ଗସ୍ତ ପାଇଁ ବିମାନ ବ୍ୟବହାର କରି ଏୟାର ଇଣ୍ଡିଆକୁ ୩୩ କୋଟି ଟଙ୍କା ଦେଇନାହାନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦେବାଳିଆ ହୋଇଯାଇଥିବା ସରକାରୀ ବିମାନ ପରିବହନ ସଂସ୍ଥା ଏୟାର ଇଣ୍ଡିଆ ଏବେ ବିକ୍ରି ପରେ ଟାଟା ହାତକୁ ଚାଲିଯାଇଛି। ବ୍ୟାପକ ଆର୍ଥିକ କ୍ଷତି ଯୋଗୁ ଦେଶର ସର୍ବବୃହତ ବିମାନ ସଂସ୍ଥାର ଅବସ୍ଥା ଏଭଳି ହୋଇଛି। ସୂଚନା ଅଧିକାର ଆଇନ ଅନୁସାରେ ପ୍ରାପ୍ତ ତଥ୍ୟ ଅନୁଯାୟୀ, ଏୟାର ଇଣ୍ଡିଆ ଉପରେ ୩୩.୬୯କୋଟି ଟଙ୍କା ବାକି ପକାଇଛନ୍ତି କେନ୍ଦ୍ର ସରକାର । ବିଭିନ୍ନ ସମୟରେ ବିମାନରେ ସରକାର ଯାତ୍ରା ହୋଇଥିଲେ ବି ଏୟାର ଇଣ୍ଡିଆକୁ ଭଡ଼ା ଦିଆ ଯାଇନଥିବା ଜଣାପଡ଼ିଛି। ବିଭିନ୍ନ ମନ୍ତ୍ରାଳୟର ବାକିଆ ଭଡ଼ା ଏବେ ବଢ଼ି ୩୩.୬୯କୋଟିରେ ପହଞ୍ଚିଛି। ଅବସରପ୍ରାପ୍ତ ବରିଷ୍ଠ ସେନା ଅଧିକାରୀ ଲୋକେଶ ବାତ୍ରାଙ୍କ ଏକ ଆରଟିଆଇ ଆବେଦନର ଏଭଳି  ଉତ୍ତର ରଖିଛି ଏୟାର ଇଣ୍ଡିଆ।

ଏୟାର ଇଣ୍ଡିଆ ତଥ୍ୟ ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିମାନ ଉଡ଼ାଣ ଲାଗି  ୭.୧୯କୋଟି ଟଙ୍କା ବାକି ଥିବାବେଳେ ରାଷ୍ଟ୍ରପତିଙ୍କ ବିମାନ ଉଡ଼ାଣ ପାଇଁ ୬.୧୨କୋଟି ଟଙ୍କା ଏବଂ ଉପରାଷ୍ଟ୍ରପତିଙ୍କ ବିମାନ ଉଡ଼ାଣ ପାଇଁ ୧୦.୨୧ କୋଟି ଟଙ୍କା ବାକି ରହିଛି। ମାର୍ଚ୍ଚ୧୧,୨୦୨୦ର ଏବଂ ମାର୍ଚ୍ଚ ୧୫, ୨୦୨୦ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ବିମାନ ଯାତ୍ରା ପାଇଁ ୪.୨୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ନଭେମ୍ବର ୫, ୨୦୦୮ ଏବଂ ନଭେମ୍ବର ୮, ୨୦୦୮ ମଧ୍ୟରେ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କ ବିମାନ ଯାତ୍ରା ପାଇଁ ୪.୪୫କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା।

scroll.in

ସେହିଭଳି ଅକ୍ଟୋବର ୧୪, ୨୦୧୬ ଏବଂ ଅକ୍ଟୋବର ୨୦, ୨୦୧୬ ମଧ୍ୟରେ ହମିଦ ଅନସାରୀ ଉପରାଷ୍ଟ୍ରପତି ଥିବା ବେଳେ ବିମାନ ଉଡ଼ାଣ ପାଇଁ ୫.୯୫କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଜୁଲାଇ ୨୭ ସୁଦ୍ଧା ଲୋକଙ୍କୁ ବିଭିନ୍ନ ଅଞ୍ଚଳରୁ ସୁରକ୍ଷିତ ସ୍ଥାନକୁ ଆଣିବା ଲାଗି ବ୍ୟବହୃତ ବିମାନ ପାଇଁ ୭.୨୧ କୋଟି ଏବଂ ବିଦେଶୀ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ବିମାନ ସେବା ପାଇଁ ୨.୯୪କୋଟି ଟଙ୍କା ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଉପରେ ବାକି ରହିଥିବା କହିଛି ଏୟାର ଇଣ୍ଡିଆ।

ସମ୍ବନ୍ଧିତ ଖବର