ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧,୯୩୩ରେ ପହଞ୍ଚିଲା

୩୯୨ ମୃତ, ଦେଶରେ ୧୭୦ ଜିଲ୍ଲା ହଟ୍‌ସ୍ପଟ୍‌, ମହାରାଷ୍ଟ୍ରରେ ୧୧୭ ନୂଆ ମାମଲା

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ଲଗାତାର ବୃଦ୍ଧି ପାଇବାରେ ଲାଗିଛି। ଆଜି ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧,୯୩୩ରେ ପହଞ୍ଚିଛି । ଏଥିରୁ ୧୦୧୯୭ଟି ସକ୍ରିୟ ମାମଲା ଥିବା ବେଳେ ୩୯୨ ଲୋକ ଏହି ବୈଶ୍ବିକ ମହାମାରୀରେ ପ୍ରାଣ ହରାଇଛନ୍ତି। ତେବେ ୧୩୪୪ ଜଣ ଆକ୍ରାନ୍ତ ସଂକ୍ରମଣମୁକ୍ତ ହୋଇ ହସ୍ପିଟାଲରୁ ଫେରିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୦୭୬ଟି ନୂଆ କରୋନା ଆକ୍ରାନ୍ତ ମାମଲା ସାମ୍ନାକୁ ଆସିଛି ଏବଂ ମୋଟ ୩୮ ଜଣଙ୍କ ମୃତ୍ୟୁ ଘଟିଛି। ଆଜିଠାରୁ ଦେଶରେ ଲକ୍‌ଡାଉନ୍‌ ୨.୦ କାର୍ଯ୍ୟକାରୀ ହୋଇଥିବା ବେଳେ ଗୃହ ମନ୍ତ୍ରାଳୟ ପକ୍ଷରୁ ନୂତନ ନିର୍ଦ୍ଦେଶାବଳୀ ଜାରି ହୋଇଛି।

ଆଜି ମହାରାଷ୍ଟ୍ରରେ ୧୧୭ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ଗୁଜରାଟରେ ୫୬, ରାଜସ୍ଥାନରେ ୨୯, ଆନ୍ଧ୍ର ପ୍ରଦେଶରେ ୧୯, କର୍ଣ୍ଣାଟକରେ ୧୭, ମୁମ୍ବାଇର ଧାରାବୀରେ ୫ ଏବଂ ବିହାରରେ ୪ଟି ନୂଆ ମାମଲା ଚିହ୍ନଟ ହୋଇଛି। ଦେଶବ୍ୟାପୀ ୧୭୦ଟି ଜିଲ୍ଲା କରୋନା ହଟ୍‌ସ୍ପଟ ଭାବେ ଚିହ୍ନଟ ହୋଇଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି ଯେ ଜିଲ୍ଲାଗୁଡ଼ିକୁ ଏବେ ହଟ୍‌ସ୍ପଟ୍‌ ଜିଲ୍ଲା, ହଟ୍‌ସ୍ପଟ ମୁକ୍ତ ଜିଲ୍ଲା ଏବଂ ଗ୍ରୀନ୍‌ ଜିଲ୍ଲାରେ ବିଭକ୍ତ କରାଯିବ। ଏହି ଆଧାରରେ ଜିଲ୍ଲାମାନଙ୍କ ପାଇଁ ରