ଆମେରିକା ବିରୋଧରେ ଚୀନ୍‌ର କାର୍ଯ୍ୟାନୁଷ୍ଠାନ, ଚେଙ୍ଗ୍‌ଡ଼ୁରେ ଦୂତାବାସ ବନ୍ଦ କରିବାକୁ ନିର୍ଦ୍ଦେଶ

ବେଜିଂ: ଆମେରିକା ଏବଂ ଚୀନ୍‌ ମଧ୍ୟ‌ରେ ଜାରି ରହିଥିବା ବିବାଦ ଏବେ ଅତି ଜଟିଳ ରୂପ ନେଇଛି। ଉଭୟ ରାଷ୍ଟ୍ର ଏବେ ବିଭିନ୍ନ ପ୍ରସଙ୍ଗ ନେଇ ମୁହାଁମୁହିଁ ସ୍ଥିତିରେ ରହୁଛନ୍ତି। ପ୍ରଥମେ ଆମେରିକା ହ୍ୟୁଷ୍ଟନ୍‌ ସ୍ଥିତ ଚୀନ୍‌ର ଦୂତାବାସ ବନ୍ଦ କରିବାପାଇଁ ଚୀନ୍‌କୁ ନିର୍ଦ୍ଦେଶ ଦେବାପରେ ଏବେ ଚୀନ୍‌ ଆମେରିକାକୁ କଡ଼ା ଜବାବ ଦେଇଛି। ଚେଙ୍ଗ୍‌ଡ଼ୁ ସହର ସ୍ଥିତ ଆମେରିକାର ଦୂତାବାସ ବନ୍ଦ କରିବାପାଇଁ ଚୀନ୍‌ ଆମେରିକାକୁ ନିର୍ଦ୍ଦେଶ ଦେଇଛି। ଚୀନ୍‌ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି ଯେ, ଆମେରିକା ଯେଭଳି ବେଆ‌ଇନ କାମ କରିଛି ତା’ର ଜବାବ ଦେଇ ଚୀନ୍‌ ଏଭଳି ପଦକ୍ଷେପ ଗ୍ରହଣ କରିଛି। ବର୍ତ୍ତମାନ ଚୀନ୍‌-ଆମେରିକା ସମ୍ପର୍କ ଯେଭଳି ସ୍ଥିତିରେ ରହିଛି ସେଭଳି ସ୍ଥିତି ଦେଖିବାପାଇଁ ଚୀନ୍‌ କେବେ ଆଶା କରିନଥିଲା। କେବଳ ଆମେରିକା ଏସବୁ ପାଇଁ ଦାୟୀ । ଚୀନ୍‌ ପୁଣିଥରେ ଆମେରିକାକୁ ଅନୁରୋଧ କରି କହିଛି ଯେ, ଆମେରିକା ନିଜର ଭୁଲ୍‌ ନିଷ୍ପତ୍ତିକୁ ବଦଳାଇ ଦେଉ ଏବଂ ଦ୍ବିପାକ୍ଷିକ ସମ୍ପର୍କକୁ ପୁଣିଥରେ ପୂର୍ବ ସ୍ଥିତିକୁ‌ ଫେରାଇ ଆଣିବାପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁ।

ଉଲ୍ଲେଖଯୋଗ୍ୟ, ଚୀନ୍‌ ଆମେରିକାର ମେଡିକାଲ ଏବଂ ଅନ୍ୟାନ୍ୟ ଗବେଷଣା ତଥ୍ୟ ଚୋରି କରୁଥିବା ଅଭିଯୋଗରେ ଟ୍ରମ୍ପ୍‌ ପ୍ରଶାସନ ଚଳିତ ସପ୍ତାହରେ ହ୍ୟୁଷ୍ଟନ୍‌ ସ୍ଥିତ ଚୀନ୍‌ର ଦୂତାବାସ ବନ୍ଦ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ। ତେ ଆମେରିକା ଏହାର ନିଷ୍ପତ୍ତି ନବଦଳାଇଲେ ପରିଣାମ ଭୋଗିବାକୁ ପଡ଼ିବ ବୋଲି ଚୀନ୍‌ ଚେତାବନୀ ଦେଇଥିଲା। ଆମେରିକାର ଏହି ଅଭିଯୋଗକୁ ଚୀନ୍‌ ଖଣ୍ଡନ କରିଥିଲା। । ଚୀନ୍‌ର ଗୁଆଙ୍ଗ୍‌ଜୋ, ଚେଙ୍ଗ୍‌ଡ଼ୁ, ଶେନୟାଙ୍ଗ , ଉହାନ୍‌ ଏବଂ ହଂକଂରେ ଆମେରିକାର ବାଣିଜ୍ୟ ଦୂତାବାସ ରହିଛି।

ସମ୍ବନ୍ଧିତ ଖବର