ବେଜିଂ: ଚୀନ୍ କମ୍ୟୁନିଷ୍ଟ ପାର୍ଟିର ସର୍ବସମ୍ମତ ଅନୁମୋଦନକ୍ରମେ ଜି ଜିନ୍ପିଙ୍ଗ ଦ୍ୱିତୀୟ ବାର ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପ୍ରଥମ ଦିବସରେ ଜିନ୍ପିଙ୍ଗ୍ ବରିଷ୍ଠ ସାମରିକ ଅଧିକାରୀମାନଙ୍କୁ ଉଦ୍୍ବୋଧନ ଦେଇ ଚୀନ୍ ସେନାକୁ ଯୁଦ୍ଧ ପାଇଁ ସଂପୂର୍ଣ୍ଣ ତୟାର ରହିବାକୁ କହିଛନ୍ତି। ବିଶ୍ୱର ସର୍ବଶ୍ରେଷ୍ଠ ରଣକୌଶଳ ସହ ଚୀନ୍ ସେନା ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ସର୍ବାଧିକ ସତର୍କ ରହିବାକୁ ଜିନ୍ପିଙ୍ଗ କହିଛନ୍ତି। ପିପୁଲ୍୍ସ ଲିବେରେସନ ଆର୍ମି (ପିଏଲ୍୍ଏ)କୁ ଶକ୍ତିଶାଳୀ କରିବା ଏବଂ ସେନା ଉପରେ ଜିନ୍ପିଙ୍ଗଙ୍କ ସଂପୂର୍ଣ୍ଣ ନିୟନ୍ତ୍ରଣ ଜାରି ରଖିବା ପାଇ ଯୋଜନା କାର୍ଯ୍ୟକାରୀ ହୋଇଛି ବୋଲି ସାମରିକ ପ୍ରବକ୍ତା ରେନ୍ କୁୟାଂ କହିଛନ୍ତି। ଜିନପିଙ୍ଗ୍ ସାମରିକ ଅଧିକାରୀଙ୍କୁ ଉଦ୍୍ବୋଧନ ଦେଇ କହିଛନ୍ତି ପିଏଲ୍ଏକୁ ଆଗାମୀ କିଛି ବର୍ଷ ମଧ୍ୟରେ ବିଶ୍ୱର ସର୍ବଶ୍ରେଷ୍ଠ ଓ ସର୍ବଶକ୍ତିଶାଳୀ ସେନା ଭାବେ ପରିଣତ କରିବାକୁ ପ୍ରୟାସ ଜାରି ରହିବ। ପିଏଲ୍ଏର ଭବିଷ୍ୟ ବିକାଶ ପାଇଁ ନୂଆ ରଣନୀତିରେ କାର୍ଯ୍ୟ କରିବାକୁ ଜିନ୍ପିଙ୍ଗ ଗୁରୁତ୍ୱାରୋପ କରିଛନ୍ତି। ସେନା ଅଧିକାରୀମାନେ ଚୀନ୍ କମ୍ୟୁନିଷ୍ଟ ପାର୍ଟି ପ୍ରତି ସର୍ବାଧିକ ଆନୁଗତ୍ୟ ରଖିବାକୁ ଜିନ୍ପିଙ୍ଗ୍ ପରାମର୍ଶ ଦେଇଛନ୍ତି। ସେନା ତା’ର ନିୟମକୁ କଠୋରତାର ସହ ପାଳନ କରିବାକୁ ମଧ୍ୟ ସେ କହିଛନ୍ତି। ଚୀନ୍ ରାଷ୍ଟ୍ରପତିଙ୍କ ଏହି ବୟାନ ନେଇ ଭାରତ ସରକାର ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ବିଦେଶ ମନ୍ତ୍ରାଳୟ ପ୍ରବକ୍ତା କହିଛନ୍ତି ଯେ ବିକାଶ ପାଇଁ ଶାନ୍ତି ଓ ସ୍ଥିରତା ହିଁ ସର୍ବାଧିକ କାମ୍ୟ ଏବଂ ଏ ଦିଗରେ ଚୀନ୍ କାର୍ଯ୍ୟ କରିବ ବୋଲି ଭାରତ ଆଶାବାଦୀ। ଡୋକଲାମ ବିବାଦର ସମାଧାନ ପରେ ସେଠାରେ ସ୍ଥିତି ସ୍ୱାଭାବିକ ରହିଛି ଏବଂ କୌଣସି ଉତ୍ତେଜନା ନାହିଁ ବୋଲି ଭାରତ ସ୍ପଷ୍ଟ କରିଛି।
