ତଦନ୍ତ ପାଇଁ ସକ୍ରିୟ ହେଲା ସିବିଆଇ, ପଶ୍ଚିମବଙ୍ଗ ଡିଜିପିଙ୍କୁ ମାଗିଲା ଦୁଷ୍କର୍ମ ଓ ହତ୍ୟା ସମ୍ପର୍କିତ ସମସ୍ତ ରିପୋର୍ଟ 

କୋଲକାତା: ପଶ୍ଚିମବଙ୍ଗରେ ନିର୍ବାଚନ ପରେ ହିଂସା ମାମଲାରେ ତଦନ୍ତ ପାଇଁ ସିବିଆଇ ସକ୍ରିୟ ହୋଇଛି। ନିର୍ବାଚନ ପରେ ଘଟିଥିବା ଦୁଷ୍କର୍ମ ଓ ହତ୍ୟା ମାମଲା ସମ୍ପର୍କରେ କେନ୍ଦ୍ରୀୟ ଏଜେନ୍ସି ଡିଜିପିଙ୍କଠାରୁ ସମସ୍ତ ତଥ୍ୟ ଓ ସୂଚନା ମାଗିଛନ୍ତି। ସୂତ୍ରରୁ ପ୍ରକାଶ ଯେ ହତ୍ୟା, ହତ୍ୟା ଉଦ୍ୟମ ତଥା ଦୁଷ୍କର୍ମ ମାମଲାରେ ପଞ୍ଜୀକୃତ ହୋଇଥିବା ମାମଲା ସମ୍ପର୍କରେ ସିବିଆଇ ଡିଜିପିଙ୍କଠାରୁ ସୂଚନା ମାଗିଛି। ଏହା ସହ ପୋଷ୍ଟମର୍ଟମ ରିପୋର୍ଟ, ଘଟଣା ବାବଦରେ ସୂଚନା, ସନ୍ଦିଗ୍ଧ ତଥା ସାକ୍ଷୀଙ୍କ ବିବୃତ୍ତି ଇତ୍ୟାଦି ବାବଦରେ ମଧ୍ୟ ତଥ୍ୟ ଦେବାକୁ ଡିଜିପିଙ୍କୁ ସିବିଆଇ ପକ୍ଷରୁ କୁହାଯାଇଛି |

ଏହି ଘଟଣାର ତଦନ୍ତ ପାଇଁ ସିବିଆଇ ନିର୍ଦ୍ଦେଶକ ସୁବୋଧ କୁମାର ଜୟସ୍ବାଲ ୪ଟି ସ୍ୱତନ୍ତ୍ର ଦଳ ଗଠନ କରିଛନ୍ତି। ପ୍ରତ୍ୟେକ ଦଳ ୭ ଜଣ ସଦସ୍ୟଙ୍କୁ ନେଇ ଗଠିତ | ଏହି ଦଳକୁ କୋଲକାତାରେ ସିବିଆଇର ସ୍ଥାନୀୟ ଅଧିକାରୀମାନେ ସାହାଯ୍ୟ କରିବେ। ଏହି ୪ଟି ଦଳର ମୁଖ୍ୟ ଭାବେ ସିବିଆଇର ସହ ନିର୍ଦ୍ଦେଶକ ଅନୁରାଗ, ରମନିଶାନ, ବିନୀତ ବିନାୟକ ଏବଂ ସମ୍ପତ ମୀନାଙ୍କୁ ଦାୟିତ୍ୱ ଦିଆଯାଇଛି। ଅତିରିକ୍ତ ନିର୍ଦ୍ଦେଶକ ଅଜୟ ଭଟନାଗରଙ୍କୁ ଏହି ତଦନ୍ତ ତଦାରଖ ପାଇଁ ଦାୟିତ୍ୱ ଦିଆଯାଇଛି।

କଲିକତା ହାଇକୋର୍ଟ ଗୁରୁବାର ଦିନ ପଶ୍ଚିମବଙ୍ଗରେ ହୋଇଥିବା ନିର୍ବାଚନ ପରବର୍ତ୍ତୀ ହିଂସା ମାମଲାର ତଦନ୍ତ କରିବାକୁ ସିବିଆଇ ଏବଂ ଏସଆଇଟିକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଦୁଷ୍କର୍ମ ଓ ହତ୍ୟା ମାମଲା ସିବିଆଇ ଦ୍ୱାରା ଅନୁସନ୍ଧାନ କରାଯିବ ଏବଂ ଅନ୍ୟାନ୍ୟ ମାମଲା ଏସଆଇଟି ଦ୍ୱାରା ଅନୁସନ୍ଧାନ କରାଯିବ।

ସମ୍ବନ୍ଧିତ ଖବର