ଫେସବୁକ୍‌ରେ ପାତରଅନ୍ତର, ଜେପିସି ତଦନ୍ତ ଦାବିକଲା କଂଗ୍ରେସ

ନୂଆଦିଲ୍ଲୀ: ଫେସବୁକ୍ ବିରୋଧରେ କଂଗ୍ରେସ ଦଳ ଏହାର ଆକ୍ରମଣକୁ ଆହୁରି ତୀବ୍ର କରିଛି। ଫେସବୁକ୍ ଘୃଣାସୂଚକ ବିଷୟବସ୍ତୁ ପ୍ରସାର କରୁଥିବାରୁ ଭାରତରେ ଏହା ଗଣତନ୍ତ୍ରକୁ ଅସ୍ଥିର କରୁଛି ବୋଲି କଂଗ୍ରେସ ସୋମବାର ଅଭିଯୋଗ କରିଛି। କେତେକ ବିଜେପି ନେତାଙ୍କ ଘୃଣା ମନ୍ତବ୍ୟ କ୍ଷେତ୍ରରେ ଫେସବୁକ୍ ପଦକ୍ଷେପ ନେଉନାହିଁ ବୋଲି ଆମେରିକାର ୱାଲ ଷ୍ଟ୍ରିଟ ଜର୍ଣ୍ଣାଲରେ ରିପୋର୍ଟ ପ୍ରକାଶ ପାଇବା ପରେ କଂଗ୍ରେସ ଏହି ସମାଲୋଚନା କରିଛି।

ତେବେ ଆମେରିକୀୟ ଜର୍ଣ୍ଣାଲରେ ପ୍ରକାଶ ପାଇଥିବା ରିପୋର୍ଟ ଉପରେ ଫେସବୁକ୍ ତାହାର ପ୍ରତିକ୍ରିୟା ରଖିଛି। କମ୍ପାନି ଏହାର ସୋସିଆଲ ମିଡିଆ ପ୍ଲାଟଫର୍ମରେ ହିଂସାକୁ ଉସୁକାଇବା ଭଳି ଘୃଣା ମନ୍ତବ୍ୟ ଓ ବିଷୟବସ୍ତୁକୁ ଅନୁମତି ପ୍ରଦାନ କରି ନଥାଏ। ବିଶ୍ବବ୍ୟାପୀ କମ୍ପାନି ଏହି ନିୟମ କାର୍ଯ୍ୟକାରୀ କରିଥାଏ। ରାଜନୈତିକ ଦଳକୁ ନେଇ କୌଣସି ପ୍ରକାର ପାତରଅନ୍ତର ନଥାଏ। ତେବେ ଫେସବୁକ୍ ପାଇଁ ଭାରତ ଏକ ବଡ଼ ବଜାର ହୋଇଥିବାରୁ ଏଠାରେ ଅଧିକ କିଛି କରିବାକୁ ପଡ଼ିବ ବୋଲି କମ୍ପାନି କହିଛି।

