କୋରାପୁଟ-ବିଶାଖାପାଟଣା ପାସେଞ୍ଜରରେ ଲାଗିବ ଭିସଟାଡୋମ୍ କୋଚ୍, କେଆର୍ ରୁଟରେ ପ୍ରାକୃତିକ ସୌନ୍ଦର୍ଯ୍ୟର ଉପଭୋଗ କରିବେ ରେଳଯାତ୍ରୀ  

ସପ୍ତାହକୁ ୩ ଦିନ ଉଭୟ ପାର୍ଶ୍ବରୁ କୋଚ୍ ସହ ଗଡ଼ିବ ‌ଟ୍ରେନ୍, ସଂସଦର ଶୂନ୍ୟକାଳରେ ପ୍ରଶ୍ନ ଉଠାଇଥିଲେ ସାଂସଦ ସପ୍ତଗିରି

ରାୟଗଡ଼ା: କୋରାପୁଟ-ବିଶାଖାପାଟଣା ପାସେଞ୍ଜରରେ ଲାଗିବ ଭିସଟାଡୋମ୍ କୋଚ୍। ସପ୍ତାହକୁ ୩ ଦିନ ଏହି ଟ୍ରେନ‌ରେ ଭିସଟାଡୋମ୍ କୋଚ୍ ସଂଯୋଗ ହେବା ନେଇ ଘୋଷଣା କରିଛି ରେଳ ବିଭାଗ। ଆସନ୍ତା ୯ ତାରିଖରୁ ବିଶାଖାପାଟଣା ଏବଂ ୧୦ ତାରିଖରୁ କୋରାପୁଟରୁ ଭିସଟାଡୋମ୍ କୋଚ୍ ସହ ଗଡ଼ିବ ଟ୍ରେନ୍। ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ରେଳ ବିଭାଗ ଏହି ପଦକ୍ଷେପ ନେଇଥିବା ବେଳେ ପୂର୍ବରୁ ସଂସଦର ଶୂନ୍ୟକାଳରେ ଏ ନେଇ ପ୍ରଶ୍ନ ଉଠାଇଥିଲେ କୋରାପୁଟ ସାଂସଦ ସପ୍ତଗିରି ଉଲାକା।

ପ୍ରକୃତି କୋଳରେ ରହିଛି କୋରାପୁଟ-ରାୟଗଡ଼ା (କେଆର୍) ରେଳପଥ। ୧୭୩ କିମି ରେଳପଥ ମଧ୍ୟରେ ରହିଛି ଦୀର୍ଘତମ ସୁଡ଼ଙ୍ଗ, ପାହାଡି ଝରଣା, ଘଞ୍ଚ ଜଙ୍ଗଲ ଓ ପ୍ରାକୃତିକ ଶୋଭାରାଜି। ବର୍ଷାଦିନରେ ଭାସମାନ ମେଘର ସ୍ପର୍ଶ, ଶୀତଦିନରେ ସବୁଜ ବନାନିର ଦୃଶ୍ୟ ରେଳଯାତ୍ରୀଙ୍କୁ ବେଶ୍ ଆକର୍ଷିତ କରିଥାଏ।  ଦୀର୍ଘ ୫ ଘଣ୍ଟାର ଯାତ୍ରା ମଧ୍ୟରେ  ୧୪ଟି ଷ୍ଟେସନ, ୩୭ଟି ସୁଡଙ୍ଗ, ୩୮୫ଟି ପୋଲ ଯାତ୍ରୀଙ୍କୁ ବେଶ୍ ଆମୋଦିତ କରୁଥିବାରୁ ବର୍ଷା ଓ ଶୀତଦିନରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଥାଏ। ଦକ୍ଷିଣ-ପୂର୍ବ ରେଳପଥର ସବୁଠାରୁ ଦୀର୍ଘତମ ସୁଡ଼ଙ୍ଗ ଏହି ରେଳ ରାସ୍ତାରେ ରହିଛି। ରେଳପଥର ୨୩ ନଂ ସୁଡ଼ଙ୍ଗଟି ସବୁଠାରୁ ଦୀର୍ଘତମ। ୧୫୯୯ ମିଟର ଲମ୍ବା ଏହି ସୁଡ଼ଙ୍ଗ ଦେଇ ଟ୍ରେନ୍ ଯାତ୍ରା କରିବା ସମୟରେ ପର୍ଯ୍ୟଟକ ବେଶ୍ ମଜା ଉଠାଇଥାନ୍ତି।

ସେହିପରି ଭାଲୁମାସ୍କା-ଲେଲିଗୁମା ମଧ୍ୟରେ ରହିଥିବା ସୁଡ଼ଙ୍ଗ ଏହି ରାସ୍ତାର ଦ୍ୱିତୀୟ ବଡ ସୁଡ଼ଙ୍ଗ। କେଆର୍ ରୁଟରେ ପର୍ଯ୍ୟଟନ ଶିଳ୍ପର ବିକାଶ ସହ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଭିସଟାଡୋମ୍ କୋଚର ଆବଶ୍ୟକତା ରହିଥିବା ନେଇ ସଂସଦରେ ଯୁକ୍ତି ବାଢ଼ିଥିଲେ ସାଂସଦ ସପ୍ତଗିରି ଉଲାକା। କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଚିଠି ଲେଖି ମଧ୍ୟ ଅବଗତ କରିଥିଲେ। ଯାହାକୁ ରେଳ ମନ୍ତ୍ରଣାଳୟ ଅନୁମୋଦିତ କରିଛି। ଶୀତତାପ ନିୟନ୍ତ୍ରିତ ଭିସଟାଡୋମ୍ କୋଚରେ ମୋଟ ୪୦ଟି ସିଟ୍ ରହିଛି। ସମସ୍ତ ସିଟ୍ ଆରାମଦାୟକ ହୋଇଥିବା ବେଳେ ଯାତ୍ରୀ ବସିଥିବା ପ୍ରତ୍ୟେକ ସିଟ୍ ୩୬୦ ଡିଗ୍ରୀରେ ବୁଲି ପାରିବ। ବିଶାଖାପାଟଣାରୁ ପ୍ରତି ସପ୍ତାହର ସୋମବାର, ବୁଧବାର, ଶନିବାର ଏବଂ କୋରାପୁଟରୁ ପ୍ରତି ସପ୍ତାହର ମଙ୍ଗଳବାର, ଗୁରୁବାର, ରବିବାର ଏହି ଟ୍ରେନ୍ ଗନ୍ତବ୍ୟସ୍ଥଳୀ ଅଭିମୁଖେ ଯାତ୍ରା କରିବ। ଯାତ୍ରୀମାନେ ଭିସଟାଡୋମ୍ କୋଚରେ ଯାତ୍ରା କରିବା ପାଇଁ ଏକଜକ୍ୟୁଟିଭ୍ କ୍ଲାସ୍ ଟିକେଟ୍ ବୁକିଂ କରିବା ପାଇଁ ରେଳ ବିଭାଗ ସୂଚନା ଦେଇଛି।

କୋରାପୁଟରୁ ରାୟଗଡ଼ା ମଧ୍ୟରେ ଥିବା ସମସ୍ତ ଷ୍ଟେସନ ଏବଂ ଏହାର ଆଖପାଖ ଅଞ୍ଚଳ ବେଶ୍ ସୌନ୍ଦର୍ଯ୍ୟପୂର୍ଣ୍ଣ ହୋଇଥିବାରୁ ପାସେଞ୍ଜର୍ ଟ୍ରେନରେ ଭିସଟାଡୋମ୍ କୋଚ୍ ସଂଯୋଗ ପ୍ରସ୍ତାବକୁ ରେଳ ବିଭାଗ ଗ୍ରହଣ କରିଥିଲା। ଏହା ପୂର୍ବରୁ ରେଳ ବିଭାଗ ଭିସଟାଡୋମ୍ କୋଚକୁ ବିଶାଖାପାଟଣା-ଆରୁକୁ ଟ୍ରେନରେ ସଂଯୋଗ କରିଥିଲା। ଅକ୍ଟୋବରରୁ ଏପ୍ରିଲ୍ ପର୍ଯ୍ୟନ୍ତ କୋରାପୁଟକୁ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଥାଏ। ଦେଓମାଳି, ମାଛକୁଣ୍ଡ ଜଳପ୍ରପାତ, ଶାବର ଶ୍ରୀକ୍ଷେତ୍ର, ଆଦିବାସୀ ସଂଗ୍ରହାଳୟ, ଗୁପ୍ତେଶ୍ବର ଶୈବପୀଠ, ଅପରକୋଲାବ ଜଳ ବିଦ୍ୟୁତ୍ ପ୍ରକଳ୍ପ ସହ ଅନ୍ୟ ପର୍ଯ୍ୟଟନସ୍ଥଳୀକୁ ଲକ୍ଷାଧିକ ସଂଖ୍ୟାରେ ପର୍ଯ୍ୟଟକ ଆସିଥାନ୍ତି। ବିଶାଖାପାଟଣା-କୋରାପୁଟ ପାସେଞ୍ଜରରେ ଭିସଟାଡୋମ୍ କୋଚ୍ ସଂଯୋଗ ପରେ ପର୍ଯ୍ୟଟକଙ୍କ ସଂଖ୍ୟା ଆହୁରି ବଢ଼ିବ ବୋଲି ସାଂସଦ ଶ୍ରୀ ଉଲାକା କହିଛନ୍ତି।

ସମ୍ବନ୍ଧିତ ଖବର