ବିନା ନୋଟିସରେ ସୋସିଆଲ ମିଡ଼ିଆ ଆକାଉଣ୍ଟ ବନ୍ଦ: କମ୍ପାନି ବିରୋଧରେ କାର୍ଯ୍ୟାନୁଷ୍ଠାନକୁ କେନ୍ଦ୍ରର ସମର୍ଥନ

ନୂଆଦିଲ୍ଲୀ: କୌଣସି ନିୟମ ଉଲ୍ଲଂଘନ ଅଭିଯୋଗରେ ଯଦି ସୋସିଆଲ ମିଡ଼ିଆ ସଂସ୍ଥା ବ୍ୟବହାରକାରୀଙ୍କ ଆକାଉଣ୍ଟକୁ ବିନା ନୋଟିସ୍‌ରେ ବନ୍ଦ କରିଦିଅନ୍ତି, ତେବେ ସମ୍ପୃକ୍ତ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ବୋଲି କେନ୍ଦ୍ର ସରକାର ଆଜି ସୁପ୍ରିମ୍‌କୋର୍ଟରେ ନିଜର ମତ ରଖିଛନ୍ତି।

ସୂଚନାଯୋଗ୍ୟ ଦୁଇଜଣ ଟ୍ବିଟର ବ୍ୟବହାରକାରୀଙ୍କ ଆକାଉଣ୍ଟକୁ ଉକ୍ତ ସୋସିଆଲ ମିଡ଼ିଆ ସଂସ୍ଥା ବିନା ନୋଟିସ୍‌ରେ ବନ୍ଦ କରିଦେବା ପରେ ସେମାନେ ସୁପ୍ରିମ୍‌କୋର୍ଟର ଦ୍ବାରସ୍ଥ ହୋଇଥିଲେ। ସୁପ୍ରିମ୍‌କୋର୍ଟ ଏ ବାବଦରେ ନିଜର ମତ ରଖିବା ପାଇଁ କେନ୍ଦ୍ର ସରକାରଙ୍କୁ ଜଣାଇଥିଲେ। କେନ୍ଦ୍ର ସରକାର ଏକ ସତ୍ୟପାଠ ମାଧ୍ୟମରେ ଜଣାଇଛନ୍ତି ଯେ, ନାଗରିକଙ୍କ ମୌଳିକ ଅଧିକାରକୁ ସମ୍ମାନ ଦେବା ଉଚିତ। ଯିଏ ତାହା ନ କରିବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ଯଦି କୌଣସି ବ୍ୟବହାରକାରୀ ସୋସିଆଲ ମିଡ଼ିଆର କିଛି ନିୟମ ଉଲ୍ଲଂଘନ କରନ୍ତି, ତେବେ ସମ୍ପୃକ୍ତ ସଂସ୍ଥାର କର୍ତ୍ତବ୍ୟ ଏ ବାବଦରେ ତାଙ୍କୁ ଅବଗତ କରାଇବା। ତଥାପି ସେ ଯଦି ନ ମାନନ୍ତି, ତେବେ ତାଙ୍କ ଆକାଉଣ୍ଟକୁ ବନ୍ଦ କରିବା ପୂର୍ବରୁ ତାଙ୍କୁ ନୋଟିସ୍ ଦେବା ଉଚିତ।

ସମ୍ପୂର୍ଣ୍ଣଭାବେ କାହାର ଆକାଉଣ୍ଟକୁ ବିନା ନୋଟିସରେ ଅଚଳ କରିଦେବା ହେଉଛି ସମ୍ବିଧାନର ଧାରା ୧୪, ୧୯ ଓ ୨୧ ଅନୁସାରେ ଅନ୍ୟାୟ। ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ସମ୍ବିଧାନର ମୌଳିକ ଅଧିକାର ନିୟମ ତଥା ପ୍ରାକୃତିକ ନ୍ୟାୟର ନୀତି ଅନୁସରଣ କରିବା ଉଚିତ ବୋଲି କେନ୍ଦ୍ର ସରକାର ତାଙ୍କ ସତ୍ୟପାଠରେ ଦର୍ଶାଇଛନ୍ତି। ଆକାଉଣ୍ଟକୁ ଅଚଳ କରିବା ସବୁବେଳେ ଶେଷ ବିକଳ୍ପ ହେବା ଉଚିତ ବୋଲି ଏଥିରେ କୁହାଯାଇଛି। ତେବେ କେହି ନିଜର ସୋସିଆଲ ମିଡ଼ିଆରେ ଯଦି ଦେଶର ସାର୍ବଭୌମତା, ସୁରକ୍ଷା, ବହିର୍ଦେଶ ସହ ସମ୍ପର୍କ, ଜନଶୃଙ୍ଖଳା ବିରୋଧରେ ବା ଅତ୍ୟନ୍ତ ବେଆଇନ ଓ ଯୌନ ଉଦ୍ଦୀପକ ଜିନିଷ ପୋଷ୍ଟ କରନ୍ତି, ତେବେ ନୋଟିସ୍ ଦେଇ ତାଙ୍କ ଆକାଉଣ୍ଟକୁ ବନ୍ଦ କରାଯାଇପାରେ।

ସମ୍ବନ୍ଧିତ ଖବର