ଚୀନର ଦାଦାଗିରି : ଭିଏତନାମର ଜାହାଜକୁ ଆକ୍ରମଣ କରି ବୁଡ଼ାଇଦେଲା

ହାନୋଇ : ସମଗ୍ର ଏସିଆରେ ଚୀନର ଦାଦାଗିରି ବଢିଚାଲିଛି । କେବଳ ଭାରତୀୟ ସୀମାରେ ନୁହେଁ, ନିଜର ଅନ୍ୟ ପଡ଼ୋଶୀମାନଙ୍କ ଉପରେ ଅତ୍ୟାଚାର କରିଚାଲିଛି ।

ରବିବାରଦିନ ଚୀନ ଭିଏତନାମର ଏକ ମାଛଧରା ଜାହାଜକୁ ଆକ୍ରମଣ କରି ବୁଡ଼ାଇଦେଇଛି । ଏହି ଜାହାଜଟି ଚୀନର ଜଳସୀମା ମଧ୍ୟରେ ବୁଲୁଥିବାରୁ ତାହାକୁ ବୁଡ଼ାଇ ଦିଆଯାଇଥିବା ଚୀନ ପକ୍ଷରୁ କୁହାଯାଇଛି । କିନ୍ତୁ ଏହା ଅନ୍ତର୍ଜାତୀୟ ଜଳସୀମାରେ ଥିବା ଭିଏତନାମ କହିଛି । ବିବାଦୀୟ ପାରାସେଲ ଅନ୍ତର୍ଗତ ଲିଙ୍କନ ଟାପୁ ନିକଟରେ ଗତ ବୁଧବାରଦିନ ଏହି ଘଟଣା ଘଟିଥିବା ଜଣାଯାଇଛି ।

ଭିଏତନାମ ଖବରକାଗଜ ଟୁଇ ଟ୍ରେର ରିପୋର୍ଟ ଅନୁସାରେ ଏହି ଭିଏତନାମ ମାଛଧରା ଜାହାଜର କ୍ୟାପଟେନ କହିଛନ୍ତି ଯେ ଚୀନର ୪୦୦୬ ନାମକ ଜାହାଜ ତାଙ୍କ ମାଛଧରା ଜାହାଜକୁ ପିଛା କରିବା ସହ ତାହାକୁ ଆକ୍ରମଣକରି ବୁଡ଼ାଇଦେଇଥିଲେ । ଏହା ପୂର୍ବରୁ ସେମାନେ ମାଛଧରା ଜାହାଜରେ ଥିବା ୧୬ ଜଣ କର୍ମଚାରୀଙ୍କୁ ଜବରଦସ୍ତି ପାଣିକୁ ଡେଇଁବାକୁ ବାଧ୍ୟ କରିଥିଲେ ।

ଗତ ଏପ୍ରିଲ ୨ରେ ମଧ୍ୟ ଚୀନ ଭିଏତନାମର ଏକ ଜାହାଜକୁ ବୁଡ଼ାଇଦେଇଥିଲା ।

ଚୀନ ସମଗ୍ର ଦକ୍ଷିଣ ଚୀନ ସାଗରକୁ ନିଜର ଅଞ୍ଚଳ ବୋଲି କହୁଛି । ଏହା ମଧ୍ୟରେ ଥିବା ପାରାସେଲ ଓ ସ୍ପାର୍ଟଲି ଦ୍ୱୀପକୁ ନିଜର କ୍ଷେତ୍ର ବୋଲି କହୁଛି । ଅନ୍ୟପକ୍ଷରେ ଭିଏତନାମ ଓ ଫିଲିପାଇନ୍ସ ମଧ୍ୟ ଏହି ଅଞ୍ଚଳକୁ ନିଜର ସାର୍ବଭୌମ କ୍ଷେତ୍ର ମଧ୍ୟରେ ଆସୁଛି ବୋଲି କହୁଛନ୍ତି । ଏ ଅଂଚଳରେ ଆମେରିକୀୟ ଯୁଦ୍ଧ ଜାହାଜ ମଧ୍ୟ ବିଚରଣ କରୁଛି ।

ସମ୍ବନ୍ଧିତ ଖବର