ଜୀବନକୁ ବାଜି ଲଗାଇଲେ କହ୍ନୈୟା, ଜ୍ୱର ପୀଡ଼ିତକୁ ଧରି ପୋଲରେ ଦୌଡ଼ିଲେ

ଥିରୁଅନନ୍ତପୁରମ୍‌: କେରଳରେ ଏବେ ଏନ୍‌ଡିଆର୍‌ଏଫ୍‌ ଅଧିକାରୀ କେହ୍ନୟା କୁମାରଙ୍କୁ ନେଇ ଚର୍ଚ୍ଚା। ଜଣେ ପିଲାକୁ ବଞ୍ଚାଇବା ପାଇଁ ସେ ନିଜ ଜୀବନକୁ ବାଜି ଲଗାଇ ଦେଇଛନ୍ତି। କେରଳର ଇଡୁକିଠାରେ ଏଭଳି ଘଟଣା ଘଟିଛି। ଇଡୁକିର ଜଣେ ପିଲା ଭୀଷଣ ଜ୍ୱରରେ ପୀଡ଼ିତ ଥିଲା। ତାକୁ କୌଣସିମତେ ହସ୍ପିଟାଲ୍‌ ନିଆଯିବାର ଥିଲା। କିନ୍ତୁ ରାସ୍ତାରେ ଏକ ପୋଲ ପଡ଼ିଥିଲା, ଯାହା ଉପରେ ଚେରୁଥୋନି ଡ୍ୟାମ୍‌ର ବନ୍ୟା ଜଳ ପ୍ରବାହିତ ହେଉଥିଲା। କୌଣସି ମୁହୂର୍ତ୍ତରେ ପୋଲଟି ବନ୍ୟାଜଳରେ ଭାସିଯିବା ଭଳି ମଧ୍ୟ ଲାଗୁଥିଲା। ତେଣୁ କେହି ବି ପିଲାଟିକୁ ପୋଲ ପାର୍‌ କରି ହସ୍ପିଟାଲ୍‌ ନେବାକୁ ସାହସ କରିନଥିଲେ। ଏହି ସମୟରେ ଦେବଦୂତ ସାଜିଥିଲେ କହ୍ନୈୟା କୁମାର। ଅଦମ୍ୟ ସାହସିକତାର ପରିଚୟ ଦେଇ ସେ ପିଲାଟିକୁ ଏକ ଚାଦରରେ ଘୋଡ଼େଇ ଛତା ଧରି ଦୌଡ଼ିବାକୁ ଆରମ୍ଭ କରିଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଲୋକେ ଆଶ୍ଚର୍ଯ୍ୟ ହେବା ସହିତ କହ୍ନୈୟାଙ୍କୁ ସାବାସି ଦେଇଥିଲେ। ଏହି ଭିଡିଓ ଏବେ ଦେଶବ୍ୟାପୀ ଭାଇରାଲ୍‌ ହେବାରେ ଲାଗିଛି। ଏ ପ୍ରସଙ୍ଗରେ କହ୍ନୈୟା କୁହନ୍ତି, ୬ ବର୍ଷ ହେଲା ମୁଁ ଏନ୍‌ଡିଆର୍‌ଏଫ୍‌ ସହ କାର୍ଯ୍ୟ କରି ଲୋକଙ୍କୁ ବଞ୍ଚାଇ ଆସୁଛି। ଏହା ମୋର କର୍ତ୍ତବ୍ୟ। ତେବେ ମୋର ଏହି କାର୍ଯ୍ୟକୁ ଭିଡିଓ ଦ୍ୱାରା ପ୍ରଦର୍ଶିତ କରାଯିବା ଫଳରେ ଏହା ଏବେ ଦେଶବ୍ୟାପୀ ଭାଇରାଲ୍‌ ହେବାରେ ଲାଗିଛି। ଲୋକମାନେ ମୋତେ ଏବେ ପ୍ରଶଂସା କରୁଛନ୍ତି। ଏହା ହିଁ ମୋ କଠିନ ପରିଶ୍ରମର ପ୍ରକୃତ ପାଉଣା। ପିଲାକୁ ବଞ୍ଚାଇବା ପ୍ରସଙ୍ଗରେ ସେ କୁହନ୍ତି, ସେ ଭୀଷଣ ଜ୍ୱରରେ ଥରୁଥିଲା। ତେଣୁ ତାକୁ ହସ୍ପିଟାଲ୍‌ ନେବା ଅତ୍ୟନ୍ତ ଜରୁରୀ ଥିଲା। ମୁଁ ହିଁ ତାକୁ ହସ୍ପିଟାଲ୍‌ ନେଇପାରିବି ବୋଲି ଭାବିଥିଲି। ତେଣୁ କାଳବିଳମ୍ବ ନ କରି ତାକୁ ହସ୍ପିଟାଲ୍‌ ନେଇଥିଲି।

ସମ୍ବନ୍ଧିତ ଖବର