ମୁଖ୍ୟମନ୍ତ୍ରୀଙ୍କୁ ଚାପୁଡ଼ା ଧମକ: କେନ୍ଦ୍ରମନ୍ତ୍ରୀ ରାଣେ ଗିରଫ

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ନାରାୟଣ ରାଣେଙ୍କୁ ପୁଲିସ ଆଜି ଗିରଫ କରିଛି। କୌଣସି କେନ୍ଦ୍ର ମନ୍ତ୍ରୀ ଗିରଫ ହେବାରେ ଏହା ହେଉଛି ଗତ ୨୦ ବର୍ଷ‌େ‌ର ପ୍ରଥମ ଘଟଣା। ଏକଦା ଶିବ ସେନାର ନେତା ଥିବା ରାଣେ ଗତ ଜୁଲାଇ ମାସରେ ମୋଦୀ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ। ତେବେ ଆଜି ରାତ‌ିରେ କୋର୍ଟ ତାଙ୍କୁ ଜାମିନ୍‌ ମଞ୍ଜୁର କରିଛନ୍ତି।

ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କୁ ଚାପୁଡ଼ା ମାରିବା ଲାଗି ଧମକ ଦେଇଥିବା ରାଣେଙ୍କ ନାମରେ ବିଭିନ୍ନ ଦଫାରେ ମାମଲା ରୁଜୁ ହେବା ପରେ ମଧ୍ୟାହ୍ନରେ ତାଙ୍କୁ ଗିରଫ କରାଯାଇଥିଲା।
ଡାକ୍ତରୀ ପରୀକ୍ଷା ପରେ ଆଜି ରାତିରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଉଭୟ ପକ୍ଷରୁ ଯୁକ୍ତି ଶୁଣିବା ପରେ କୋର୍ଟ ତାଙ୍କୁ ଜାମିନ ମଞ୍ଜୁର କରିଛନ୍ତି।
ଗିରଫଦାରୀକୁ ଏଡ଼ାଇବା ଲାଗି ରାଣେ ଆଜି ବମ୍ବେ ହାଇକୋର୍ଟରେ ଦ୍ବାରସ୍ଥ ହୋଇଥିଲେ। କିନ୍ତୁ ତତ୍କାଳ ଶୁଣିବା ଲାଗି ହାଇକୋର୍ଟ ମନା କରିଦେବାରୁ ନିମ୍ନ ଅଦାଲତରେ ଆଗୁଆ ଜାମିନ ଆବେଦନ କରିଥିଲେ। ତାହା ନାମଞ୍ଜୁର ହୋଇଯିବା ପରେ ପୋଲିସ ରାଣେଙ୍କୁ ଅପରାହ୍ନରେ ତାଙ୍କ ବାସଭବନରୁ ଗିରଫ କରିଥିଲା। ରାଣେଙ୍କ ବିରୋଧରେ ଆଇପିସିର ଧାରା ୫୦୦, ୫୦୨, ୧୫୩ (ବି)(୧) ଅଧୀନରେ ମାମଲା ରୁଜୁ ହୋଇଛି। ରାଣେଙ୍କୁ ଗିରଫ ପରେ ସଙ୍ଗମେଶ୍ବର ପୁଲିସ ଷ୍ଟେସନ ନିଆଯାଇଥିଲା। ଏହାପରେ ଉଚ୍ଚ ରକ୍ତଚାପ ଓ ମଧୁମେହରେ ପୀଡ଼ିତ ରାଣେଙ୍କ ସ୍ବାସ୍ଥ୍ୟ ପରୀକ୍ଷା ହୋଇଥିଲା।

ସୂଚନାଯୋଗ୍ୟ ଯେ ରାଣେ ଗତରାତିରେ ଏକ ସଭାରେ କହିଥିଲେ ଯେ ‘ସ୍ବାଧୀନତାର ୭୫ ବର୍ଷରେ ଅମୃତ ମହୋତ୍ସବକୁ ରାଜ୍ୟ ସରକାର ଯେଭଳି ଉପେକ୍ଷା କରିଛନ୍ତି ତାହା ନିନ୍ଦନୀୟ। ମୁଖ୍ୟମନ୍ତ୍ରୀ ସ୍ବାଧୀନତାର ବର୍ଷ ଗଣତି ମଧ୍ୟ ତାଙ୍କ ଭାଷଣ ବେଳେ ଭୁଲି ଯାଇଥିଲେ ଏବଂ ଏ ସଂପର୍କରେ ପାଖରେ ଥିବା ଅଧିକାରୀଙ୍କୁ ପଚାରିଥିଲେ। ଯଦି ମୁଁ ସେଠାରେ ଥାଆନ୍ତି ତା’ହେଲେ ସେଥିପାଇଁ ତାଙ୍କୁ ଚାପୁଡ଼ା ମାରିଥାନ୍ତି’। ରାଣେଙ୍କ ଏଭଳି ବୟାନକୁ ନେଇ ମହାରାଷ୍ଟ୍ର ରାଜନୀତିରେ ଭୂକମ୍ପ ସୃଷ୍ଟି ହୋଇଛି। ଏହା ବିରୋଧରେ ଶିବସେନା କର୍ମୀମାନେ ରାସ୍ତାକୁ ଓହ୍ଲାଇଛନ୍ତି। ମୁମ୍ବାଇର ବିଭିନ୍ନ ସ୍ଥାନରେ ଶିବ ସେନା ଏବଂ ବିଜେପି କର୍ମୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିବାର ଖବର ମିଳିଛି।
ରାଣେଙ୍କ ଏଭଳି ବୟାନକୁ ବିଜେପି ନାପସନ୍ଦ କରିଛି। କିନ୍ତୁ ତାଙ୍କୁ ଯେପରି ଗିରଫ କରାଯାଇଥିଲା ତାହାକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି।

ସମ୍ବନ୍ଧିତ ଖବର