ମୋବାଇଲ କମ୍ପାନିଙ୍କ ଉପରେ ଭାରତର କଟକଣାକୁ ଚୀନର ବିରୋଧ

ନୂଆଦିଲ୍ଲୀ : ଚୀନର ମୋବାଇଲ କମ୍ପାନିମାନଙ୍କ ଉପରେ କଟକଣା ଲାଗୁ ପାଇଁ ଭାରତ ସରକାର ବିଚାର କରୁଥିବା ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ଚୀନ ସରକାର । ଚୀନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର କହିଛନ୍ତି ଯେ ଭାରତ ଓ ଚୀନ ମଧ୍ୟରେ ଦ୍ପିପାକ୍ଷିକ ବାଣିଜ୍ୟ କାରବାର ପରସ୍ପର ପ୍ରତି ଲାଭଦାୟକ । ଚୀନ କମ୍ପାନିମାନଙ୍କ ପ୍ରତି ଭାରତ ସରକାର ମୁକ୍ତ, ନ୍ୟାୟସଂଗତ ଓ ନିରପେକ୍ଷ ବ୍ୟବସାୟିକ ଓ ପୁଞ୍ଜିନିବେଶଗତ ବାତାବରଣ ଯୋଗାଇବାକୁ ଆମେ ଭାରତ ସରକାରଙ୍କୁ ନିବେଦନ କରୁଛୁ । ଚୀନ କମ୍ପାନିଙ୍କ ନ୍ୟାୟସଂଗତ ଅଧିକାର ଓ ସ୍ବାର୍ଥ ରକ୍ଷା ପାଇଁ ଆମେ ସହାୟତା କରିବୁ ।

ଦୁଇ ଦିନ ତଳେ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଭାରତରେ ଚୀନ ମୋବାଇଲ କମ୍ପାନିଙ୍କ ଆଧିପତ୍ୟ ରୋକିବାକୁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି ଭାରତ ସରକାର । ସରକାରଙ୍କ ଯୋଜନା ଅନୁସାରେ ଚୀନ କମ୍ପାନିମାନେ ୧୨ ହଜାର ଟଙ୍କାରୁ କମ ମୂଲ୍ୟର ମୋବାଇଲ ଭାରତରେ ବିକି ପାରିବେ ନାହିଁ । ଏହା ଫଳରେ ଭାରତୀୟ ମୋବାଇଲ କମ୍ପାନିମାନେ ଏହି ସେଗମେଣ୍ଟରେ ପୁଣି ଥରେ ବ୍ୟବସାୟ କରିପାରିବେ ।

ଭାରତ ସରକାର ଯଦି ଏହି ନିଷ୍ପତ୍ତି ନିଅନ୍ତି ତେବେ ତାହା ଚୀନ କମ୍ପାନିମାନଙ୍କ ବ୍ୟବସାୟକୁ ଗୁରୁତରଭାବେ ପ୍ରଭାବିତ କରିବ । କାରଣ ଭାରତର ଅଧିକାଂଶ ସ୍ମାର୍ଟଫୋନ ବଜେଟ ସେଗମେଣ୍ଟ୍ ଅର୍ଥାତ ୧୨ ହଜାର ଟଙ୍କାରୁ କମ ମୂଲ୍ୟରେ ବିକ୍ରି ହୋଇଥାଏ । ଏହି ସେଗମେଣ୍ଟକୁ ଚୀନ କମ୍ପାନିମାନେ କବଜା କରିରଖିଛନ୍ତି ଓ ଏଥିରୁ ବିପୁଳ ରାଜସ୍ବ ଚୀନକୁ ଯାଉଛି । ଏଣୁ ଭାରତର ଏହି ଯୋଜନା ଚୀନକୁ ଚିନ୍ତାରେ ପକାଇଦେଇଛି ।

 

 

ସମ୍ବନ୍ଧିତ ଖବର