୬୪ ବର୍ଷୀୟ ଜିନ୍ପିଙ୍ଗ୍ ଦ୍ୱିତୀୟ ବାର ରାଷ୍ଟ୍ରପତି ର୍ନିବାଚିତ ହେବାପରେ ପ୍ରଥମ ମେଗା କାର୍ଯ୍ୟକ୍ରମରେ ସାମରିକ ଅଧିକାରୀଙ୍କ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ଲଗାତାର ଦ୍ୱିତୀୟ ବାର କାର୍ଯ୍ୟକାଳ ସହ ଜିନପିଙ୍ଗ୍ ଚୀନ୍ର ସବୁଠାରୁ ଶକ୍ତିଶଳୀ ନେତାଭାବେ ପରିଗଣିତ ହୋଇଥିବା ବେଳେ ପିଏଲ୍ଏ ଉପରେ ପୂର୍ବାପେକ୍ଷା ତାଙ୍କର ପ୍ରଭାବ ଅଧିକ ରହିବ ବୋଲି କୁହାଯାଉଛି । ଜିନ୍୍ପିଙ୍ଗଙ୍କ ନାମ ଓ ରାଜନୈତିକ ଆଦର୍ଶକୁ ଚୀନ୍ ସମ୍ବିଧାନରେ ଅନ୍ତର୍ଭୁକ୍ତ କରାଯାଇଥିବାରୁ ଏବେ ସେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ନେତାଭାବେ ମଧ୍ୟ ପରିଗଣିତ ହୋଇଛନ୍ତି। ୧୯୪୯ରେ ‘ପିପୁଲ୍ସ ରିପବ୍ଲିକ୍ ଅଫ୍ ଚାଇନା’ର ପ୍ରତିଷ୍ଠା କରିଥିବା ମାଓ ସେ ତୁଙ୍ଗଙ୍କ ନାମ ମଧ୍ୟ ସମ୍ବିଧାନରେ ସାମିଲ ହୋଇନଥିବା ବେଳେ ଜିନ୍ପିଙ୍ଗ ଏହି ବିରଳ ସମ୍ମାନର ଅଧିକାରୀ ହେବାକୁ ସକ୍ଷମ ହୋଇଛନ୍ତି। ଜିନ୍ପିଙ୍ଗଙ୍କ୍ ସହିତ ଲି କ୍ୱିଂଗ ମଧ୍ୟ ମଧ୍ୟ ଦ୍ୱିତୀୟ ବାର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଜିନ୍ପିଙ୍ଗ ଏବଂ ଲି ୨୦୧୨ରେ କ୍ଷମତାକୁ ଆସିଥିଲେ ଏବଂ ସେମାନେ ୨୦୨୨ ପର୍ଯ୍ୟନ୍ତ କ୍ଷମତାରେ ରହିବେ। ୨୦୨୨ ସୁଦ୍ଧା ଚୀନ୍ରେ ବଡ଼ ଧରଣର ସାମରିକ ସଂସ୍କାର ଆଣିବା ପାଇଁ ଜିନ୍ପିଙ୍ଗ ଯୋଜନା କରୁଛନ୍ତି। ଚୀନ୍ରେ ପ୍ରାୟ ୨୩ ଲକ୍ଷ ସେନା ରହିଥିବା ବେଳେ ଯୋଜନାବଦ୍ଧ ଭାବେ ୩ ଲକ୍ଷ ସୈନିକଙ୍କୁ ଛଟେଇ କରାଯାଇଛି ।