ପାକିସ୍ତାନକୁ ୪ଟି ଆଟାକ୍ ଡ୍ରୋନ୍ ଯୋଗାଇ ଦେବ ଚୀନ୍

ନୂଆଦିଲ୍ଲୀ: ଚୀନ୍‌-ପାକିସ୍ତାନ ଇକୋନମିକ୍ କରିଡର୍ ଏବଂ ଗ୍ବାଦର୍ ବନ୍ଦରରେ ଥିବା ପପୁଲ୍ସ ଲିବରେସନ୍ ଆର୍ମି ନେଭିର ନୂଆ ଘାଟିର ସୁରକ୍ଷା ନିମନ୍ତେ ଚୀନ୍ ପାକିସ୍ତାନକୁ ୪ଟି ସଶସ୍ତ୍ର ଡ୍ରୋନ୍ ଯୋଗାଇ ଦେବା ଲାଗି ପ୍ରସ୍ତୁତି ଚଳାଇଥିବା କଥା ଶନିବାର ଦିନ ଜଣାପଡ଼ିଛି।

ପାକିସ୍ତାନ ବାୟୁସେନା ବ୍ୟବହାର ପାଇଁ ଚୀନ୍ ‘ୱିଙ୍ଗ୍ ଲୁଙ୍ଗ୍-ଟୁ’ର ସାମରିକ ସଂସ୍କରଣ ୪୮ ଜିଜେ-ଟୁ ଡ୍ରୋନ୍ ଡିଜାଇନ୍ କରିଥିଲା। ଏହାକୁ ଚୀନ୍ ଓ ପାକିସ୍ତାନ ମିଳିତ ଭାବେ ନିର୍ମାଣ କରିଥାଆନ୍ତେ ବୋଲି ଯୋଜନା ଥିଲା। କିନ୍ତୁ, ତା’ପୂର୍ବରୁ ଚୀନ୍ ପାକିସ୍ତାନକୁ ଦୁଇଟି ସିଷ୍ଟମ୍ ( ପ୍ରତ୍ୟେକରେ ଦୁଇଟି ଲେଖାଏଁ ଡ୍ରୋନ୍ ଏବଂ ଗୋଟିଏ ଗ୍ରାଉଣ୍ଡ୍‌ ଷ୍ଟେସନ୍ ଥିବା) ଯୋଗାଇବାକୁ ଉଦ୍ୟମ କରୁଛି।

Image Courtesy of Hindustan Times

ଏହା ବ୍ୟତିରେକେ, ଚୀନ୍ ଇତିମଧ୍ୟରେ ଏସିଆ ଏବଂ ପଶ୍ଚିମ ଏସିଆରେ କେତେକ ଦେଶକୁ ପାଟ୍ରୋଲିଙ୍ଗ୍ ଏବଂ ଷ୍ଟ୍ରାଇକ୍ ଡ୍ରୋନ୍ ‘ୱିଙ୍ଗ୍ ଲୁଙ୍ଗ୍-ଟୁ’ ବିକ୍ରୟ କରି ସଶସ୍ତ୍ର ଡ୍ରୋନ୍ ରପ୍ତାନିକାରୀ ଭାବେ ନିଜକୁ ପ୍ରତିପାଦିତ କରି ସାରିଛି। ‘ଷ୍ଟକ୍‌ହୋମ୍ ଇଣ୍ଟର୍‌ନ୍ୟାସ୍‌ନାଲ୍ ପିସ୍ ରିସର୍ଚ ଇନ୍‌ଷ୍ଟିଚ୍ୟୁଟ୍’ ଅସ୍ତ୍ରଶସ୍ତ୍ର ସ୍ଥାନାନ୍ତର ଡାଟାବେସ୍ ଅନୁସାରେ, ୨୦୦୮ ରୁ ୨୦୧୮ ମଧ୍ୟରେ କାଜାଖସ୍ତାନ, ତୁର୍କମେନିସ୍ତାନ, ଆଲ୍‌ଜେରିଆ, ସାଉଦି ଆରବ ଏବଂ ୟୁନାଇଟେଡ୍ ଆରବ ଏମିରେଟ୍‌ସ୍ ସମେତ ଡଜନାଧିକ ଦେଶକୁ ଚୀନ୍ ୧୬୩ ୟୁଏଭି ଯୋଗାଇ ଦେଇଛି। କୁହାଯାଉଛି, ଚୀନ୍‌ର ଆଟାକ୍ ଡ୍ରୋନ୍‌ରେ ଆକାଶରୁ ଭୂପୃଷ୍ଠକୁ ନିକ୍ଷେପ ହେବା ପରି ୧୨ଟି କ୍ଷେପଣାସ୍ତ୍ର ରହିଛି।

ଏହାକୁ ଦୃଷ୍ଟିରେ ରଖି ଭାରତ ଆମେରିକା ଠାରୁ ଶସ୍ତ୍ରବାହୀ ପ୍ରିଡାଟର୍-ବି ଡ୍ରୋନ୍ ଖରିଦ କରିବାକୁ ପୁଶି ଆଗ୍ରହ ପ୍ରକାଶ କରିଛି। ଏହି ଡ୍ରୋନ୍ ସର୍ଭିଲେନ୍‌ସ ଜରିଆରେ ଗୁଇନ୍ଦା ତଥ୍ୟ ସଂଗ୍ରହ କରିବା ସହ କ୍ଷେପଣାସ୍ତ୍ର କିଂବା ଲେଜର୍ ଗାଇଡେଡ୍ ବୋମା ଦ୍ବାରା  ଆକ୍ରମଣ ସ୍ଥଳ ଚିହ୍ନଟ କରି ତାହାକୁ ଧ୍ବଂସ କରିପାରିବ।

ସମ୍ବନ୍ଧିତ ଖବର