ସୋସିଆଲ ମିଡିଆ ତଥ୍ୟ ଦେବାକୁ ବାଧ୍ୟ

ଭିସା ପାଇଁ କଟକଣା ବଢ଼ାଇଲା ଆମେରିକା

ଓ୍ଵାସିଂଟନ: ଦେଶର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ଆମେରିକା ପ୍ରଶାସନ ସମସ୍ତ ଭିସା ପ୍ରଦାନ କ୍ଷେତ୍ରରେ ବଡ଼ ଧରଣର କଟକଣା ଜାରି କରିବାକୁ ଯାଉଛନ୍ତି। ନୂଆ ନିୟମ ମୁତାବକ, କୌଣସି ବି ବ୍ୟକ୍ତି ଆମେରିକା ଭିସା ପାଇବାକୁ ହେଲେ ତାଙ୍କର ବିଗତ ୫ବର୍ଷର ସମସ୍ତ ସୋସିଆଲ ମିଡିଆ ୟୁଜରନେମ୍‌, ଇ-ମେଲ, ମୋବାଇଲ ନମ୍ବର ତଥା ବିଗତ ୫ବର୍ଷ ମଧ୍ୟରେ ଅନ୍ତର୍ଜାତୀୟ ଭ୍ରମଣର ତଥ୍ୟ ଦେବାକୁ ପଡ଼ିବ। ସରକାରଙ୍କ ଏହି ପ୍ରସ୍ତାବକୁ ବଜେଟ୍‌ ଓ ପରିଚାଳନା ପରିଷଦ ଅନୁମୋଦନ ଦେବା ପରେ ଭିସା ବ୍ୟବସ୍ଥାରେ ଏହି ନୂତନ କଟକଣା ଲାଗୁ କରାଯିବ ବୋଲି କୁହାଯାଇଛି। ତେବେ ଏହି ପ୍ରସ୍ତାବ ଉପରେ ମତାମତ ରଖିବାକୁ ଆମରିକା ନାଗରିକଙ୍କ ପାଖରେ ୬୦ ଦିନ ସମୟ ରହିଛି। ଏହି ବ୍ୟବସ୍ଥାରେ ଜଣେ ବ୍ୟକ୍ତିର ନିଜସ୍ୱ ସୂଚନା ସାର୍ବଜନୀନ ହେବା ସହ ବାର୍ଷିକ ୧ କୋଟି ୪୭ ଲକ୍ଷ ଏଥିରେ ପ୍ରଭାବିତ ହେବେ ବୋଲି ଆକଳନ କରାଯାଇଛି। ଶରଣାର୍ଥୀ ଭିସା ପାଇଁ ଆବେଦନ କରୁଥିବା ଲୋକଙ୍କ ନିମନ୍ତେ ମଧ୍ୟ ଏହି ନିୟମ ଲାଗୁ ହେବ। ଏହା ସହିତ ସେମାନଙ୍କୁ ଏକ ଲମ୍ବା ପ୍ରଶ୍ନ ତାଲିକାର ସମସ୍ତ ଉତ୍ତର ମଧ୍ୟ ଦେବାକୁ ହେବ। ଫଳରେ ବାର୍ଷିକ ୭୧ ଲକ୍ଷ ଶରଣାର୍ଥୀ ଆମେରିକା ଭିସା ପାଇଁ ଅସୁବିଧାର ସମ୍ମୁଖୀନ ହେବେ। ଆମେରିକା ସରକାରଙ୍କ ଏହି ନିୟମ ସ୍ୱାଧୀନତା ନିୟମର ଉଲ୍ଲଂଘନ କରୁଥିବା ନେଇ କିଛି ସଂଗଠନ ଅଭିଯୋଗ ମଧ୍ୟ କରିଛନ୍ତି। ଆମେରିକାର ନୂତନ ଭିିସା ନିୟମ ସାଧାରଣ ଲୋକଙ୍କ ଜଟିଳ ସମସ୍ୟା ସୃଷ୍ଟି କରିବ ବୋଲି ବିଭିନ୍ନ ମହଲ ଆଶଙ୍କା କରୁଛନ୍ତି। ତେବେ ଏହା କାର୍ଯ୍ୟକାରୀ ହେଲେ ଗିରଫ ପରଓ୍ଵାନା ଜାରି ହୋଇଥିବା, ଠକାମି କରି ଫେରାର୍‌ ହୋଇଯାଇଥିବା ଏବଂ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବା ବ୍ୟକ୍ତିଙ୍କୁ ଭିସା ମିଳିବା ଅସମ୍ଭବ ହୋଇଯିବ ବୋଲି ହ୍ଵାଇଟ ହାଉସ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର