ତାଲିବାନର ବରିଷ୍ଠ ନେତାଙ୍କୁ ଲୁଚି ଲୁଚି ଭେଟିଲେ ସିଆଇଏ ନିର୍ଦ୍ଦେଶକ, ଅନ୍ତର୍ଜାତୀୟ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା

ନୂଆଦିଲ୍ଲୀ: ଆମେରିକାର ଗୁଇନ୍ଦା ଏଜେନ୍ସି ସିଆଇଏର ନିର୍ଦ୍ଦେଶକ ୱିଲିୟମ୍ ଜେ ବର୍ନସ୍ ଅଗଷ୍ଟ ୨୩ରେ ଆଫଗାନିସ୍ତାନର କାବୁଲରେ ତାଲିବାନର ବରିଷ୍ଠ ନେତା ମୁଲ୍ଲା ଘାନି ବାରାଦରଙ୍କୁ ଭେଟିଛନ୍ତି। ଆମେରିକାର ଜଣେ ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ ୱାଶିଂଟନ୍ ପୋଷ୍ଟକୁ ଏହି ସୂଚନା ଦେଇଛନ୍ତି। ଯେତେବେଳେ ଆମେରିକା ଆଫଗାନିସ୍ତାନରୁ ଲୋକଙ୍କୁ ସ୍ଥାନାନ୍ତର କରୁଛି ଏବଂ ଆମେରିକାର ରାଷ୍ଟ୍ରପତି ଏହି ଉଦ୍ଧାର କାର୍ଯ୍ୟକୁ ସବୁଠାରୁ ବଡ ଏବଂ କଷ୍ଟସାଧ୍ୟ ବୋଲି ବର୍ଣ୍ଣନା କରିଛନ୍ତି ସେଭଳି ପରିସ୍ଥିତିରେ ସିଆଇଏର ନିର୍ଦ୍ଦେଶକଙ୍କୁ କାବୁଲକୁ ପଠାଇବା ନିଷ୍ପତ୍ତି ବିଷୟରେ ଅନେକ ଚର୍ଚ୍ଚା ହେଉଛି।

ଆମେରିକା ଅଗଷ୍ଟ ୩୧ ସୁଦ୍ଧା ନିଜ ନାଗରିକଙ୍କୁ ଆଫଗାନିସ୍ତାନରୁ ମୁକୁଳାଇବା ପାଇଁ ସମୟ ସୀମା ଧାର୍ଯ୍ୟ କରିଥିବାବେଳେ ଏବେ ସମୟ ସୀମା ବଢିପାରେ ବୋଲି କୁହାଯାଉଛି | ଅନେକ ୟୁରୋପୀୟ ଦେଶ ମଧ୍ୟ ଆଫଗାନିସ୍ତାନରୁ ନିଜ ଦେଶର ନାଗରିକମାନଙ୍କୁ ସ୍ଥାନାନ୍ତର କରିବାକୁ ଆମେରିକାକୁ ନିବେଦନ କରିଛନ୍ତି। ବ୍ରିଟେନ ଏବଂ ଫ୍ରାନ୍ସ ଭଳି ଦେଶ କହିଛନ୍ତି ଯେ ଲୋକଙ୍କୁ ଆଫଗାନିସ୍ତାନରୁ ବାହାର କରିବା ପାଇଁ ଅଧିକ ସମୟ ଦରକାର। କିନ୍ତୁ ତାଲିବାନ ଅଗଷ୍ଟ ୩୧ ଶେଷ ତାରିଖ ବୋଲି ଜିଦ୍ ଧରିଛି।

ତାଲିବାନ କହିଛି ଯେ ଯଦି ଆମେରିକା ଅଗଷ୍ଟ ୩୧ର ସମୟସୀମା ଅତିକ୍ରମ କରେ ତେବେ ଏହାର ପରିଣାମକୁ ସାମ୍ନା କରିବାକୁ ପଡିପାରେ | ଏଭଳି ପରିସ୍ଥିତିରେ କିଛି ବିଶେଷଜ୍ଞ କହିଛନ୍ତି ଯେ ବର୍ନସ୍ ଅଗଷ୍ଟ ୩୧ ତାରିଖ ଡେଡ଼ଲାଇନ ଏବଂ ତାଲିବାନ ସରକାର ଗଠନ ବିଷୟରେ ମୁଲ୍ଲା ଘାନି ବାରାଦର ସହ ଆଲୋଚନା କରିଛନ୍ତି |

ସମ୍ବନ୍ଧିତ ଖବର