ପିଏନ୍‌ବି ଠକେଇ ଇଣ୍ଟରପୋଲ୍‌ ସହାୟତା ଲୋଡ଼ିଲା ସିବିଆଇ

ବେଲଜିୟମର ସ୍ଥାୟୀ ନାଗରିକ ନିରବ!

ନୂଆଦିଲ୍ଲୀ: ପିଏନ୍‌ବି ମୁମ୍ବାଇ ଶାଖାରୁ ୧୧ ହଜାର ୩ ଶହ କୋଟି ଟଙ୍କା ଠକେଇ କରି ଫେରାର୍‌ ହୋଇଯାଇଥିବା ହୀରା ଓ ଗହଣା ବ୍ୟବସାୟୀ ନିରବ ମୋଦିଙ୍କୁ ଗିରଫ କରିବା ପାଇଁ ଜୋର୍‌ଦାର ପ୍ରୟାସ ଆରମ୍ଭ ହୋଇଯାଇଛି। ନିରବ ନ୍ୟୁୟର୍କରେ ଥିବା ନେଇ ଖବର ମିଳିବା ପରେ ତାଙ୍କୁ ଗିରଫ କରିବା ପାଇଁ ଆଜି ସିବିଆଇ ଇଣ୍ଟରପୋଲ୍‌ର ସହାୟତା ଲୋଡ଼ିଛି। ସେ ଆମେରିକାରୁ ଯଦି ବେଲଜିୟମ ପଳାଇଯିବେ ତା’ହେଲେ ତାଙ୍କୁ ଭାରତ ଆଣିବା ସହଜ ହେବନାହିଁ ବୋଲି ଜଣାପଡ଼ିଛି । ନିରବ ମୋଦି ବେଲଜିୟମର ସ୍ଥାୟୀ ନାଗରିକତ୍ୱ ଗ୍ରହଣ କରିଥିବା ନେଇ କେତେକ ସୁରାକ୍‌ ମିଳିଛି । ବେଲଜିୟମ ସହିତ ଭାରତର ପ୍ରତ୍ୟର୍ପଣ ଚୁକ୍ତି ନଥିବାରୁ ଅତ୍ୟନ୍ତ ଯୋଜନାବଦ୍ଧ ଭାବେ ନିରବ ତାଙ୍କ ଗୋଟି ଚାଳନା କରୁଥିବା ଜଣାପଡ଼ୁଛି । ବେଲଜିୟମରେ ସ୍ଥାୟୀ ଭାବେ ରହିବା ପାଇଁ ନିରବ ୩ ବର୍ଷ ତଳୁ ଯୋଜନା କରୁଥିଲେ ବୋଲି ଜଣାପଡ଼ୁଛି । ନିରବଙ୍କ ପତ୍ନୀ ଆମେରିକୀୟ ନାଗରିକ ହୋଇଥିବା ବେଳେ ତାଙ୍କ ଭାଇ ମଧ୍ୟ ବେଲଜିୟମରେ ରହିବା ପାଇଁ ଯୋଜନା କରିଥିବା କୁହାଯାଉଛି ।
ନିରବ ଓ ତାଙ୍କ ମାମୁ ତଥା ବ୍ୟବସାୟିକ ସହଯୋଗୀ ମେହୁଲ ଚୌକସି ୪ ସପ୍ତାହ ମଧ୍ୟରେ ଭାରତ ପ୍ରତ୍ୟାବର୍ତ୍ତନ ନକଲେ ସେମାନଙ୍କର ପାସପୋର୍ଟକୁ ରଦ୍ଦ କରିଦିଆଯିବ ବୋଲି କୁହାଯାଇଛି। ବର୍ତ୍ତମାନ ନିରବ ଓ ତାଙ୍କ ସହଯୋଗୀ ଯେଉଁ ଦେଶରେ ବି ଥାଆନ୍ତୁ ନା କାହିଁକି