ଅସହାୟତା ପ୍ରକାଶ କଲେ କେନ୍ଦ୍ର ସରକାର:‘ବ୍ଲୁ ହେ୍ଵଲ୍‌ ଚ୍ୟାଲେଞ୍ଜ’କୁ ବନ୍ଦ କରିହେବନି

ବିଦ୍ୟାଳୟରେ ସଚେତନତା ବ୍ୟାପକ କର: ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ‘ବ୍ଲୁ ହେ୍ଵଲ୍‌ ଚ୍ୟାଲେଞ୍ଜ୍‌’ ପରି ଘାତକ ଅନ୍‌ଲାଇନ୍‌ ଖେଳଗୁଡ଼ିକୁ ବନ୍ଦ କରିବା ସମ୍ଭବ ନୁହେଁ ବୋଲି ଆଜି କେନ୍ଦ୍ର ସରକାର ସୁପ୍ରିମ୍‌କୋର୍ଟଙ୍କୁ ଜଣାଇଛନ୍ତି। ଏହି ଖେଳଗୁଡ଼ିକ କୌଣସି ଆପ୍ଲିକେସନ୍‌ ଉପରେ ପର୍ଯ୍ୟବସିତ ହୋଇନଥିବାରୁ ତାହା ଉପରେ ଏପରି ପଦକ୍ଷେପ ନେବା ସମ୍ଭବପର ନୁହେଁ ବୋଲି ସରକାର ନିଜର ଅସହାୟତା ପ୍ରକାଶ କରିଛନ୍ତି। ଏହା ଶୁଣିବା ପରେ ମାନ୍ୟବର ସର୍ବୋଚ୍ଚ ଅଦାଲତ ଏ ସମ୍ପର୍କରେ ବିଶେଷ କରି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି ପାଇଁ ସମସ୍ତ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ ନିର୍ଦ୍ଦେଶ କରିଛନ୍ତି।
ପ୍ରତି ରାଜ୍ୟରେ ବିଦ୍ୟାଳୟ ଯାଉଥିବା ଛାତ୍ରଛାତ୍ରୀମାନେ ଯେପରି ଜୀବନର ମଧୁରତା ବିଷୟରେ ଅବଗତ ହେବା ସହ ଏହିସବୁ ପ୍ରାଣାନ୍ତକ ଖେଳର ଭୟାବହତା ସମ୍ପର୍କରେ ସାବଧାନ ହୋଇପାରିବେ, ସେଥି ନେଇ ମୁଖ୍ୟ ସଚିବମାନେ ପଦକ୍ଷେପ ନେବାକୁ କୁହାଯାଇଛି। ଏପରିକି ସବୁ ବିଦ୍ୟାଳୟରେ ‘ବ୍ଲୁ ହେ୍ଵଲ୍‌ ଚ୍ୟାଲେଞ୍ଜ୍‌’ର କୁପ୍ରଭାବ ସମ୍ପର୍କରେ ଅବଗତ କରାଇବା ପାଇଁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଯଥୋଚିତ ପଦକ୍ଷେପ ନେବାକୁ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ମଧ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର