ଗଲ୍‌ୱାନ୍‌ରେ ଚୀନ୍‌ ପତାକା ଉତ୍ତୋଳନ କରିବାରୁ ‘ବିଜେପି’ ନେତୃତ୍ବାଧୀନ ସରକାରଙ୍କୁ ସମାଲୋଚନା କଲେ ବିରୋଧୀ

ନୂଆଦିଲ୍ଲୀ: ଦାବି ଜାହିର କରିବା ଲାଗି ଚୀନ୍‌ ଜାନୁଆରି ୧ ତାରିଖ ଦିନ ପୁନର୍ବାର ଗଲ୍‌ୱାନ୍‌ ଉପତ୍ୟକାରେ ତା’ର ଜାତୀୟ ପତାକା ଉତ୍ତୋଳନ କରିବାରୁ ବିରୋଧୀ ଦଳ ସବୁ ‘ବିଜେପି’ ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି।

ଚୀନ୍‌ ପତାକା ଉତ୍ତୋଳନ କାର୍ଯ୍ୟକ୍ରମର କେତେଗୁଡ଼ିଏ ଭିଡିଓ ଚୀନା ସରକାରଙ୍କ ବିଭିନ୍ନ ମୁଖପତ୍ରରେ ପ୍ରସାରଣ କରାଯାଇଥିଲା। ‘ଗ୍ଲୋବାଲ୍‌ ଟାଇମ୍‌ସ୍‌’ ଟୁଇଟ୍‌କରିଛି: ‘କଦାପି ଇଞ୍ଚେ ମାତ୍ର ଜାଗା ବି ଛାଡ଼ିବୁ’ ନାହିଁ ମନୋଭାବ ନେଇ ଭାରତ ସୀମାନ୍ତ ପାଖ ଗଲ୍‌ୱାନ୍‌ ଉପତ୍ୟକାରୁ ‘ପିପୁଲ୍‌ସ୍‌ ଲିବରେସନ୍‌ ଆର୍ମି’ର ସୈନିକମାନେ ୨୦୨୨ ଜାନୁଆରି ୧ ତାରିଖ ଦିନ ଚୀନ୍‌ବାସୀଙ୍କୁ ନବବର୍ଷ ଅଭିନନ୍ଦନ ପଠାଇଛନ୍ତି।

ଚୀନ୍‌ ସରକାରଙ୍କ ପୃଷ୍ଠପୋଷକତାରେ ପରିଚାଳିତ ଗଣମାଧ୍ୟମ ‘ଶେନ୍‌ ଶିୱେଇ’ ଟୁଇଟ୍‌ କରିଛି, ୨୦୨୨ ନବ ବର୍ଷ ଦିନ ଗଲ୍‌ୱାନ୍‌ ଉପତ୍ୟକାରେ ଚୀନ୍‌ର ଜାତୀୟ ପତାକା ଉତ୍ତୋଳନ କରାଯାଇଛି। ବେଜିଙ୍ଗ୍‌ର ସିଆନାନ୍‌ମେମ୍‌ ଛକରେ ଉଡ଼ିବା ପରଠାରୁ ଏ ଜାତୀୟ ପତାକାର ଖୁବ୍‌ ମହତ୍ତ୍ବ ରହିଛି।

Image Courtesy of WION

ଏସବୁ ଦେଖି ଭାରତରେ ଥିବା ବିରୋଧୀ ଦଳମାନେ ‘ବିଜେପି’ ନେତୃତ୍ବାଧୀନ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ମୌନ ନ ରହି ଗଲ୍‌ୱାନ୍‌ରେ ଚୀନା ଅନୁପ୍ରବେଶ ସମ୍ପର୍କରେ ପ୍ରଧାନମନ୍ତ୍ରୀ କିଛି କୁହନ୍ତୁ ବୋଲି କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ କହିଛନ୍ତି। ରବିବାର ଦିନ ସେ ଟୁଇଟ୍‌ କରିଥିଲେ, ଗଲ୍‌ୱାନ୍‌ରେ ଆମ ତ୍ରିରଙ୍ଗା ସୁନ୍ଦର ଦିଶୁଛି। ଚୀନ୍‌କୁ ଜବାବ ଦେବା ଉଚିତ। ମୋଦୀଜୀ ମୌନ ରୁହନ୍ତୁ ନାହିଁ।

ଚୀନ୍‌ ଅରୁଣାଚଳ ପ୍ରଦେଶର ୧୫ଟି ସ୍ଥାନର ପୁନଃନାମକରଣ କରିବା ପରେ ସୀମାନ୍ତରେ ଉତ୍ତେଜନା ପ୍ରକାଶ ପାଇଛି। ଅରୁଣାଚଳ ପ୍ରଦେଶ ରାଜ୍ୟ ଭାରତର ଅବିଚ୍ଛେଦ୍ୟ ଅଂଶ ବୋଲି ଦୋହରାଇ ଭାରତ ସରକାର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର