ନରମୁଛି ଚୀନ୍‌ର ସ୍ବର, ଭାରତ-ଚୀନ ପରସ୍ପର ପାଇଁ ବିପଦ ନୁହନ୍ତି: ଚୀନ୍‌ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ : ଭାରତ-ଚୀନ୍‌ ସୀମା ଉତ୍ତେଜନା ଭିତରେ ଚୀନ୍‌ ପକ୍ଷରୁ ଆଜି ସଂପର୍କରେ ସୁଧାର ପାଇଁ ଏକାଧିକ ବୟାନ ଜାରି ହୋଇଛି। ଭାରତ ଓ ଚୀନ୍‌ ପରସ୍ପର ପାଇଁ ଆଦୌ ବିପଦ ନୁହନ୍ତି, ବରଂ ପରସ୍ପରର ସୁଯୋଗ ବୋଲି ଭାରତରେ ଅବସ୍ଥାପିତ ଚୀନ୍‌ ରାଷ୍ଟ୍ରଦୂତ ସନ୍‌ ୱେଣ୍ଡାଙ୍ଗ୍‌ କହିଛନ୍ତି। ଦ୍ବିପାକ୍ଷିକ ସଂପର୍କକୁ ନୂଆ ପର୍ଯ୍ୟାୟକୁ ନେବା ପାଇଁ ଗୁରୁତ୍ବାରୋପ କରି ସେ କହିଛନ୍ତି, ଏବେ ଭାରତ ଏବଂ ଚୀନ୍‌ କରୋନା ଭାଇରସ୍‌ ବିରୋଧରେ ଏକାଠି ଲଢ଼େଇ କରୁଛନ୍ତି। ଦୁଇ ଦେଶ ମଧ୍ୟରେ ସଂପର୍କକୁ ଅଧିକ ମଜବୁତ କରିବା ପାଇଁ ଅନେକ କାରଣ ରହିଛି। ଭାରତ ଓ ଚୀନ୍‌ କଦାପି ପରସ୍ପରର ବିବାଦର କାରଣ ହୋଇପାରିବେ ନାହିଁ, ଜଣେ ଅନ୍ୟ ଜଣଙ୍କ ପାଇଁ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରିପାରିବେ ବୋଲି ସେ କହିଛନ୍ତି।

ଲଦାଖ୍‌ ସୀମାରେ ଚୀନ୍‌ ସେନା ଠୁଳ କରି ଅଯଥା ଉତ୍ତେଜନା ବଢ଼ାଇବାରୁ ଭାରତ ଚୀନ୍‌ ବିରୋଧରେ କୂଟନୈତିକ ଯୁଦ୍ଧ ଆରମ୍ଭ କରିବାକୁ ସଙ୍କେତ ଦେବାପରେ ଆଜି ଅଚାନକ ଚୀନ୍‌ର ସ୍ବର ନରମି ଯାଇଛି। ସୀମା ବିବାଦକୁ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଚୀନ୍‌ ଏବେ ଗୁରୁତ୍ବାରୋପ କରିଛି। ଚୀନ୍‌ ଗତକାଲି ୧୯୬୨ ଯୁଦ୍ଧ କଥା ଉଲ୍ଲେଖ କରି ଭାରତ ଉପରେ ଚାପ ସୃଷ୍ଟି କରିବାକୁ ପ୍ରୟାସ କରିଥିବା ବେଳେ ଆଜି ହଠାତ ପାରସ୍ପରିକ ସହଯୋଗ, ବୁଝାମଣା ଏବଂ ଦ୍ବିପାକ୍ଷିକ ସଂପର୍କ ବୃଦ୍ଧି ଉପରେ ଗୁରୁତ୍ବ ଦେବା ଚର୍ଚ୍ଚାର ବିଷୟ ହୋଇଛି। ଚୀନ୍‌ ବିଦେଶ ମନ୍ତ୍ରାଳୟ ମଧ୍ୟ ଉଭୟ ଦେଶର ସଂପର୍କ ସୁଦୃଢ଼ ଏବଂ ଯେ କୌଣସି ସମସ୍ୟାର ସମାଧାନ ପାଇଁ ସକ୍ଷମ ବୋଲି ମତ ଦେଇଛି।

ସମ୍ବନ୍ଧିତ ଖବର