ଥମୁନି ସିବିଆଇ ବିବାଦ : ନିର୍ଦେଶକ, ସ୍ବତନ୍ତ୍ର ନିର୍ଦେଶକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ସିବିଆଇ ଅଧିକ‌ାରୀ ଦେବେନ୍ଦ୍ର କୁମାର ଗିରଫ, ଆସ୍ଥାନାଙ୍କୁ ସସ୍‌ପେଣ୍ଡ୍‌ ପାଇଁ ଚିଠି

ନୂଆଦିଲ୍ଲୀ : ଦେଶର ପ୍ରମୁଖ ତଦନ୍ତକାରୀ ସଂସ୍ଥା ସିବିଆଇର ବରିଷ୍ଠ ଅଧିକାରୀମାନଙ୍କ ମଧ୍ୟରେ ଦେଖାଦେଇଥିବା ଅନ୍ତଃକନ୍ଦଳ ଏବେ ଉଗ୍ର ରୂପ ଧାରଣ କରିଛି। ସିବିଆଇ ମୁଖ୍ୟ ତଥା ନିର୍ଦେଶକ ଆଲୋକ ବର୍ମାଙ୍କୁ ଡାକି ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଲୋଚନା କରିଥିଲେ ମଧ୍ୟ ବିବାଦ ଥମିବାର ନାମ ନେଉନି। ଆଲୋକ ବର୍ମାଙ୍କ ଡେପୁଟି ତଥା ସ୍ବତନ୍ତ୍ର ନିର୍ଦେଶକ ରାକେଶ ଆସ୍ଥାନା ସମେତ ର’ ମୁଖ୍ୟ ଅନୀଲ ଦସମାନାଙ୍କ ସହିତ ମଧ୍ୟ ପ୍ରଧାନମନ୍ତ୍ରୀ କଥା ହାଇଥିବା କୁହାଯାଉଛି।

ଅନ୍ୟପକ୍ଷରେ ଆସ୍ଥାନା ସଂପୃକ୍ତ ଥିବା ମାମଲାରେ ସିବିଆଇର ଜଣେ ଅଧିକାରୀଙ୍କୁ ଆଜି ଏହି ସଂସ୍ଥା ଗିରଫ କରିଛି। ଫଳରେ ଆସ୍ଥାନାଙ୍କ ପାଇଁ ଅଡ଼ୁଆ ବଢ଼ିଯାଇଛି। ତାଙ୍କୁ ଗିରଫ କରିବା ଲାଗି ସିବିଆଇ କେନ୍ଦ୍ର ସରକାରର ଅନୁମତି ଲୋଡ଼ିପାରେ ବୋଲି କୁହାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ ମାଂସ ‌ରପ୍ତାନିକାରୀ ମୋଇନ କୁରେସୀ ଉତ୍କୋଚ ମାମଲାରେ ତଦନ୍ତକାରୀ ଅଧିକାରୀ ଥିବା ସିବିଆଇର ଡିଏସପି ଦେବେ‌ନ୍ଦ୍ର କୁମାରଙ୍କୁ ଆଜି ଗିରଫ କରାଯାଇଛି। ଏହି ମାମଲାରେ ପୂର୍ବରୁ ଗିରଫ ହୋଇଥିବା ବ୍ୟବସାୟୀ ସତୀଶ ସାନାଙ୍କ ବୟାନକୁ ଏପଟ ସେପଟ କରିଥିବାର ଅଭିଯୋଗ ରହିଛି ଦେବେନ୍ଦ୍ର କୁମାରଙ୍କ ନାମରେ। ଆସ୍ଥାନାଙ୍କ ନେତୃତ୍ବରେ ଗଠିତ ଟିମ୍ କୁରେସୀ ମାମଲାର ତଦନ୍ତ କରୁଛି। ତେବେ ଚାର୍ଜସିଟରୁ ସାନାଙ୍କ ନାମକୁ ବାଦ ‌େଦବାଲାଗି ଆସ୍ଥ୍‌ାନା ଦୁଇ କୋଟି ଟଙ୍କା ଲାଞ୍ଚ ନେଇଥିଲେ ବୋଲି ଖୋଦ ସାନା ସିବିଆଇ ନିକଟରେ ବୟାନ ଦେଇଛନ୍ତି। ତାଙ୍କ ବୟାନକୁ ଆଧାର କରି ସିବିଆଇ ଆସ୍ଥାନାଙ୍କ ବି‌େରାଧ‌େର ଏଫଆଇଆର ଦାଖଲ କରିଥିଲା। ଏହି ଏଫଆଇଆରରେ ଦେବେନ୍ଦ୍ରଙ୍କ ନାମ ମଧ୍ୟ ଥିଲା।

