ବିବାଦରେ ଇଭାଙ୍କାଙ୍କୁ ମୋଦିଙ୍କ ଆତିଥ୍ୟ

ନୂଆଦିଲ୍ଲୀ: ହାଇଦ୍ରାବାଦ ଠାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସୁକନ୍ୟା ତଥା ହ୍ଵାଇଟ୍‌ହାଉସ୍‌ର ଅନ୍ୟତମ ଉପଦେଷ୍ଟା ଇଭାଙ୍କା ଟ୍ରମ୍ପ୍‌ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ନୈଶଭୋଜିରେ ଆପ୍ୟାୟିତ କରିବା ଘଟଣାରେ କଂଗ୍ରେସ ଆପତ୍ତି ଉଠାଇଛି। ଏହା ଦ୍ୱାରା ମୋଦି ପ୍ରଧାନମନ୍ତ୍ରୀ ପଦବି ପାଇଁ ଉଦ୍ଦିଷ୍ଟ ପ୍ରୋଟୋକଲ୍‌ର ଉଲ୍ଲଂଘନ କରିଛନ୍ତି ବୋଲି କଂଗ୍ରେସ ଅଭିଯୋଗ ଆଣିଛି।

ମୋଦିଙ୍କୁ ଇଭାଙ୍କା ଭୂୟସୀ ପ୍ରଶଂସା କରିବା ଘଟଣାକୁ ଆକ୍ଷେପ କରି କଂଗ୍ରେସ ମୁଖପାତ୍ର ଦୀପିନ୍ଦର ହୁଦା କହିଛନ୍ତି ଯେ ଜଣେ ରାଷ୍ଟ୍ରମୁଖ୍ୟଙ୍କ ଠାରୁ ବି ଅଧିକ ଆତିଥ୍ୟ ମିଳିଗଲେ ଯେ କେହି ବି ପ୍ରଶଂସାରେ ଶତମୁଖ ହୋଇପଡ଼ିବ। ତେବେ ଏଭଳି ପ୍ରଶଂସା ପାଇବାକୁ ଏବଂ ଫଟୋ ଉଠାଇବାକୁ ବିକଳ ହେଉଥିବା ମୋଦି ନିଜେ ହାଇଦ୍ରାବାଦରେ ପହଞ୍ଚିବା ସହ ଇଭାଙ୍କାଙ୍କ ଲାଗି ନୈଶଭୋଜିର ଆୟୋଜନ ମଧ୍ୟ କରିଦେଲେ। ଏହାଦ୍ୱାରା ପ୍ରଧାନମନ୍ତ୍ରୀ ସମସ୍ତ ପରମ୍ପରା ଭଙ୍ଗ କରିଛନ୍ତି ବୋଲି ଦୀପେନ୍ଦର ଅଭିଯୋଗ କରିଛନ୍ତି। ଯଦି ମୋଦିଙ୍କର ଏଭଳି ଆମେରିକା ରାଷ୍ଟ୍ରପତିଙ୍କ କନ୍ୟାଙ୍କୁ ଏଭଳି ଚର୍ଚ୍ଚା କରିବାର ଥିଲା, ସେ ତାଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନକୁ ଇଭାଙ୍କାଙ୍କୁ ନିମନ୍ତ୍ରଣ କରିପାରିଥାନ୍ତେ ବୋଲି ଦୀପେନ୍ଦର କହିଛନ୍ତି। ଇଭାଙ୍କା ଦେଶ ପାଇଁ ଜଣେ ନିମନ୍ତ୍ରିତ ଅତିଥି ହେଲେ ବି ସେ କୌଣସି ରାଷ୍ଟ୍ରମୁଖ୍ୟ ନୁହନ୍ତି। ତେଣୁ ଏସବୁ କଥା ଉଠୁଛି। ଦେଶର ତ ପୁଣି ସମ୍ମାନ ଏବଂ ଆତ୍ମମର୍ଯ୍ୟାଦା ରହିଛି। ମୋଦି ହାଇଦ୍ରାବାଦ ଯାଇ ଇଭାଙ୍କାଙ୍କୁ ଭେଟିବା ଅପେକ୍ଷା ଇଭାଙ୍କା ନୂଆଦିଲ୍ଲୀ ଆସି ମୋଦିଙ୍କୁ ଭେଟିବା ଉଚିତ ଥିଲା ବୋଲି ଦୀପେନ୍ଦର କହିଛନ୍ତି।

ସମ୍ବନ୍ଧିତ ଖବର