କଶ୍ମୀର ପ୍ରସଙ୍ଗରେ କଂଗ୍ରେସ ଦୁଇ ଫାଳ ! ୩୭୦ ଉଚ୍ଛେଦ ନେଇ ମୁହଁ ଖୋଲିଲେ ରାହୁଲ୍‌

ନୂଆଦିଲ୍ଲୀ: ଆଜି ଲୋକସଭାରେ ଉପସ୍ଥାପିତ ହୋଇଛି ଜମ୍ମୁ-କଶ୍ମୀର ପୁର୍ନଗଠନ ବିଲ୍‌। ଏହାକୁ କଂଗ୍ରେସ ଦଳ ପକ୍ଷରୁ ବିରୋଧ କରାଯାଉଥିବା ବେଳେ ଦଳର କେତେକ ଜଣାଶୁଣା ନେତା ଧାରା ୩୭୦ ଉଚ୍ଛେଦକୁ ସମର୍ଥନ କରିଛନ୍ତି। ବସ୍ତୁତଃ କଂଗ୍ରେସ ଭିତରେ ଦ୍ୱିମତ ଦେଖାଦେଇଛି। ଏହି ପରିସ୍ଥିତିରେ ଦଳର ଜମ୍ମୁ-କଶ୍ମୀର ନୀତି ନିର୍ଧାରକ କମିଟିର ବୈଠକ ଡକାଯାଇଛି।

ଗତ ୨୪ ଘଣ୍ଟା ଧରି ଏହି ପ୍ରସଙ୍ଗ ଉପରେ ନିରବତା ଅବଲମ୍ବନ କରିଥିବା ରାହୁଲ ଗାନ୍ଧୀ ମଧ୍ୟ ଟ୍ଵିଟ୍‌ ଜରିଆରେ ନିଜର ମତ କଖିଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି, ‘ଜମ୍ମୁ-କଶ୍ମୀରକୁ ଦୁଇ ଭାଗ କରି, ଏକପାଖିଆ ନିଷ୍ପତ୍ତି ନେଇ ଓ ସମ୍ବିଧାନର ଉଲ୍ଲଂଘନ କରି ଜାତୀୟ ଏକତା ଆଣିବା ସମ୍ଭବ ନୁହେଁ। ଦେଶ ଜନତାଙ୍କୁ ନେଇ ଗଠିତ, ନିର୍ଦ୍ଦିଷ୍ଟ ଭୂମିକୁ ନେଇ ନୁହେଁ। କାର୍ଯ୍ୟପାଳିକା କ୍ଷମତାର ଏହି ଦୂରୁପଯୋଗ ଦେଶର ସୁରକ୍ଷା ଉପରେ ଗୁରୁତର ପ୍ରଭାବ ପକାଇବ।’

ଲୋକସଭାରେ କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷ ଅଧୀର ରଂଜନ ଚୌଧୁରୀ ଦଳ ପକ୍ଷରୁ ମତ ରଖି କହିଥିଲେ ଯେ ଧାରା ୩୭୦ ଭାରତର ଆଭ୍ୟନ୍ତରୀଣ ମାମଲା ନୁହେଁ,ଏହା ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ। ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଆହ୍ଵାନ କରିଥିଲେ କି କଶ୍ମୀର କିଭଳି ଏକ ଅଭ୍ୟନ୍ତରୀଣ ପ୍ରସଙ୍ଗ ତାହାର ଜବାବ ଦିଅନ୍ତୁ। ଲୋକସଭାରେ ଅଧିର ରଂଜନ ଚୌଧୁରୀଙ୍କ ଏହି ବକ୍ତବ୍ୟ କଂଗ୍ରେସକୁ ଅପ୍ରସ୍ତୁତି କରିଥିଲା।

ଅନ୍ୟପକ୍ଷରେ କଂଗ୍ରେସର ଅନେକ ବରିଷ୍ଠ ନେତା ୩୭୦ ଧାରା ନେଇ ଦଳର ମତକୁ ସମର୍ଥନ କରିପାରିନାହାନ୍ତି। ଗତକାଲି ରାଜ୍ୟସଭାରେ ଦଳର ମୁଖ୍ୟ ସଚେତକ ଭୁବନେଶ୍ୱର କଲିତା କଶ୍ମୀର ନେଇ ଦଳ ହ୍ଵିିପ୍‌କୁ ବିରୋଧ କରି ଇସ୍ତଫା ଦେଇଥିଲେ। ସେ କହିଥିଲେ ,ବର୍ତ୍ତମାନ ଦେଶର ଜନତା ୩୭୦ ଧାରାର ଉଚ୍ଛେଦ ସପକ୍ଷରେ ଅଛନ୍ତି। ଦଳ ଏହାର ବିରୋଧ କରି ଆତ୍ମହତ୍ୟା କରୁଛି।

The Economic Times

ଗାନ୍ଧୀ ପରିବାରର ବିଶ୍ୱସ୍ତ ଭାବେ ଜଣାଶୁଣା ବରିଷ୍ଠ କଂଗ୍ରେସ ନେତା ଜନାର୍ଦ୍ଦନ ଦ୍ୱିବେଦୀ ମଧ୍ୟ ୩୭୦ ଧାରାର ଉଚ୍ଛେଦକୁ ସମର୍ଥନ କରୁଛନ୍ତି। ସେ କହିଛନ୍ତି, ମୋର ଗୁରୁ ରାମ ମନୋହର ଲୋହିଆ ଏହାକୁ ବିରୋଧ କରୁଥିଲେ। ସ୍ୱାଧୀନତା କାଳରେ ହୋଇଥିବା ତ୍ରୁଟି ସୁଧାରିବା ଆବଶ୍ୟକ ।

ସେହିପରି ଗାନ୍ଧୀଙ୍କ ନିକଟତମ ଭାବେ ପରିଚିତ ହରିୟାଣାର କଂଗ୍ରେସ ନେତା ଦୀପେନ୍ଦର ହୁଡା ଟୁଇଟ୍‌ କରି କହିଛନ୍ତି, ମୋର ବ୍ୟକ୍ତିଗତ ମତ ହେଲା ଏକବିଂଶ ଶତାବ୍ଦୀରେ ଧାରା ୩୭୦ର ଆବଶ୍ୟକତା ଥିବା ମୋର ମନେହୁଏନା। ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡାଙ୍କ ପୁଅ ଦୀପେନ୍ଦର କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ଜାତୀୟ ସ୍ୱାର୍ଥ ଦୃଷ୍ଟିରୁ ଉଚିତ ବୋଲି ମତ ରଖିଛନ୍ତି।

DNA India

ଆଉ ଜଣେ କଂଗ୍ରେସ ନେତା ଜୟବୀର ସେର୍‌ଗିଲ୍‌ ଟୁଇଟର୍‌ ଜରିଆରେ ଧାରା ୩୭୦ର ଉଚ୍ଛେଦକୁ ସମର୍ଥନ କରିଛନ୍ତି। ରାୟବରେଲୀର କଂଗ୍ରେସ ବିଧାୟିକା ଅଦିତୀ ସିଂହ ମଧ୍ୟ କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ ସମର୍ଥନ ଜଣାଇଛନ୍ତି। ସେ ଗଣମାଧ୍ୟମକୁ କହିଛନ୍ତି ଯେ ମୁଁ ଜଣେ ବିଧାୟକ ଭାବେ ଏହି ନିଷ୍ପତ୍ତିକୁ ସମର୍ଥନ କରୁଛି। ଏହା ଜମ୍ମୁ-କଶ୍ମୀରକୁ ମୁଖ୍ୟସୋତ୍ରକୁ ଆଣିବାରେ ସାହାଯ୍ୟ କରିବ। ଏହି ଐତିହାସିକ ନିଷ୍ପତ୍ତିକୁ ସ୍ୱାଗତ କରୁଛି।

ସମ୍ବନ୍ଧିତ ଖବର