ଜମ୍ମୁ କଶ୍ମୀରରେ ସ୍ଥିତି ସ୍ବାଭାବିକ ହେଉଛି ଆଜି ସ୍କୁଲ୍‌, କଲେଜ୍‌ ଖୋଲିବ

ଶ୍ରୀନଗର: ଜମ୍ମୁ କଶ୍ମୀରରେ ଏବେ ସ୍ଥିତି ନିୟନ୍ତ୍ରଣାଧୀନ ହୋଇସାରିଛି। ସବୁ ସ୍ଥାନରେ ସୁରକ୍ଷା କଡ଼ାକଡ଼ି ରହିଥିବା ବେଳେ ଧୀରେ ଧୀରେ ପରିସ୍ଥିତି ସ୍ବାଭାବିକ ହେଉଛି। କିଛି ସ୍ଥାନରେ ଦୋକାନ ବଜାର ମଧ୍ୟ ଖୋଲିଲାଣି। ଲୋକେ ସ୍ବାଭାବିକ ଚଳ ପ୍ରଚଳ କରୁଛନ୍ତି ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ସେନାମୁଖ୍ୟ ଜେନେରାଲ ବିପିନ ରାୱତ ଏନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଅବଗତ କରିଛନ୍ତି। କେନ୍ଦ୍ର ସରକାର ଲୋକମାନଙ୍କୁ ସମସ୍ତ ସହଯୋଗ ପ୍ରଦାନ କରୁଛନ୍ତି। ଜମ୍ମୁ କଶ୍ମୀରରେ ସମସ୍ତ ସ୍କୁଲ୍‌ ଓ କଲେଜ ଆସନ୍ତାକାଲି ଖୋଲିବ। ଏନେଇ ଜମ୍ମୁ କଶ୍ମୀର ପ୍ରଶାସନ ପକ୍ଷରୁ ଏକ ନିର୍ଦ୍ଦେଶାବଳୀ ଜାରି ହୋଇଛି। ସେହିପରି ସମସ୍ତ ସରକାରୀ କର୍ମଚାରୀମାନେ ପୁନର୍ବାର କାର୍ଯ୍ୟରେ ଯୋଗଦେବାପାଇଁ ଜମ୍ମୁ କଶ୍ମୀର ମୁଖ୍ୟ ସଚିବଙ୍କ ପକ୍ଷରୁ ଏକ ନିର୍ଦ୍ଦେଶାବଳୀ ଜାରି ‌ହୋଇଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍‌ ଆଜି ଶ୍ରୀନଗରରେ ବରିଷ୍ଠ ପୁଲିସ ଅଧିକାରୀମାନଙ୍କ ସହ ବୈଠକ କରିଛନ୍ତି ଏବଂ ଏଥିସହ ସିଆରପିଏଫ୍‌ ଡିଜିଙ୍କ ସହ ସିଆରପିଏଫ୍‌ ଶିବିର ଗସ୍ତ କରିଛନ୍ତି। ସେ ମଧ୍ୟ କଶ୍ମୀରରେ ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି। ଗତକାଲି ଡୋଭାଲ ସୋପିଆନ୍‌ରେ ସାଧାରଣ ଲୋକଙ୍କ ସହ କଥାବାର୍ତ୍ତା ‌କରିବା ସହ ସେମାନଙ୍କ ସହ ଭୋଜନ ମଧ୍ୟ କରିଥିଲେ।

ସମ୍ବନ୍ଧିତ ଖବର