ତେଲେଙ୍ଗାନାର ଜଣେ ବିଜେପି ବିଧାୟକ ଘୃଣା ମନ୍ତବ୍ୟ ଦେଇଥିଲେ। ତାଙ୍କ ବିରୋଧରେ ଫେସବୁକ୍ ସବୁଦିନ ପାଇଁ କଟକଣା ଲଗାଇଥାନ୍ତା। କିନ୍ତୁ ଏହି ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ପାଇଁ ଭାରତରେ ଫେସବୁକର ଜଣେ ବରିଷ୍ଠ ଅଧିକାରୀ ହସ୍ତକ୍ଷେପ କରିଥିଲେ। ଫେସବୁକର ଜଣେ ଅଧିକାରୀଙ୍କ ଦାବିକୁ ଉଦ୍ଧାର କରି ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲ ଉକ୍ତ ରିପୋର୍ଟ ପ୍ରକାଶ କରିଥିଲା। ଏହି ରିପୋର୍ଟ ପ୍ରକାଶ ପାଇବା ପରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ସରକାରଙ୍କୁ ସମାଲୋଚନା କରିଥିଲେ। ତେବେ ରାହୁଲଙ୍କ ଏହି ସମାଲୋଚନାକୁ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଖଣ୍ଡନ କରିଥିଲେ। ଏହି ମାମଲାରେ କଂଗ୍ରେସ ଆଜି ଯୁଗ୍ମ ସଂସଦୀୟ କମିଟି (ଜେପିସି) ତଦନ୍ତ ଦାବି କରିଛି। ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ପ୍ରବକ୍ତା ସୁପ୍ରିୟା ଶ୍ରୀନାତେ କହିଛନ୍ତି, ଭାରତ ହେଉଛି ବିଶ୍ବର ପ୍ରମୁଖ ଗଣତନ୍ତ୍ର ମଧ୍ୟରେ ଅନ୍ୟତମ। ତେବେ ଫେସବୁକ୍ ଘୃଣା ମନ୍ତବ୍ୟ ଓ ବିଷୟବସ୍ତୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉ ନଥିବାରୁ ଏହା ଆମ ଗଣତନ୍ତ୍ରକୁ ଅସ୍ଥିର କରୁଛି ବୋଲି ସେ ମତ ଦେଇଛନ୍ତି। ବିଭିନ୍ନ ଦେଶ ପାଇଁ ଫେସବୁକର ଭିନ୍ନ ଭିନ୍ନ ନିୟମ ରହିଛି। ତାହା ଗ୍ରହଣଯୋଗ୍ୟ ନୁହେଁ ବୋଲି ସେ କହିଛନ୍ତି।

କମ୍ପାନି ଆମେରିକା ଏବଂ ତୁର୍କୀ ଭଳି ଦେଶରେ ଘୃଣାସୂଚକ ବିଷୟବସ୍ତୁକୁ ପ୍ଲାଟଫର୍ମରୁ ହଟାଇବା ସହିତ ପ୍ରେସ ଇସ୍ତାହାରମାନ ଜାରି କରିଛି। କିନ୍ତୁ ଭାରତରେ ଗୁଜବ ସୃଷ୍ଟି କରୁଥିବା ଏବଂ ଘୃଣା ମନ୍ତବ୍ୟ ବିରୋଧରେ କମ୍ପାନି କାହିଁକି ସମାନ ପଦକ୍ଷେପ ଗ୍ରହଣ କରୁନାହିଁ ତାହା ତାଙ୍କୁ ଆଶ୍ଚର୍ଯ୍ୟ କରିଛି ବୋଲି ଶ୍ରୀନାତେ କହିଛନ୍ତି। ଫେସବୁକରେ ହିଂସାକୁ ଉସୁକାଇବା ଭଳି ବହୁସଂଖ୍ୟାରେ ଘୃଣା, ମହିଳାଙ୍କୁ ଦୁର୍ବ୍ୟବହାର ଏବଂ କୌଣସି ଗୋଷ୍ଠୀକୁ ଟାର୍ଗେଟ କରିବା ଭଳି ମନ୍ତବ୍ୟ ରହିଛି ବୋଲି ସେ ଦାବି କରିଛନ୍ତି। ତେବେ ଏହି ବିବାଦ ପରିପ୍ରେକ୍ଷୀରେ କମ୍ପାନିର ପ୍ରବକ୍ତା କହିଛନ୍ତି, ଆମେ ହିଂସା, ଘୃଣା ସୃଷ୍ଟି କରୁଥିବା ବକ୍ତବ୍ୟର ପ୍ରସାରକୁ ବାରଣ କରିଥାଉ। ଉଲ୍ଲେଖଯୋଗ୍ୟ ଏହି ପ୍ରସଙ୍ଗରେ ଗତକାଲି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କଂଗ୍ରେସକୁ ସମାଲୋଚନା କରିବା ସହିତ ବିରୋଧୀ ଦଳକୁ କେମ୍ବିଜ ଆନାଲିଟିକା ପ୍ରସଙ୍ଗ ମନେ ପକାଇ ଦେଇଥିଲେ।

ସମ୍ବନ୍ଧିତ ଖବର