ସାମ୍ବାଦିକଙ୍କୁ ମିଠାବାକ୍ସରେ ଟଙ୍କା ବାଣ୍ଟି ବିବାଦରେ କର୍ଣ୍ଣାଟକ ସିଏମଓ, କଂଗ୍ରେସ କହିଲା ଖାଲିଟାରେ ‘ପେସିଏମ୍’ କହୁନାହୁଁ…

ନୂଆଦିଲ୍ଲୀ: କର୍ଣ୍ଣାଟକରେ ଶାସକ ବିଜେପି ସରକାରଙ୍କ  ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ ଅଧିକାରୀଙ୍କ ଦ୍ୱାରା ଦୀପାବଳିରେ କିଛି ସାମ୍ବାଦିକଙ୍କୁ ମିଠାବାକ୍ସରେ ଏକ ଲକ୍ଷରୁ ଅଢ଼େଇ ଲକ୍ଷ ପର୍ଯ୍ୟନ୍ତ ନଗଦ ଟଙ୍କା ଦିଆଯାଇଥିବା ଅଭିଯୋଗ ହୋଇଛି । କଂଗ୍ରେସ ଏହାକୁ ‘ମିଠାବକ୍ସ ଲାଞ୍ଚ’ ନାମରେ ନାମିତ କରି ତଦନ୍ତ ପାଇଁ ଦାବି କରିଛି। ତେବେ ବିଜେପି ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଥିବା ସୂଚନା ରହିଛି ।

ସୂଚନା ଅନୁଯାୟୀ,  ମିଠାବାକ୍ସ ଗ୍ରହଣ କରିଥିବା ପ୍ରାୟ କେତେ ଜଣ ସାମ୍ବାଦିକଙ୍କ ମଧ୍ୟରୁ ତିନିଜଣ ନଗଦ ଟଙ୍କା ପାଇଥିବା ସ୍ୱୀକାର କରିଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇଜଣ କହିଛନ୍ତି ଯେ, ସେମାନେ ଏହାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଫେରାଇ ଦେଇଛନ୍ତି । ଦୁର୍ନୀତି ବିରୋଧୀ କାର୍ଯ୍ୟକର୍ତ୍ତା ଗୋଷ୍ଠୀ ସାମ୍ବାଦିକମାନଙ୍କୁ ଲାଞ୍ଚ ଦେବାକୁ ଅପଚେଷ୍ଟା କରୁଥିବା ଅଭିଯୋଗରେ କର୍ଣ୍ଣାଟକ ଲୋକାୟୁକ୍ତ ପୁଲିସ ନିକଟରେ ବାସବରାଜ ବୋମାଇଙ୍କ ମିଡିଆ ପରାମର୍ଶଦାତାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ।

ଅନ୍ୟ ଜଣେ ସାମ୍ବାଦିକ କହିଛନ୍ତି, ‘‘ମୁଁ ମୋର ସମ୍ପାଦକମାନଙ୍କୁ ଜଣାଇଥିଲି । ମୁଁ ସିଏମଓ  ଅଧିକାରୀମାନଙ୍କୁ କହିଲି ଯେ, ମୁଁ ଏହାକୁ ଗ୍ରହଣ କରିପାରିବି ନାହିଁ ଏବଂ ଏହା ଠିକ ନୁହେଁ ।’’  ତାଙ୍କ ମିଠା ବାକ୍ସରେ ୧ ଲକ୍ଷ ଟଙ୍କା ଅଛି ବୋଲି ସେ ଜଣାଇଥିଲେ । କର୍ଣ୍ଣାଟକ କଂଗ୍ରେସ ଟ୍ୱିଟ୍ କରି ବିଜେପିକୁ ପ୍ରଶ୍ନ କରିଛି ଯେ, ଟିକସଦାତାଙ୍କ ଟଙ୍କାକୁ ଅପବ୍ୟବହାର କରି ଲାଞ୍ଚ ଦିଆଯାଇଥିଲା କି ? ଏହି ଟଙ୍କା ଦେବାର ଅର୍ଥ କ’ଣ ? କେତେ ଲାଞ୍ଚ ଦିଆଯାଇଥିଲା ଏବଂ ଏହାର ପ୍ରତିବଦଳରେ କ’ଣ ମିଳିଲା ? ବିନା କାରଣରେ ଆମେ ମୁଖ୍ୟମନ୍ତ୍ରୀଙ୍କୁ ‘ପେସିଏମ୍’ ବୋଲି କହୁନାହୁଁ ।

କଂଗ୍ରେସର ଜୟରାମ ରମେଶଙ୍କଠାରୁ ଆରମ୍ଭ କରି ରଣଦୀପ ସୁରଜେୱାଲାଙ୍କ ସମେତ ଅନେକ ନେତା ସରକାରଙ୍କଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି । ସୁରଜେୱାଲା ଟ୍ୱିଟ୍ କରି କହିଛନ୍ତି, ‘କର୍ଣ୍ଣାଟକର ସାହସୀ ସାମ୍ବାଦିକମାନଙ୍କୁ ନମସ୍କାର’ । ସେ ସିଏମ୍ ବୋମାଇ ଏବଂ ତାଙ୍କ କାର୍ଯ୍ୟାଳୟର ଲାଞ୍ଚ କାରବାରର ଖୁଲାସା କରିଛନ୍ତି । ସେପଟେ ଏହି ଅଭିଯୋଗ ସତ୍ୟଠାରୁ ବହୁ ଦୂରର ବୋଲି ବିଜେପି ଦାବି କରିଛି ।

ସେପ୍ଟେମ୍ବରରେ ମୁଖ୍ୟମନ୍ତ୍ରୀ ବୋମାଇଙ୍କୁ ଟାର୍ଗେଟ କରି  ‘ପେସିଏମ୍’ ନାମରେ ଏକ ଅଭିଯାନ ଆରମ୍ଭ କରି ବିଜେପି ସରକାର ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିଲା କଂଗ୍ରେସ । ଏହି ଅଭିଯାନରେ ଏକ କ୍ୟୁଆର କୋଡ୍ ମଧ୍ୟ ଅଛି, ଯେଉଁଥିରେ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କ ଫଟୋ ରହିଛି । ଅଭିଯୋଗ ହୋଇଛି ଯେ, ସବୁ କାର୍ଯ୍ୟରେ ବିଜେପି ସରକାର ୪୦ ପ୍ରତିଶତ କମିଶନ ନିଅନ୍ତି ।

ସମ୍ବନ୍ଧିତ ଖବର