ତେବେ ଉଲ୍ଲେଖନୀୟ ଘଟଣା ‌େହଉଛି ଯେ ଦେବେନ୍ଦ୍ରଙ୍କୁ ଗିରଫ କରିବା ପୂର୍ବରୁ ସିବିଆଇ ଏହାର ଅଫିସ ଭିତରେ ଆଜି ବିଭିନ୍ନ ରୁମରେ‌ ଖାନତଲାସୀ କରିଥିଲା। କୁରେସୀ ମାମଲାର ତଦନ୍ତ କରୁଥିବା ସମସ୍ତ ଅଧିକାରୀଙ୍କ ରୁମରେ ଚଢ଼ଉ କରାଯାଇଥିଲା। ଏମାନେ ସମସ୍ତେ ଆସ୍ଥାନାଙ୍କ ଖାସ ଲୋକ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ ଯେ କୁରେସୀ ମାମଲାକୁ ଚପାଇବା ଲାଗି ସିବିଆଇ ମୁଖ୍ୟ ଆଲୋକ ବର୍ମା ୨ କୋଟି ଟଙ୍କାର ଲାଞ୍ଚ ନେଇଥିଲେ ବୋଲି ଅଭିଯୋଗ କରି ଗତ ଅଗଷ୍ଟ ମାସରେ ଆସ୍ଥାନା କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ। ସେ ଆହୁରି ଅଭିଯୋଗ କରିଥିଲେ ଯେ ଏହି ମାମଲାରେ ତାଙ୍କୁ ଫସାଇବା ପାଇଁ ଆଲୋକ ବର୍ମାଙ୍କ ସମେତ ମୁଖ୍ୟ ଭିଜିଲାନ୍ସ ଅଧିକାରୀ ଏବଂ ଏନଫୋର୍ସମେଣ୍ଟ ନିର୍ଦେଶାଳୟ ଅଧିକାରୀ ମଧ୍ୟ ଚକ୍ରାନ୍ତ ଚଳାଇଛନ୍ତି।

ଅସ୍ଥାନା କ୍ୟାବିନେଟ୍‌ ସଚିବ ଏବଂ ସେଣ୍ଟ୍ରାଲ୍‌ ଭିଜିଲାନ୍ସ କମିସନ (ସିଭିସି) ନିକଟକୁ ଚିଠି ଲେଖି ଆଲୋକ ବର୍ମାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିଲେ। ଅତିକମ୍‌ରେ ୧୦ଟି ମାମଲାରେ ସିବିଆଇ ମୁଖ୍ୟ ଏବଂ ତାଙ୍କ ସହଯୋଗୀମାନେ ଅନିୟମିତତା ଓ ହେରଫେର କରିଥିବା ସେ ଦର୍ଶାଇଥିଲେ। ତନ୍ମଧ୍ୟରୁ ହାଇଦ୍ରାବାଦଭିତ୍ତିକ ବ୍ୟବସାୟୀ ସତୀଶ ସନାଙ୍କ ମାମଲା ଅନ୍ୟତମ। ସନାଙ୍କଠାରୁ ଆଲୋକ ବର୍ମା ୨ କୋଟି ଟଙ୍କା ଲାଞ୍ଚ ନେଇଥିବା ଆସ୍ଥାନା କହିଥିଲେ। ସେ କହିଥିଲେ ‌େଯ ସାନା ଦେଶଛାଡ଼ି ଯିବାକୁ ବସିଥିବା ବେଳେ ସେ ଏହାକୁ ଅଟକାଇଥିଲେ। ଏଥିରେ ବିରକ୍ତ ହୋଇ ସିବିଆଇ ମୁଖ୍ୟ ତାଙ୍କୁ ଫସାଇବାକୁ ଉଦ୍ୟମ ଚଳାଇଛନ୍ତି।

ତେବେ ସିବିଆଇ ଏହାର ମୁଖ୍ୟଙ୍କୁ ନିର୍ଦ୍ଦୋଷ ଦର୍ଶାଇଛି। ବର୍ମାଙ୍କ ବିରୋଧରେ ମିଥ୍ୟ ଅଭିଯୋଗ ହୋଇଥିବା ସିବିଆଇ ଦାବି କରିଛି। ବର୍ମା ନୁହେଁ ବରଂ ଅସ୍ଥାନା ହିଁ ୨ କୋଟି ଟଙ୍କାର ଲାଞ୍ଚ ନେଇଥିବା ସିବିଆଇ ଅଭିଯୋଗ ଉଠାଇଛି ଏବଂ ଏ ନେଇ ତାଙ୍କ ବିରୋଧରେ ଏତଲା ଦାଏର କରିଛି।

ର’ର ଜଣେ ବରିଷ୍ଠ ଅଧିକାରୀଙ୍କ ନାମ ମଧ୍ୟ ଏହି ଏତଲାରେ ରହିଥିବାରୁ ବିବାଦ ଉଗ୍ର ରୂପ ଧାରଣ କରୁଛି।

ଇତିମଧ୍ୟରେ ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କୁ ସସ୍‌ପେଣ୍ଡ୍‌ କରିବା ପାଇଁ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି। ତେବେ ସିବିଆଇ ପକ୍ଷରୁ ଏ ସଂପର୍କରେ କିଛି କୁହାଯାଇ ନାହିଁ।

ସମ୍ବନ୍ଧିତ ଖବର