ମନ୍ତ୍ରୀ ପଦ ନମିଳିବାରୁ କଂଗ୍ରେସ ବିଧାୟକଙ୍କ ମେଳି

ବେଙ୍ଗାଲୁରୁ: କର୍ଣ୍ଣାଟକ କ୍ୟାବିନେଟର ପ୍ରଥମ ପର୍ଯ୍ୟାୟ ସମ୍ପ୍ରସାରଣ ପରେ ଅସନ୍ତୁଷ୍ଟ କଂଗ୍ରେସ ବିଧାୟକମାନେ ଆଜି ବେଙ୍ଗାଲୁରୁରେ ବୈଠକ କରିବା ପରେ ଆନ୍ଦୋଳନରେ ବସିଛନ୍ତି। ସେମାନଙ୍କର ଯୋଗ୍ୟତା ଥାଇ ମଧ୍ୟ କାହିଁକି ମନ୍ତ୍ରୀପଦ ମିଳିନାହିଁ ସେନେଇ ପାର୍ଟି ହାଇ କମାଣ୍ଡ ଉତ୍ତର ଦିଅନ୍ତୁ ବୋଲି ସେମାନେ ଦାବି କରିଛନ୍ତିି। ପୂର୍ବ କଂଗ୍ରେସ ସରକାରରେ ମନ୍ତ୍ରୀପଦରେ ଥିବା ଦଳର ଛାମୁଆ ନେତା ଏମ.ବି.ପାଟିଲ, ଦିନେଶ ଗୁଣ୍ଡୁ ରାଓ, ରାମଲିଙ୍ଗା ରେଡ୍ଡୀ ଏଚ.କେ.ପାଟିଲ ଆଦି ନେତାଙ୍କୁ ଏଥର ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇନାହିଁ। ଆଜି ଏନେଇ ଏମ.ବି.ପାଟିଲଙ୍କ ବାସଭବନରେ ଏକ ବୈଠକ ହୋଇଥିଲା। ପୁଣିଥରେ ଦିଲ୍ଲୀ ଗସ୍ତ କରି ଏହି ପ୍ରସଙ୍ଗରେ ସେମାନେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା କରିବେ ବୋଲି ସେମାନେ କହିଛନ୍ତି। ଏମ.ପି.ପାଟଲଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ବେଳେ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବା ନେଇ ଚାଲିଥିବା ଆକଳନକୁ ଖଣ୍ଡନ କରି ସେ କହିଛନ୍ତି ଯେ, ଜଣେ ପୂର୍ବତନ ମନ୍ତ୍ରୀ କେବେ ଦ୍ୱିତୀୟ ଶ୍ରେଣୀ ନେତା ନୁହେଁ। ଏଭଳି କରାଯାଇ ତାଙ୍କର ଅପମାନ କରାଯାଉଛି। ବେଲାଗାଭୀ, ହାବେରୀ, ଚେଲ୍ଲାକେରେ ଆଦି ଅଞ୍ଚଳରେ ମନ୍ତ୍ରିପଦ ଆଶାୟୀ ବିଧାୟକଙ୍କ ସମର୍ଥକମାନେ ବିରୋଧ ପ୍ରଦର୍ଶନ କରିବା ସହ ଆନ୍ଦୋଳନ କରିଛନ୍ତିି। ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରାମେୟାଙ୍କୁ ମଧ୍ୟ ମନ୍ତ୍ରିମଣ୍ଡଳରେ ସାମିଲ କରାନଯିବା ଅତ୍ୟନ୍ତ ଦୁଃଖର ବିଷୟ ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧିତ ଖବର