ଘନଉଛି କଂଗ୍ରେସ ସଙ୍କଟ: ସିଦ୍ଧୁଙ୍କୁ ମନାଇବା ପ୍ରୟାସ ଜାରି

ଆଲୋଚନା କଲେ ଚନ୍ନି, ସମାଧାନ ପାଇଁ ଡାକିଲେ, ସିଦ୍ଧୁଙ୍କ ଇସ୍ତଫାପତ୍ର ଗ୍ରହଣ ହୋଇନି

ଅମୃତସର : ପଂଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦରୁ ନବଜୋତ ସିଂହ ସିଦ୍ଧୁଙ୍କ ଇସ୍ତଫା ନେଇ ଦଳରେ ସୃଷ୍ଟି ହୋଇଥିବା ସଙ୍କଟ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଗୋଟିଏ ପଟେ ସିଦ୍ଧୁ ସମର୍ଥକମାନେ ଦଳ ହାଇକମାଣ୍ଡ୍‌ଙ୍କ କେତେକ ନିଷ୍ପତ୍ତି ବିରୋଧରେ ଏକଜୁଟ ହେଉଥିବା ବେଳେ ଅନ୍ୟପକ୍ଷରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ସମର୍ଥକମାନେ ଦଳର ଏଭଳି ସ୍ଥିତି ପାଇଁ ସିଦ୍ଧୁଙ୍କୁ ଦାୟୀ କରିଛନ୍ତି। କଂଗ୍ରେସ ଏଯାବତ ସିଦ୍ଧୁଙ୍କ ଇସ୍ତଫା ପତ୍ର ଗ୍ରହଣ କରିନାହିଁ ଏବଂ ତାଙ୍କୁ ନିଷ୍ପତ୍ତିରେ ପରିବର୍ତ୍ତନ କରିବା ପାଇଁ କହିଛି। ଆଉ ମାତ୍ର ୪ ମାସ ପରେ ପଂଜାବ ବିଧାନସଭା ନିର୍ବାଚନ ଥିବାବେଳେ ସିଦ୍ଧୁଙ୍କର ଏହି ନିଷ୍ପତ୍ତି ଦଳକୁ ଘୋର ଅଡ଼ୁଆରେ ପକାଇ ଦେଇଛି। ପଂଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଆଜି ସିଦ୍ଧୁଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି ଏବଂ ତାଙ୍କୁ ଅଧିକ ଆଲୋଚନା ପାଇଁ ଡାକିଥିବା କହିଛନ୍ତି। ଚନ୍ନି କହିଛନ୍ତି, ଯିଏ ଦଳର ମୁଖ୍ୟ ସେ ପରିବାରର ମୁଖ୍ୟ। ଦଳ ହିଁ ସର୍ବୋଚ୍ଚ। ଯଦି କିଛି ସମସ୍ୟା ଅଛି ତେବେ ଆଲୋଚନା ମାଧ୍ୟମରେ ହିଁ ସମସ୍ୟାର ସମାଧାନ କରିବାକୁ ହେବ ବୋଲି ଚନ୍ନି ସିଦ୍ଧୁଙ୍କୁ କହିଛନ୍ତି। ଚନ୍ନି ରାଜ୍ୟର ସମସ୍ତ ନେତାମାନଙ୍କୁ ଏକାଠି ବସି ଏହି ସଙ୍କଟର ସମାାଧାନ ପାଇଁ କହିଛନ୍ତି। ସବୁ ନେତାମାନଙ୍କ ସହ ବସି ସେ ଆଲୋଚନା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି।

