‌ ଗୋନ୍‌ସାଲଭସ୍‌, ଆବେଦନକାରୀ କୋଇଲି ଦେବୀଙ୍କ ପକ୍ଷରୁ ହାଜର ହୋଇ କହଥିଲେ ଯେ ଏହି ପିଟିସନ୍‌ ଏକ ବୃହତ ପ୍ରସଙ୍ଗ ସହ ଜଡିତ।

ଶୁଣାଣି କାଳରେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ବୋବଡେ କହିଛନ୍ତି, ଆମେ ଏହି ସମସ୍ୟାକୁ ଏବେ ନିଜ ହାତରେ ଦେଖୁଛୁ ଏବଂ ମୁଁ ବମ୍ବେ ହାଇକୋର୍ଟରେ ଏହି ପ୍ରକାରର ଅନେକ ମାମଲାର ସାମ୍ନା କରିଛି ଏବଂ ମୁଁ ଭାବୁଛି ଏହି ମାମଲା ସଂପୃକ୍ତ ରାଜ୍ୟର ହାଇକୋର୍ଟରେ ଦାଖଲ ହେବା ଉଚିତ୍‌।

ଆଧାର କାର୍ଡ ସହିତ ଲିଙ୍କ୍‌ ନହେବା କାରଣରୁ କେନ୍ଦ୍ର ସରକାର ପ୍ରାୟ ତିନି କୋଟି ରାସନ କାର୍ଡ ବାତିଲ କରିବା ଘଟଣା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବୋଲି ଗୋନସାଲଭ ତାଙ୍କ ଯୁକ୍ତିରେ ଉଲ୍ଲେଖ କରିଥିଲେ। ଏବଂ ଏହି କାରଣରୁ ଦେଶରେ ଅନେକ ଅନାହାର ଜନିତ ମୃତ୍ୟୁ ଘଟୁଛି ବୋଲି ମଧ୍ୟ ସେ ଅଭିଯୋଗ କରିଥିଲେ। ଆଗତ ଆବେଦନରେ ଦର୍ଶାଯାଇଛି ଯେ, ଏକ ଗରିବ ଦଳିତ ପରିବାରର ସାନ୍ତୋଷୀଙ୍କର ଅନାହାରରେ ମୃତ୍ୟୁ ହୋଇଥିଲା। କାରଣ ସ୍ଥାନୀୟ ଅଧିକାରୀମାନେ ତାଙ୍କ ପରିବାରର ରାସନ କାର୍ଡକୁ ଆଧାର ସହିତ ସଂଯୋଗ କରିବାରେ ବିଫଳ ହୋଇଥିଲେ। ଏହି କାରଣରୁ ମାର୍ଚ୍ଚ ୨୦୧୭ରୁ ଏହି ପରିବାରକୁ ରାସନ ଯୋଗାଣ ବନ୍ଦ ହୋଇଯାଇଥିଲା ଏବଂ ଫଳସ୍ୱରୂପ ସମଗ୍ର ପରିବାର ଭୋକରେ ରହୁଥିଲେ।

ସମ୍ବନ୍ଧିତ ଖବର