କଂଗ୍ରେସ କର୍ମୀଙ୍କ ଦାବି, ପ୍ରିୟଙ୍କା ବାରଣାସୀରୁ ଲଢ଼ନ୍ତୁ

ନୂଆଦିଲ୍ଲୀ: ପ୍ରିୟଙ୍କା ଗାନ୍ଧୀଙ୍କୁ ଗତକାଲି ରାହୁଲ ଗାନ୍ଧୀ କଂଗ୍ରେସ ଦଳର ସାଧାରଣ ସଂପାଦକ ପଦରେ ନିଯୁକ୍ତି ଦେବା ସହିତ ତାଙ୍କୁ ଉତ୍ତର ପ୍ରଦେଶର ପୂର୍ବାଂଚଳ ଦାୟିତ୍ବ ନ୍ୟସ୍ତ କରିଛନ୍ତି। ପୂର୍ବାଂଚଳ ଅଧୀନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ବାଚନ ମଣ୍ଡଳୀ ବାରଣାସୀ ଆସୁଛି। ଏଠାରୁ ମୋଦୀ ଗତ ୨୦୧୪ ନିର୍ବାଚନରେ ଲଢ଼ିଥିଲେ ଏବଂ ଆପ୍‌ର ଅରବିନ୍ଦ କେଜ୍ରିୱାଲଙ୍କୁ ୩ ଲକ୍ଷ ୩୭ ହଜାର ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ। ମୋଦୀ ୫ ଲକ୍ଷ ୧୬ ହଜାର ୫୯୩ ଖଣ୍ଡ ଭୋଟ ପାଇଥିବାବେଳେ କେଜ୍ରିୱାଲ ୧ ଲକ୍ଷ ୭୯ ହଜାର ୭୩୯ ଖଣ୍ଡ ଭୋଟ ପାଇଥିଲେ। ଏଠାରୁ କଂଗ୍ରେସ, ଏସପି ଏବଂ ବିଏସପି ପ୍ରାର୍ଥୀମାନେ ଅମାନତ ଜମା ହରାଇଥିଲେ। ତେବେ ଚଳିତବର୍ଷର ସାଧାରଣ ନିର୍ବାଚନରେ କେଜ୍ରିୱାଲ ବାରଣାସୀରୁ ନିର୍ବାଚନ ଲଢ଼ିବେ ନାହିଁ ବୋଲି ପୂର୍ବରୁ ସ୍ପଷ୍ଟ କରି ସାରିଛନ୍ତି।

ଏସବୁ ଦୃଷ୍ଟିରୁ ଏହି ଗୁରୁତ୍ବପୂର୍ଣ୍ଣ ଆସନରୁ ପ୍ରିୟଙ୍କା ନିର୍ବାଚନ ଲଢ଼ନ୍ତୁ ବୋଲି ସ୍ଥାନୀୟ କଂଗ୍ରେସ କର୍ମୀମାନେ ଦାବି କରିବା ଆରମ୍ଭ କରିଦେଇଛନ୍ତି। ଗତକାଲି ପ୍ରିୟଙ୍କା ସାଧାରଣ ସଂପାଦକ ପଦରେ ନିଯୁକ୍ତି ପାଇବା ପରେ ଆଜି ବାରଣାସୀ ନିର୍ବାଚନ ମଣ୍ଡଳୀରେ ପ୍ରିୟଙ୍କାଙ୍କ ପୋଷ୍ଟର ଛାଇ ହୋଇଯାଇଛି। ସେ ଏଠାରୁ ନିର୍ବାଚନ ଲଢ଼ନ୍ତୁ ବୋଲି ଉକ୍ତ ପୋଷ୍ଟରରେ ଉଲ୍ଲେଖ କରାଯାଇଛି। ସ୍ଥାନୀୟ ଯୁବ କଂଗ୍ରେସ କର୍ମୀମାନଙ୍କ ଉତ୍ସାହ ବଢ଼ିଯାଇଛି। ପ୍ରିୟଙ୍କା ସେମାନଙ୍କ ସାଂସଦ ହୁଅନ୍ତି ବୋଲି ସେମାନେ ସ୍ଲୋଗାନ ଦେବା ଆରମ୍ଭ କରିଦେଇଛନ୍ତି। ଯଦି ବାରଣାସୀରେ ପ୍ରିୟଙ୍କା ନିର୍ବାଚନ ଲଢ଼ନ୍ତି ଏହାର ପ୍ରଭାବ ପଡ଼ୋଶୀ ରାଜ୍ୟ ଉପରେ ମଧ୍ୟ ପଡ଼ିବ ବୋଲି ସେମାନେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର