ମାନସରୋବରରେ ବୁଡ଼ ପାଇଁ ଅନୁମତି ଦେଉନି ଚୀନ୍‌

ନୂଆଦିଲ୍ଲୀ: କୈଳାସ ମାନସରୋବର ଯାତ୍ରା ପାଇଁ ନାଥୁଲା ପାସ୍‌ ଖୋଲିବା ଲାଗି ଚୀନର ସହମତି ଥିବା ନେଇ କେନ୍ଦ୍ର ସରକାର ଘୋଷଣା କରିବାର ମାସେ ନପୁରୁଣୁ ଏହାକୁ ନେଇ ବିବାଦ ଦେଖାଦେଇଛି। ମାନସରୋବର ହ୍ରଦରେ ପବିତ୍ର ବୁଡ଼ ପାଇଁ ସେମାନଙ୍କୁ ଚୀନ୍‌ କର୍ତ୍ତୃପକ୍ଷ ଅନୁମତି ଦେଉନଥିବା ଆଜି କିଛି ଭକ୍ତ ଅଭିଯୋଗ ଆଣିଛନ୍ତି। ତେବେ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଏହି ପରିପ୍ରେକ୍ଷୀରେ ସୂଚନା ଦେଇ କହିଛନ୍ତି ଯେ, ଚୀନ୍‌ ମାନସରୋବର ହ୍ରଦରେ ବୁଡ଼ ପାଇଁ ମନା କରୁନି ବରଂ ହ୍ରଦର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ହିଁ ଭକ୍ତ ବୁଡ଼ ପକାଇ ପାରିବେ ବୋଲି ସୁଷମା କହିଛନ୍ତି। ଆଜି ସଞ୍ଜୀବ ଠାକୁର ନାମକ ଜଣେ ବ୍ୟକ୍ତି ମନ୍ତ୍ରୀ ସ୍ୱରାଜଙ୍କୁ ଟ୍ଵିଟ୍‌ କରି କହିଥିଲେ ଯେ ପୂର୍ବ ମାନସରୋବର ଯାତ୍ରାରେ ସେ ୫୦-୮୦ ଭକ୍ତଙ୍କୁ ନେଇ ଯାଇଥିଲେ। କିନ୍ତୁ ସେମାନଙ୍କୁ ହ୍ରଦରେ ବୁଡ଼ ପକାଇବାପାଇଁ ଅନୁମତି ମିଳିଲାନି। ତେବେ ଯଦି ସେମାନଙ୍କୁ ବୁଡ଼ ପକାଇବାର ଅନୁମତି ମିଳୁନି ତାହାଲେ ଯାତ୍ରା ପାଇଁ ସେମାନଙ୍କୁ ଭିସା ଅନୁମତି କାହିଁକି ମିଳୁଛି ବୋଲି ସେ ପ୍ରଶ୍ନ କରିଥିଲେ।

ସମ୍ବନ୍ଧିତ ଖବର