ଚାଷୀ ଆନ୍ଦୋଳନ ଜୋର୍‌ଦାର: ସିଂଘୁ, ଗାଜିପୁରରେ ଛକାପଂଝା

ଦିନିକିଆ ଉପବାସ ରଖିଲେ ଚାଷୀ, ସିଂଘୁ, ଗାଜିପୁର, ଟିକିରିରେ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ତିନି ନୂଆ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଚାଲିଥିବା ଚାଷୀ ଆନ୍ଦୋଳନ ଆଜି ଆହୁରି ଜୋର୍‌ଦାର ହୋଇଛି। ଅନ୍ୟପକ୍ଷରେ ଆନ୍ଦୋଳନକୁ ବିରୋଧ କରି ସିଂଘୁ ଏବଂ ଗାଜିପୁର ସୀମାରେ ସ୍ଥାନୀୟ ଲୋକେ ମଧ୍ୟ ରାସ୍ତାକୁ ଓହ୍ଲାଇଛନ୍ତି। ସିଂଘୁ ସୀମାରେ ସ୍ଥାନୀୟ ବାସିନ୍ଦା ଏବଂ ଆନ୍ଦୋଳନକାରୀମାନେ ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ଉଭୟ ପକ୍ଷ ମଧ୍ୟରେ ତୀବ୍ର ଛକାପଂଝା ଲାଗି ରହିଥିବାରୁ ଯେ କୌଣସି ସମୟରେ ବଡ଼ ହିଂସା ଘଟିବା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ସିଂଘୁ, ଗାଜିପୁର ଏବଂ ଟିକ୍ରି ସୀମାରେ ପୁଲିସ ମୁତୟନ ବଢ଼ାଇ ଦିଆଯାଇଛି ଏବଂ ଆସନ୍ତାକାଲି (ରବିବାର )ରାତି ୧୧ଟା ପର୍ଯ୍ୟନ୍ତ ସଂପୃକ୍ତ ଅଂଚଳରେ ଇଣ୍ଟରନେଟ୍‌ ସେବା ବନ୍ଦ କରାଯାଇଛି। ହରିୟାଣାର ୧୭ଟି ଜିଲ୍ଲାରେ ଚାଷୀ ଆନ୍ଦୋଳନକୁ ନେଇ ସମ୍ବେଦନଶୀଳ ସ୍ଥିତି ରହିଥିବାରୁ ସେଠାରେ ମଧ୍ୟ ଇଣ୍ଟରନେଟ୍‌ ସେବା ବନ୍ଦ କରାଯାଇଛି।

ହରିୟାଣାର ୧୭ ଜିଲ୍ଲାରେ ଇଣ୍ଟରନେଟ୍‌ କଟକଣା
ଦିଲ୍ଲୀରେ ପୁଲିସ କର୍ମୀଙ୍କ ପରିବାର ସଦସ୍ୟଙ୍କ ଧାରଣା ପ୍ରଦର୍ଶନ

ଚାଷୀମାନେ ମହାତ୍ମା ଗାନ୍ଧୀଙ୍କ ପୁଣ୍ୟତିଥିରେ ବିଭିନ୍ନ ଆନ୍ଦୋଳନସ୍ଥଳରେ ଦିନିକିଆ ଉପବାସ ରଖିଛନ୍ତି। ସେମାନେ ଆଜିର ଦିବସକୁ ‘ସଦ୍‌ଭାବନା’ ଦିବସ ଭାବେ ପାଳନ କରିଛନ୍ତି। ମିଳିତ କୃଷକ ସାମ୍ମୁଖ୍ୟର ବରିଷ୍ଠ ନେତା ଅଭିମନ୍ୟୁ କୋହର କହିଛନ୍ତି ଯେ ଆନ୍ଦୋଳନ ପୂର୍ବାପେକ୍ଷା ଆହୁରି ବ୍ୟାପକ ଓ ପ୍ରଭାବଶାଳୀ ହୋଇଛି ଏବଂ ଆଗାମୀ ଦିନରେ ଅଧିକ ସଂଖ୍ୟାରେ କୃଷକ ଏଥିରେ ସାମିଲ ହେବେ। ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ କେତେକ ଗୋଷ୍ଠୀ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ସେ କହିଛନ୍ତି। ଆନ୍ଦୋଳନ ବିରୋଧରେ ବିଭିନ୍ନ ଅଂଚଳରେ ସ୍ଥାନୀୟ ଜନତା ଏକଜୁଟ ହୋଇଥିବାରୁ ଏ ଦିଗରେ ସଂପୃକ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ଶାନ୍ତି ରକ୍ଷା ପାଇଁ ଆଲୋଚନା ଜାରି ରହିଛି। ଲୋକଙ୍କ ଯାତାୟତରେ ସମସ୍ୟା ସୃଷ୍ଟି ନକରିବା ପାଇଁ ଚାଷୀମାନଙ୍କୁ ନିବେଦନ କରାଯାଇଛି । ଆଜି ପଂଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଚାଷୀ ନେତାମାନଙ୍କୁ ଏକ ନିବେଦନରେ କହିଛନ୍ତି ଯେ ସେମାନେ କେନ୍ଦ୍ର ସରକାରଙ୍କ ସହିତ ତୁରନ୍ତ ଆଲୋଚନା ଆରମ୍ଭ କରନ୍ତୁ ଏବଂ ଯଥାଶୀଘ୍ର ବିବାଦର ସମାଧାନ କରନ୍ତୁ। ଦିଲ୍ଲୀ ହିଂସା ପରେ ଚାଷୀ ଆନ୍ଦୋଳନକୁ ବଡ଼ ଝଟ୍‌କା ଲାଗିଛି ଏବଂ ପଂଜାବରେ ମଧ୍ୟ ସମସ୍ୟା ବଢ଼ିଛି ବୋଲି ଅମରିନ୍ଦର କହିଛନ୍ତି।
ଅନ୍ୟପକ୍ଷରେ ଲାଲକିଲ୍ଲା ପରିସରରେ ହିଂସା ଘଟାଇଥିବା ଶତାଧିକ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେମାନଙ୍କୁ ଗିରଫ କରିବା ପାଇଁ ପୁଲିସର ବିଭିନ୍ନ ଟିମ୍‌ ଚଢ଼ଉ ଜାରି ରଖିଛି। ପୁଲିସ ଲୋକଙ୍କଠାରୁ ୧୭୦୦ ଭିଡିଓ କ୍ଲିପ୍‌ ଏବଂ ସିସିଟିଭି ଫୁଟେଜ ହାସଲ କରି ତାହାର ଯାଞ୍ଚ କରୁଛି। କ୍ରାଇମ୍‌ ବ୍ରାଞ୍ଚ୍‌ର ୮ଟି ସ୍ବତନ୍ତ୍ର ଟିମ୍‌ ଏ ଦିଗରେ ଅହରହ କାର୍ଯ୍ୟ କରୁଛି। ଚାଷୀଙ୍କ ଟ୍ରାକ୍ଟର ରୢାଲି ହିଂସାରେ ଆହତ ହୋଇଥିବା ଦିଲ୍ଲୀ ପୁଲିସ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କ ପକ୍ଷରୁ ମଧ୍ୟ ଆଜି ଧାରଣ ଓ ବିକ୍ଷୋଭ ସଭା ଅନୁଷ୍ଠିତ ହୋଇଛି। ଦିଲ୍ଲୀରେ ଆଜି ପ୍ରାୟ ୪ ଶହ ପୁଲିସ ପରିବାର ପକ୍ଷରୁ ଧାରଣା ଦିଆଯାଇ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।

ସମ୍ବନ୍ଧିତ ଖବର