ନବଜାତକୁ ଇଞ୍ଜେକସନ ଦେବା ବଦଳରେ କଇଁଚିରେ ଆଙ୍ଗୁଠି କାଟିଦେଲେ କମ୍ପାଉଣ୍ଡର

ଗାଜିପୁର: ନବଜାତ ଶିଶୁକୁ ଇଞ୍ଜେକ୍ସନ ଦେବା ବଦଳରେ ଆଙ୍ଗୁଠି କାଟିଦେଲେ କମ୍ପାଉଣ୍ଡର | ଉତ୍ତରପ୍ରଦେଶର ଗାଜିପୁରର ଏକ ବେସରକାରୀ ଡାକ୍ତରଖାନା ନାମରେ ଏଭଳି ଏକ ସଂଗୀନ ଅଭିଯୋଗ ସାମ୍ନାକୁ ଆସିଛି | ଡାକ୍ତର ଅଙ୍ଗଦ ଗାଜିପୁରର ଦିଲଦାରନଗରର ଏକ ଘରୋଇ ଡାକ୍ତରଖାନାର କମ୍ପାଉଣ୍ଡରଙ୍କ ବିରୋଧରେ ଶିଶୁର ଆଙ୍ଗୁଠି କାଟିବା ଅଭିଯୋଗ ଆସିଛି। ଉଭୟଙ୍କ ବିରୋଧରେ ସମ୍ପର୍କୀୟମାନେ ମାମଲା ଦାୟର କରିଛନ୍ତି। ମିଳିଥିବା ସୂଚନା ମୁତାବକ ଜାନୁୟାରୀ ୨୧ରେ ଜବୁରାନା ଗାଁର ବାସିନ୍ଦା କାହେଁୟାଲାଲଙ୍କ ଭାଣିଜୀଙ୍କର ଶିଶୁଟିଏ ଜନ୍ମ ହୋଇଥିଲା | ତେବେ ଶିଶୁଟି ଅସୁସ୍ଥ ଥିବାରୁ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଦ୍ୱିତୀୟ ଦିନରେ ନବଜାତକୁ ଡିସଚାର୍ଜ କରିବାକୁ ଡାକ୍ତରଙ୍କ ପରାମର୍ଶ ନିଆଯାଇଥିଲା।

ନବଜାତକୁ ଡିସଚାର୍ଜ କରିବାକୁ ଡାକ୍ତର କମ୍ପାଉଣ୍ଡରକୁ କହିଥିଲେ। କୁହାଯାଉଛି ଯେ କମ୍ପାଉଣ୍ଡର ନବଜାତକୁ ଇଞ୍ଜେକ୍ସନ ଦେବା ବାହାନାରେ ଡାହାଣ ହାତର ଆଙ୍ଗୁଠିକୁ କଇଁଚି ସାହାଯ୍ୟରେ କାଟି ଦେଇଥିଲା ଏବଂ କଟା ଆଙ୍ଗୁଠିକୁ ଡଷ୍ଟବିନରେ ଫୋଫାଡ଼ି ପଳାଇ ଯାଇଥିଲା। ନବଜାତର ହାତ ରକ୍ତରେ ଜୁଡୁବୁଡୁ ହେଉଥିବାର ଦେଖି ପରିବାର ସଦସ୍ୟମାନେ ତୁରନ୍ତ ଡାକ୍ତରଙ୍କୁ ଅଟକ ରଖିଥିଲେ | ଯେତେବେଳେ ପୁଲିସ ଘଟଣା ସମ୍ପର୍କରେ ସୂଚନା ପାଇଲା, ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା | ନବଜାତର ମାଙ୍କ ଅଭିଯୋଗ କ୍ରମେ ପୁଲିସ ଡାକ୍ତରଖାନାର ଡାକ୍ତର ଅଙ୍ଗଦ ରାମ ଏବଂ କମ୍ପାଉଣ୍ଡରଙ୍କ ବିରୋଧରେ ମାମଲା ରୁଜୁ କରିଛି | ତେବେ ତଦନ୍ତରୁ ଏହା ଜଣାପଡିଛି ଯେ ବେସରକାରୀ ଡାକ୍ତରଖାନାଟି ବେଆଇନ ଭାବେ ଚାଲୁଥିଲା | ଏହାକୁ ନେଇ ମେଡିକାଲ ଅଧିକ୍ଷକ କହିଛନ୍ତି ଯେ ମାମଲା ପଞ୍ଜିକରଣ କରାଯିବା ପରେ ଏହାକୁ ସିଲ୍ କରିବା ପାଇଁ ପଦକ୍ଷେପ ନିଆଯିବ।

ସମ୍ବନ୍ଧିତ ଖବର