ସେମାନଙ୍କର ପାସପୋର୍ଟ ସାମୟିକ ଭାବେ ରଦ୍ଦ କରି ଦିଆଯାଇଥିବାରୁ ସେମାନେ ଅନ୍ୟଆଡ଼େ ଆଉ ପଳାଳନ କରିପାରିବେ ନାହିଁ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ରବୀସ୍‌ କୁମାର କହିଛନ୍ତି। ଗୋଟିଏ ପଟେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ନିରବ ମୋଦିଙ୍କର ବର୍ତ୍ତମାନର ଠିକଣା ଜାଣିନଥିବା ଦର୍ଶାଉଥିବା ବେଳେ ସେ ନ୍ୟୁୟର୍କରେ ଥିବା ନେଇ କିଛି ଗଣମାଧ୍ୟମ ଦାବି କରିଛନ୍ତି। ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡ଼ି) ନିରବ ମୋଦିଙ୍କ ନାମରେ ସମନ ଜାରି କରିଛି। ନିରବ ମୋଦିଙ୍କର ବାସଭବନ ସମେତ ବିଭିନ୍ନ ଗୋଦାମ ଓ ଜୁଏଲାରିରେ ଆୟକର ବିଭାଗ ଚଢଉ ଜାରି ରଖିଛି । ନିରବ ବ୍ୟାଙ୍କକୁ ଠକିଥିବା ଅର୍ଥ ନ ମିଳିବା ଯାଏଁ ଏହି ଚଢଉ ଜାରି ରହିବ ବୋଲି ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ଗତକାଲି ସୁଦ୍ଧା ଦେଶର ଭିନ୍ନ ଭିନ୍ନ ୨୧ଟି ସ୍ଥାନରେ ଚଢାଉ କରି ସିବିଆଇ ଓ ଆୟକର ବିଭାଗ ନିରବ ମୋଦିଙ୍କ ୫ ହଜାର ଶହେ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛନ୍ତି। ତଦନ୍ତ ପରେ ଜଣାପଡ଼ିଛି ଯେ, ଏହି ଠକେଇ ମାମଲାର ଅନ୍ୟତମ ଅଭିଯୁକ୍ତ ମେହୁଲ ଚୌକସୀ ୨୦୧୨ ମସିହାରେ ମୁମ୍ବାଇ ଆୟକର ବିଭାଗର ସ୍କାନର୍‌କୁ ଆସିଥିଲେ। ବିଦେଶରୁ ବିପୁଳ ମାତ୍ରାରେ ହୀରା ଓ ମୂଲ୍ୟବାନ ପଥର ଆମଦାନୀ ବେଳେ ସରକାରୀ ଟିକସ ଠକିଥିବା ନେଇ ତାଙ୍କ ନାମରେ ଅଭିଯୋଗ ହୋଇଥିଲା।

ୟୁପିଏରେ ଆରମ୍ଭ, ଏନ୍‌ ଡିଏରେ କାୟାବିସ୍ତାର

ନୂଆଦିଲ୍ଲୀ: ପଂଜାବ ନ୍ୟାସ୍‌ନାଲ ବ୍ୟାଙ୍କରେ ହୋଇଥିବା ଦେଶର ସବୁଠାରୁ ବଡ଼ ବ୍ୟାଙ୍କିଙ୍ଗ୍‌ ଦୁର୍ନୀତି ନେଇ ଧୀରେ ଧୀରେ ଅନେକ ତଥ୍ୟ ସାମ୍ନାକୁ ଆସୁଛି। କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳଗୁଡ଼ିକ ମୋଦି ସରକାରଙ୍କୁ ଏହି ଦୁର୍ନୀତି ପାଇଁ ଦାୟୀ କରୁଥିବା ବେଳେ ଦୁର୍ନୀତିର ଆରମ୍ଭ ଅସଲରେ ୟୁପିଏ ସରକାର ଅମଳରେ ହିଁ ହୋଇଥିଲା ବୋଲି ଆହ୍ଲାବାଦ ବ୍ୟାଙ୍କର ପୂର୍ବ ନିର୍ଦ୍ଦେଶକ ଦିନେଶ ଦୁବେ କହିଛନ୍ତି। ୟୁପିଏ ସରକାର ସମୟରେ ଏହି ଦୁର୍ନୀତିର ସୂତ୍ରପାତ ହୋଇଥିଲା ଏବଂ ବ୍ୟାପକ ଜାଲିଆତି ପ୍ରକ୍ରିୟା ଦେଇ ଏହାର ଚେର ମଜବୁତ ହେବାପରେ ଏନ୍‌୍‌ଡିଏ ସରକାର ଅମଳରେ ଏହାର କାୟାବିସ୍ତାର ହୋଇଥିଲା ବୋଲି ସେ କହିଛନ୍ତି। ପଂଜାବ ନ୍ୟାସନାଲ ବ୍ୟାଙ୍କରେ ୧୧, ୩୫୬ କୋଟି ଟଙ୍କା ହେରଫେର ମାମଲା ରାତାରାତି ସୃଷ୍ଟି ହୋଇନାହିଁ ଏବଂ ଏହି ବିଶାଳ ଦୁର୍ନୀତି ସଂପର୍କରେ ସରକାର ଓ ରିଜର୍ଭ ବ୍ୟାଙ୍କରେ ଅଭିଯୋଗ ଦାଖଲ ହୋଇଥିଲା ବୋଲି ଦୁବେଙ୍କ ବୟାନକୁ ନେଇ ରାଜନୀତି ସରଗରମ ହୋଇଛି । ୟୁପିଏ ସରକାର ସମୟରେ ଜନ୍ମ ନେଇ ଆଗକୁ ବଢ଼ିଥିବା ଏହି ଦୁର୍ନୀତି ୧୦ରୁ ୧୫ଗୁଣ ଅଧିକ କାୟାବିସ୍ତାର କରିବା ପରେ ଯାଇ ଧରାପଡ଼ିଥିଲା। ୨୦୧୩ରେ ଏହି ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ନିରବ ମୋଦିଙ୍କ ଗୀତାଞ୍ଜଳି ଜେମ୍‌୍‌ସ ବାବଦରେ ଆର୍‌ବିଆଇ ଏବଂ ସରକାରଙ୍କୁ ଅବଗତ କରାଯାଇଥିଲା କିନ୍ତୁ ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା।
ପିଏନ୍‌ବି ଜାଲିଆତି ଏବଂ ନିରବ ମୋଦିଙ୍କ ସଂପର୍କରେ ୨୦୧୬ରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମେତ ବିଭିନ୍ନ ତଦନ୍ତକାରୀ ସଂସ୍ଥାକୁ ବେଙ୍ଗାଲୁରୁର ଅଳଙ୍କାର ବ୍ୟବସାୟୀ ହରି ପ୍ରସାଦ ଅବଗତ କରାଇଥିଲେ । ତେବେ କୌଣସି ପଦକ୍ଷେପ ନେବାପାଇଁ ସେତେବେ ଆଗ୍ରହ ପ୍ରକାଶ କରାଯାଇ ନଥିଲା। ନିରବ ମୋଦି , ତାଙ୍କ ପତ୍ନୀ ଏବଂ ଭାଇଙ୍କୁ ପଂଜାବ ନ୍ୟାସନାଲ ବ୍ୟାଙ୍କର ୨୮୦ କୋଟି ଟଙ୍କା ଠକି ନେବା ମାମଲାରେ ସିବିଆଇ ମକଦ୍ଦମା ରୁଜୁ କରିଥିବା ବେଳେ ତଦନ୍ତକାରୀ ସଂସ୍ଥାର ଢିଲା ନୀତି ଯୋଗୁଁ ନିରବ ମୋଦି ସପରିବାର ଦେଶ ଛାଡ଼ି ଫେରାର୍‌ ହୋଇଯିବାକୁ ସକ୍ଷମ ହୋଇଥିଲେ । ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିରବ ଫେରାର୍‌ ହେବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିଧାସଳଖ ଦାୟୀ କରି ଟ୍ଵିଟ୍‌ କରିଛନ୍ତି। ଗତକାଳି ମଧ୍ୟ ରାହୁଲ କହିଥିଲେ ଯେ ବିଜୟ ମାଲ୍ୟାଙ୍କ ଭଳି ନିରବ ମୋଦିଙ୍କୁ ମଧ୍ୟ ଫେରାର୍‌ କରାଇବାରେ କେନ୍ଦ୍ର ସରକାରଙ୍କ ହାତ ରହିଛି ।

ସମ୍ବନ୍ଧିତ ଖବର