ଚୀନ୍‌ ହେଲିପ୍ୟାଡ୍‌ ନିର୍ମାଣ କରୁଥିବାରୁ ‘ଚାର୍‌ଧାମ୍’ ସଡ଼କ ପ୍ରଶସ୍ତିକରଣ ଜରୁରୀ: ସୁପ୍ରିମ୍‌ କୋର୍ଟଙ୍କୁ କହିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ସୀମା ଆରପଟେ ଚୀନ୍‌ ହେଲିପ୍ୟାଡ୍‌ ଏବଂ ବ୍ୟାପକ କୋଠାବାଡ଼ି ନିର୍ମାଣ କରୁଥିବାରୁ ପ୍ରଶସ୍ତ ରାସ୍ତାର ରଣନୈତିକ ଗରୁତ୍ବ ରହିଛି ବୋଲି ମଙ୍ଗଳବାର ଦିନ କେନ୍ଦ୍ର ସରକାର ସୁପ୍ରିମ୍‌ କୋର୍ଟଙ୍କୁ କହିଛନ୍ତି।

‘ଚାର୍‌ଧାମ୍‌ ପ୍ରକଳ୍ପ ନିମନ୍ତେ ଉତ୍ତରାଖଣ୍ଡ ପର୍ବତ ମଧ୍ୟସ୍ଥ ସଡ଼କଗୁଡ଼ିକୁ ପ୍ରଶସ୍ତ କରାଯିବା ବିରୋଧରେ ଆଗତ ଏକ ପିଟିସନ୍‌ର ଶୁଣାଣି କରିବା ବେଳେ କେନ୍ଦ୍ର ସରକାରଙ୍କ ତରଫରୁ ଆଟର୍ଣ୍ଣି ଜେନେରାଲ୍‌ କେ.କେ. ବେଣୁଗୋପାଳ କହିଲେ, ସୀମା ଆରପଟେ ଚୀନ୍‌ ହେଲିପ୍ୟାଡ୍‌ ଓ କୋଠାବାଡ଼ି ନିର୍ମାଣ କରୁଛି। ତେଣୁ, ଆବଶ୍ୟକ ହେଲେ ସମରସଜ୍ଜା ଲାଗି ସେହି ସଡ଼କପଥରେ ଟ୍ରକ୍‌ ସବୁ ତୋପ, ରକେଟ୍‌ ଲଞ୍ଚର୍‌ ଏବଂ କମାଣ ନେଇ ଯିବେ।

ବନ୍ୟଜନ୍ତୁ ସମୃଦ୍ଧ ସମ୍ପୃକ୍ତ ଅଞ୍ଚଳରେ ଗଛ କଟାଯାଇ ରାସ୍ତା ପ୍ରଶସ୍ତ କରାଯାଉଥିବାରୁ ଭୂସ୍ଖଳନ ଓ ପ୍ରାକୃତିକ ସୁଷମା ପ୍ରତି ବିପଦ ସୃଷ୍ଟି ହେଉଛି ବୋଲି ଲାଭରହିତ ସଙ୍ଗଠନ ‘ସିଟିଜେନ୍‌ ଫର୍‌ ଗ୍ରିନ୍‌ ଡୁନ୍‌’ ପିଟିସନ୍‌ରେ ଦର୍ଶାଇଥିଲା। ସଙ୍ଗଠନ ତରଫରୁ ବରିଷ୍ଠ ଆଡ୍‌ଭୋକେଟ୍‌ କଲିନ୍‌ ଗନ୍‌ସାଲ୍‌ଭିସ୍‌ କହିଲେ, ଚଳିତ ବର୍ଷ ବ୍ୟାପକ ଭୂସ୍ଖଳନ ହେତୁ ପର୍ବତ ସବୁ ନଷ୍ଟ ହୋଇଯାଇଛି।

Image Courtesy of The Times of India

ସେ ଆହୁରି ମଧ୍ୟ କହିଲେ, ପରିବେଶ ଆବଶ୍ୟକତା ଦେଶର ପ୍ରତିରକ୍ଷା ପ୍ରତି ବାଧକ ହେଉ ବୋଲି ମୁଁ କହୁନାହିଁ। କିନ୍ତୁ, ପ୍ରଶସ୍ତ ରାସ୍ତା ଆବଶ୍ୟକ ବୋଲି ସେନା କଦାପି କହିନାହିଁ। ରାଜନୀତିର ଶୀର୍ଷରେ ଥିବା କେହିଜଣେ କହିଛନ୍ତି, ଚାର୍‌ ଧାମ୍‌ ଯାତ୍ରା ପାଇଁ ଆମେ ରାଜପଥ ଆବଶ୍ୟକ କରୁଛୁ। ପରେ କୁଣ୍ଠିତ ହୋଇ ସେନା ସେ କଥା କହିଛି।

ସୁପ୍ରିମ୍‌ କୋର୍ଟ କହିଲେ କି, ଏଭଳି କ୍ଷେତ୍ରରେ ପ୍ରତିରକ୍ଷା ଏବଂ ପରିବେଶ ମଧ୍ୟରେ ସନ୍ତୁଳନ ରକ୍ଷା କରାଯିବା ଆବଶ୍ୟକ। କାରଣ ତାହା ସହଜରେ ଦୃଷ୍ଟି ଗୋଚର ହେଉ ନ ଥିଲେ ମଧ୍ୟ ନଗଣ୍ୟ ନ ହୋଇଥାଇ ପାରେ।

ଗରୱାଲ୍‌ ହିମାଳୟ ଅନ୍ତର୍ଗତ ୪ଟି ତୀର୍ଥକ୍ଷେତ୍ର ଗଙ୍ଗୋତ୍ରୀ, ଯମୁନୋତ୍ରୀ, କେଦାରନାଥ ଏବଂ ବଦ୍ରିନାଥକୁ ଏହି ‘ଚାର୍‌ ଧାମ୍‌ ପ୍ରକଳ୍ପ’ ସଂଯୁକ୍ତ କରିବ। ସମୁଦାୟ ୮୯୯ କିଲୋମିଟର୍‌ ବ୍ୟାପ୍ତ ଉକ୍ତ ରାଜପଥକୁ ଡେରାଡୁନ୍‌ ନିକଟରେ ପ୍ରଶସ୍ତ କରିବା ଲାଗି କେନ୍ଦ୍ର ସରକାର ଚାହୁଁଛନ୍ତି।

ରାସ୍ତାକୁ ସମୁଦାୟ ୫ ମିଟର୍‌ ପ୍ରଶସ୍ତ କରାଯାଇ ପାରିବ ବୋଲି ପୂର୍ବରୁ ସୁପ୍ରିମ୍‌ କୋର୍ଟ କହିଥିଲେ। ଗତକାଲି ମଧ୍ୟ ସୁପ୍ରିମ୍‌ କୋର୍ଟ କହିଲେ କି, ଦେଶର ପ୍ରତିରକ୍ଷାକୁ ଆଗ ହୋଇଥିବାରୁ ଉନ୍ନତୀକରଣ ଆବଶ୍ୟକ।

ସମ୍ବନ୍ଧିତ ଖବର