ମହାରାଷ୍ଟ୍ର ରାଜନୀତିକୁ ନେଇ କଂଗ୍ରେସର ୧୦ ପ୍ରଶ୍ନ

ନୂଆଦିଲ୍ଲୀ: ଆଜି ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡ୍‌ନାଭିସ ମୁଖ୍ୟମନ୍ତ୍ରୀ ଏବଂ ଅଜିତ୍‌ ପାୱାର ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ତେବେ ଏହାକୁ ନେଇ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଗଣତନ୍ତ୍ରର କଳାଦିବସ ବୋଲି କହିଛି। କଂଗ୍ରେସ ମୁଖପାତ୍ର ରଣ୍‌ଦୀପ ସିଂ ସୂର୍ଯ୍ୟେୱାଲା ଆଜି ବିଜେପିକୁ ‘ଆତଙ୍କୀ’ ଏବଂ ଅଜିତ୍‌ ପାୱାରଙ୍କୁ ସୁବିଧାବାଦୀ ବୋଲି କହିଛନ୍ତି। ଏ ନେଇ ସୂର୍ଯ୍ୟେୱାଲା ବିଜେପି ସମେତ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ୧୦ଟି ପ୍ରଶ୍ନ କରିଛନ୍ତି।
୧. ବିଜେପି ସରକାର ଗଠନ କରିବାକୁ କେତେବେଳେ ରାଜ୍ୟପାଳଙ୍କୁ ଭେଟିଥିଲା
୨. ସରକାର ଗଠନ କରିବା ପାଇଁ ସମର୍ଥନ ପତ୍ରରେ କେତେଜଣ ବିଜେପି ଏବଂ ଏନ୍‌ସିପି ବିଧାୟକଙ୍କ ସ୍ବାକ୍ଷର ରହିଛି
୩. ବିଳମ୍ବିତ ରାତିରେ ମାତ୍ର ଘଣ୍ଟାଏ ସମୟରେ ରାଜ୍ୟପାଳ କିଭଳି ଦସ୍ତକ୍ଷତ ଯାଞ୍ଚ କଲେ
୪. ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ହଟାଇବାକୁ ରାଜ୍ୟପାଳ କେତେବେଳେ ସୁପାରିସ କଲେ
୫. ଗତରାତିରେ କେତେବେଳେ କେନ୍ଦ୍ର କ୍ୟାବିନେଟ୍‌ ବୈଠକ ବସିଥିଲା ଏବଂ କେତେବେଳେ ରାଷ୍ଟ୍ରପତି ଶାସନ ଉଚ୍ଛେଦ ପାଇଁ କ୍ୟାବିନେଟ୍‌ ନିଷ୍ପତ୍ତି ନେଇଥିଲା
୬. କ୍ୟାବିନେଟ୍‌ର ନିଷ୍ପତ୍ତିକୁ କେତେବେଳେ ରାଷ୍ଟ୍ରପତିଙ୍କ ନିକଟକୁ ପଠାଗଲା
୭. ରାଷ୍ଟ୍ରପତି ଶାସନ ଉଚ୍ଛେଦ ପାଇଁ କେତେବେଳେ ରାଷ୍ଟ୍ରପତି ନିଜର ସମ୍ମତି ପ୍ରକାଶ କଲେ
୮. କେତେବେଳେ ରାଜ୍ୟପାଳ ଦେବେନ୍ଦ୍ର ଫଡ୍‌ନାଭିସ ଏବଂ ଅଜିତ୍‌ ପାୱାରଙ୍କୁ ଶପଥ ଗ୍ରହଣ କରିବାକୁ ଡାକିଲେ
୯. କେତେବେଳେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେଲା? ଶପଥ ଗ୍ରହଣ ଉତ୍ସବକୁ କୌଣସି ଗଣମାଧ୍ୟମ, ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ମହାରାଷ୍ଟ୍ରର ମୁଖ୍ୟ ବିଚାରପତିଙ୍କୁ ନିମନ୍ତ୍ରଣ କରାଯାଇ ଥିଲା କି
୧୦. ରାଜ୍ୟପାଳ ସଂଖ୍ୟାଗରିଷ୍ଠତା ପ୍ରମାଣ ପାଇଁ ସମୟ ଧାର୍ଯ୍ୟ କଲେନାହିଁ କାହିଁକି

ସମ୍ବନ୍ଧିତ ଖବର