ସରକାରଙ୍କୁ କଂଗ୍ରେସର ପ୍ରଶ୍ନ, ଭାରତରେ ଚୀନ ସେନା ନପଶି ୨୦ ଯବାନ ‌ସହିଦ ହେଲେ କେମିତି?

ନୂଆଦିଲ୍ଲୀ: ଭାରତ ଓ ଚୀନ ସେନା ମଧ୍ୟରେ ଲଦାଖରେ ଗତ କିଛି ସପ୍ତାହ ହେଲା ଦେଖାଦେଇଥିବା ଉତ୍ତେଜନାମୂଳକ ପରିସ୍ଥିତି ଉପରେ କଂଗ୍ରେସ ସରକାରଙ୍କୁ ଆଜି ଆକ୍ରମଣ କରିଛି। କଂଗ୍ରେସ ଦଳ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ୫ଟି ପ୍ରଶ୍ନ ପଚରାଯାଇଛି। ଚୀନ ସେନା ଯଦି ଭାରତର ସୀମା ଭିତରକୁ ପ୍ରବେଶ କରିନାହାନ୍ତି ତାହେଲେ ଭାରତର ୨୦ ଜଣ ଯବାନ ସହିଦ ହେଲେ କିପରି ବୋଲି ଦଳ ପ୍ରଧାନମନ୍ତ୍ରୀଙ୍କୁ ପଚାରିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମୋଦୀଙ୍କର ଜଣେ ଉତ୍ତମ ‌ବନ୍ଧୁ ହୋଇଥିଲେ ମଧ୍ୟ ସେ ଭାରତର ସମର୍ଥନରେ କାହିଁକି ବାହାରି ନାହାନ୍ତି? ସେନା, ସାଟେଲାଇଟ ଚିତ୍ର ଆଦିରୁ ଚୀନ ସେନା ଭାରତର ସୀମାରେ ପ୍ରବେଶ କରିଛନ୍ତି ବୋଲି ସ୍ପଷ୍ଟ କରାଯାଇଥିଲେ ମଧ୍ୟ ସରକାର କାହିଁକି ଏହାକୁ ଅସ୍ବୀକାର କରୁଛନ୍ତି? ପାଙ୍ଗଓଙ୍ଗ ସୋ ହ୍ରଦ ନିକଟରେ ଭାରତ ସୀମାର ୮ କିମି ଭିତରକୁ ଚୀନ ପ୍ରବେଶ କରିଛି, ୬୦ଟି ସ୍ଥାୟୀ ନିର୍ମାଣ କରିଛନ୍ତି ଏବଂ ଫିଙ୍ଗର୪ ପର୍ଯ୍ୟନ୍ତ ନିଜ ଅଧୀନକୁ ନେଇଛନ୍ତି ବୋଲି ବିଶେଷଜ୍ଞମାନେ ବିବୃତି ଦେଇଥିଲେ ମଧ୍ୟ ସରକାର ଏହାକୁ ଗ୍ରହଣ କରୁନାହାନ୍ତି କାହିଁକି ବୋଲି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କପିଲ ସିବଲ୍‌ ପଚାରିଛନ୍ତି। ଭାରତ ସୀମାରେ କେହି ପ୍ରବେଶ କରିନାହାନ୍ତି ସଂପର୍କିତ ବିବୃତି ଉପରେ ସରକାର ସ୍ପଷ୍ଟୀକରଣ ଦେବାର ପରଦିନ କଂଗ୍ରେସ ପକ୍ଷରୁ ସରକାରଙ୍କୁ ଏଭଳି ଆକ୍ରମଣ କରାଯାଇଛି।

ସମ୍ବନ୍ଧିତ ଖବର