ତାଇଓ୍ବାନରେ ହାଇଆଲର୍ଟ, ଅନୁପ୍ରବେଶ କଲେ ୧୮ଟି ଚୀନ ଲଢୁଆ ବିମାନ

ତାଇପେଇ : ତାଇଓ୍ବାନ ଓ ଚୀନ ମଧ୍ୟରେ ପୁଣି ଉତ୍ତେଜନା ଦେଖାଦେଇଛି । ଚୀନର କେତେକ ଲଢୁଆ ବିମାନ ପୁଣି ଥରେ ତାଇଓ୍ବାନର ଏୟାର ଡିଫେନ୍ସ ସୀମା ମଧ୍ୟରେ ଅନୁପ୍ରବେଶ କରିଛନ୍ତି । ତାଇଓ୍ବାନର ଏଫ-୧୬ ଲଢୁଆ ବିମାନ ଗୁଡ଼ିକ ଉଡ଼ାଣ ଭରି ଚେତାବନୀ ଦେବାପରେ ଚୀନ ବିମାନଗୁଡ଼ିକ ଫେରିଯାଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ପ୍ରାୟ ଶୁକ୍ରବାରଦିନ ୧୮ଟି ଚୀନ ଲଢୁଆ ବିମାନ ତାଇଓ୍ବାନ ବାୟୁ ପ୍ରତିରକ୍ଷା କ୍ଷେତ୍ର ମଧ୍ୟକୁ ଅନୁପ୍ରବେଶ କରିଥିଲେ । ଏସବୁ ବିମାନକୁ ତାଇଓ୍ବାନର ବିମାନଗିଡ଼କ ଘଉଡେଇ ଦେଇଥିଲେ ବି ତାଇଓ୍ବାନରେ ହାଇଆଲର୍ଟ ଜାରି କରାଯାଇଛି । ଗତ ବର୍ଷ ଅକ୍ଟୋବର ମାସରେ ବି ଚୀନର ପ୍ରାୟ ୫୪ଟି ବିମାନ ଅନୁପ୍ରବେଶ କରିଥିଲେ ।

ସୂଚନାଯୋଗ୍ୟ ଯେ, ତାଇଓ୍ଵାନକୁ ଚୀନ ଅଧିକାର କରିବା ବିଷୟରେ ରାଷ୍ଟ୍ରପତି ସି ଜିନ ପିଙ୍ଗ୍  ସ୍ପଷ୍ଟ ସଂକେତ ଦେଇସାରିଛନ୍ତି । ସେ କହିଛନ୍ତି ଯେ ଏହି ସମସ୍ୟାକୁ ପରବର୍ତ୍ତି ପିଢିକୁ ଲମ୍ବାଇବାର ସମ୍ଭାବନା ନାହିଁ । ଶାନ୍ତିପୂର୍ଣ୍ଣ ଉପାୟରେ ଏହା ହେଲେ ଭଲ, କିନ୍ତୁ ଆବଶ୍ୟକ ପଡ଼ିଲେ ବଳପ୍ରୟୋଗ ମଧ୍ୟ କରିବାକୁ ଚୀନ ପଛେଇବ ନାହିଁ । ୧୯୪୯ରେ ଚୀନରେ ହୋଇଥିବା ଗୃହଯୁଦ୍ଧ ପରେ ତାଇଓ୍ଵାନ ଚୀନଠାରୁ ଅଲଗା ହୋଇ ନିଜକୁ ସ୍ୱାଧୀନ ରାଷ୍ଟ୍ର ଘୋଷଣା କରିଥିଲା । କିନ୍ତୁ ସାମ୍ରାଜ୍ୟବାଦୀ ଚୀନ କ୍ଷୁଦ୍ର ଦ୍ୱୀପ ଦେଶ ତାଇଓ୍ଵାନକୁ ନିଜର ଅଂଶ ବୋଲି ଦାବି କରୁଛି ଓ ଦିନେ ନା ଦିନେ ଏହାକୁ ଅଧିକାର କରିବାକୁ ସ୍ୱପ୍ନ ଦେଖୁଛି । ୟୁକ୍ରେନ ଉପରେ ରୁଷର ଆକ୍ରମଣ କଲା ପରି ଚୀନ ମଧ୍ୟ ତାଇଓ୍ବାନ ଉପରେ ଆକ୍ରମଣ କରିପାରେ ବୋଲି କେତେକ ବିଶେଷଜ୍ଞ ମନେ କରୁଛନ୍ତି ।

 

ସମ୍ବନ୍ଧିତ ଖବର