କନ୍‌ଭେଣ୍ଟ ସ୍କୁଲର ଦ୍ୱିତୀୟ ଶ୍ରେଣୀ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇ ଶିକ୍ଷକ ଗିରଫ, ଉତ୍ୟକ୍ତ ଅଭିଭାବକଙ୍କ ସ୍କୁଲ ଘେରାଉ

କୋଲକାତା: କୋଲକାତାର ଏକ ମର୍ଯ୍ୟଦାସଂପନ୍ନ କନ୍‌ଭେଣ୍ଟ ସ୍କୁଲ, କାର୍‌ମେଲ୍‌ ପ୍ରାଇମେରି ସ୍କୁଲର ଜନୈକା ଦ୍ୱିତୀୟ ଶ୍ରେଣୀର ଛାତ୍ରୀକୁ ସଂପୃକ୍ତ ସ୍କୁଲର ଜଣେ ଶିକ୍ଷକ ଯୌନ ନିର୍ଯାତନା ଦେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣା ଜଣାପଡ଼ିବା ପରେ ଆଜି ଶତାଧିକ ସଂଖ୍ୟାରେ ଉତ୍ୟକ୍ତ ଅଭିଭାବକ ସ୍କୁଲ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ତେବେ, ପରିସ୍ଥିତି ବିଗିଡ଼ିବା ପୂର୍ବରୁ ପୋଲିସ୍‌ ଏହି ଘଟଣାରେ ତୁରନ୍ତ ହସ୍ତକ୍ଷେପ କରି ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରିଛି।

 

ପୋଲିସ୍‌ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ବିଗତ କିଛିଦିନ ଧରି ଶିକ୍ଷକ ଜଣକ ସଂପୃକ୍ତା ନାବାଳିକା ଛାତ୍ରୀଟିକୁ ନିୟମିତ ଭାବେ ଯୌନ ନିର୍ଯାତନା ଦେଇ ଆସୁଥିଲେ। ଯଦି ଏହି ଘଟଣା ସଂପର୍କରେ ଛାତ୍ରୀ ଜଣକ କାହାକୁ କିଛି କହେ, ତେବେ ସେ ତାକୁ ଜୀବନରୁ ମାରିଦେବେ ବୋଲି ମଧ୍ୟ ଧମକ ଦେଇଥିଲେ। ଏପ୍ରକାର ଘଟଣାରେ ଛାତ୍ରୀଜଣକ ଅତ୍ୟନ୍ତ ଭୟଭୀତ ହୋଇ ପଡ଼ିଥିଲା। ତେବେ, ଗତ ଗୁରୁବାର ଆଉ ଥରେ ସଂପୃକ୍ତା ନାବାଳିକା ଛାତ୍ରୀ ଜଣଙ୍କ ଶିକ୍ଷକଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହେବାପରେ, ଘରକୁ ଫେରି ଘଟଣା ସଂପର୍କରେ ତା’ ପିତାମାତାଙ୍କୁ କହିଥିଲା।

ଆଜି ସକାଳୁ ନାବାଳିକା ଛାତ୍ରୀର ପିତାମାତା ସ୍କୁଲକୁ ଆସି ପରିଚାଳନା କର୍ତ୍ତୃପକ୍ଷଙ୍କ ନିକଟରେ ଘଟଣା ସଂପର୍କରେ ଅଭିଯୋଗ କରିବା ସହ ଘଟଣାରେ ସଂପୃକ୍ତ ଶିକ୍ଷକଙ୍କ ଗିରଫଦାରୀ ଦାବି କରିଥିଲେ। ତେବେ, ଏହି ଘଟଣା ପ୍ରଘଟ ହୋଇଯିବା ପରେ ଏହି ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କର ଅଭିଭାବକମାନେ ଉତ୍ତ୍ୟକ୍ତ ହୋଇପଡ଼ିବା ସହ ସ୍କୁଲକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ସମ୍ବନ୍ଧିତ ଖବର