ଅନ୍ୟପକ୍ଷେ ସିଦ୍ଧୁ ଆଜି ଏକ ଭିଡିଓ ବିବୃତ୍ତି ଜାରି କରିଛନ୍ତି। ଚନ୍ନିଙ୍କ ନୂଆ କ୍ୟାବିନେଟ୍‌ରେ ଦାଗି ନେତା ଏବଂ ଅନ୍ୟ ବିବାଦୀୟ ନିଯୁକ୍ତିକୁ ସେ ସମାଲୋଚନା କରିଛନ୍ତି। ଭିଡିଓ ବାର୍ତ୍ତାରେ ସିଦ୍ଧୁ କହିଛନ୍ତି, ଲୋକମାନଙ୍କ ଜୀବନକୁ ଉନ୍ନତ କରିବା ମୋର ଏକମାତ୍ର ଧର୍ମ। ନୈତିକତା ଏବଂ ମୂଲ୍ୟବୋଧ ସହ ମୁଁ ସାଲିସ କରିପାରିବି ନାହିଁ । କାହା ସହ ମୋର ବ୍ୟକ୍ତିଗତ ଶତ୍ରୁତା‌ ନାହିଁ। ସତ୍ୟ ପାଇଁ ମୁଁ ଶେଷ ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିବି ବୋଲି ସିଦ୍ଧୁ କହିଛନ୍ତି। କଂଗ୍ରେସ ମୁଖ୍ୟ ଭାବେ ନିଯୁକ୍ତି ହେବାର ୭୨ ଦିନ ପରେ ଏବଂ ପଂଜାବକୁ ନୂଆ ମୁଖ୍ୟମନ୍ତ୍ରୀ ମିଳିବାର ୮ ଦିନ ପରେ ସିଦ୍ଧୁ ଇସ୍ତଫା ଦେଇଛନ୍ତି। ଚନ୍ନିଙ୍କ କ୍ୟାବିନେଟ୍‌ରେ ରାଣା ଗୁରଜିତ ସିଂହ ସାମିଲ ହେବା ସହ ଏପିଏସ୍‌ ଦେଓଲଙ୍କୁ ଏଟର୍ଣ୍ଣି ଜେନେରାଲ୍‌ ଏବଂ ଇକବଲ ପ୍ରୀତ୍‌ ସିଂହ ସାହୋତାଙ୍କୁ ରାଜ୍ୟ ଡିଜିପି ନିଯୁକ୍ତ କରିବା ଘଟଣାକୁ ସିଦ୍ଧୁ ବିରୋଧ କରିଛନ୍ତି। ସେହିପରି ସୁଖଜିନ୍ଦର ସିଂହ ରନ୍ଧାୱାଙ୍କୁ ଗୃହ ବିଭାଗ ମିଳିବା ଘଟଣାରେ ସେ ସନ୍ତୁଷ୍ଟ ନଥିଲେ। ସିଦ୍ଧୁଙ୍କ ଅଚାନକ ଇସ୍ତଫା କଂଗ୍ରେସକୁ ଶକ୍ତ ଝଟ୍‌କା ଦେଇଛି। କଂଗ୍ରେସ ନେତୃବୃନ୍ଦ ସିଦ୍ଧୁଙ୍କ ଇସ୍ତଫାକୁ ଗ୍ରହଣ କରିପାରିନାହାନ୍ତି। ସିଦ୍ଧୁ ଇସ୍ତଫାପତ୍ର ଯେଭଳି ପ୍ରତ୍ୟାହାର କରିବେ ସେଥିପାଇ ଚେଷ୍ଟା ଜାରି ରହିଛି। ପଂଜାବ ମନ୍ତ୍ରୀ ଅମରିନ୍ଦର ସିଂହ ରାଜା ୱାରିଙ୍ଗ ଏବଂ ପରଗତ ସିଂହ ଆଜି ସିଦ୍ଧୁଙ୍କୁ ପଟିଆଲା ସ୍ଥିତ ତାଙ୍କ ବାସଭବନରେ ଭେଟିଛନ୍ତି। ଉଲ୍ଲେଖଯୋଗ୍ୟ, ସିଦ୍ଧୁଙ୍କ ଇସ୍ତଫା ପରେ ତାଙ୍କ ସହ ଘନିଷ୍ଠ ଥିବା ଅନ୍ୟ ୩ ଜଣ ନେତା ମଧ୍ୟ ଇସ୍ତଫା ଦେଇଛନ୍ତି।

 

ସମ୍ବନ୍ଧିତ ଖବର