ମୃତ ଚାଷୀ ପରିବାରର ଦାବି: ପୁଲିସ ହିଁ ଗୁଳି କରିଛି

ଦେହରେ ଗୁଳି ଥିବା ବ୍ୟବଚ୍ଛେଦ ଡାକ୍ତର କହିଥିଲେ

ନୂଆଦିଲ୍ଲୀ: ଗତ ୨୬ ତାରିଖରେ ନୂଆଦିଲ୍ଲୀରେ ଚାଷୀଙ୍କ ଟ୍ରାକ୍ଟର ଶୋଭାଯାତ୍ରା ବେଳେ ଟ୍ରାକ୍ଟର ଓଲଟି ଯୁବଚାଷୀ ନବରୀତ ସିଂହଙ୍କ ମୃତ୍ୟୁ ଘଟିଥିଲା ବୋଲି ପୁଲିସ କରିଥିବା ଦାବିକୁ ତାଙ୍କ ପରିବାର ଅଗ୍ରାହ୍ୟ କରିଦେଇଛନ୍ତି। ଅପରପକ୍ଷେ, ଭାରସାମ୍ୟ ହରାଇ ଟ୍ରାକ୍ଟରଟି ଓଲଟିବା ପୂର୍ବରୁ ନବରୀତଙ୍କ ଦେହରେ ପୁଲିସର ଗୁଳି ବାଜିଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀ ଅନ୍ୟ ଚାଷୀମାନେ ସୂଚନା ଦେଇଥିବା ସେମାନେ ଦାବି କରିଛନ୍ତି। ସେହିପରି ରାମପୁର ଜିଲ୍ଲା ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରୁଥିବା ଡାକ୍ତର ମଧ୍ୟ ନବରୀତଙ୍କ ଶରୀରରେ ଗୁଳି ବାଜିଥିବା କହିବାରୁ ସେମାନେ ଶାନ୍ତିପୂର୍ଣ୍ଣ ଭାବେ ଶେଷକୃତ୍ୟ ପାଇଁ ଶବକୁ ନେଇଥିଲେ ବୋଲି କହିଛନ୍ତି। ତେବେ ସଂପୃକ୍ତ ଡାକ୍ତର ନିରୁପାୟ ଥିବା ସେତେବେଳେ ସୂଚନା ଦେଇଥିବା ବେଳେ ପରେ ବ୍ୟବଚ୍ଛେଦ ରିପୋର୍ଟରେ ସେମାନଙ୍କୁ ଠକିଦିଆଯାଇଛି ବୋଲି ନବରୀତଙ୍କ ଜେଜେବାପା ହରଦୀପ ସିଂହ ଡିବ୍‌ଡିବା କ୍ଷୋଭ ପ୍ରକାଶ କରିଛନ୍ତି ଏବଂ ଅଦାଲତ ହିଁ ଘଟଣାର ସତ୍ୟାସତ୍ୟ ବାହାର କରିବେ ବୋଲି କହିଛନ୍ତି।

ସୂଚନାଯୋଗ, ନବରୀତଙ୍କ ମୃତ୍ୟୁକୁ କେନ୍ଦ୍ର କରି ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ହରିଆଣା ପୁଲିସ ପକ୍ଷରୁ କଂଗ୍ରେସ ସାଂସଦ ଶଶି ଥରୁର ଓ ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେଶାଇଙ୍କ ସମେତ ଛଅ ଜଣଙ୍କ ନାମରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି। ଦିଲ୍ଲୀ ପୁଲିସ ମଧ୍ୟ ମୋନଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିଛି। ପୁଲିସ ଗୁଳିରେ ନବରୀତଙ୍କର ମୃତ୍ୟୁ ଘଟିଛି ବୋଲି ସେମାନେ ଘଟଣା ଦିନ ସାମାଜିକ ଗଣମାଧ୍ୟମ ଓ ଡିଜିଟାଲ ପ୍ରସାରଣରେ ଛାଡ଼ିଥିବା ସେମାନଙ୍କ ପୋଷ୍ଟ୍‌ରେ ଦାବି କରିଥିଲେ। ମାତ୍ର ଏକ ପୁଲିସ ବାରିକେଡ୍‌ରେ ପିଟିହୋଇ ଟ୍ରାକ୍ଟର ଓଲଟିପଡ଼ିବାରୁ ସେଥିରେ ଚାପି ହୋଇ ନବରୀତଙ୍କର ମୃତ୍ୟୁ ଘଟିଥିଲା ବୋଲି ପୁଲିସ ଯୁକ୍ତି ବାଢ଼ିବା ସହ ସେମାନଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର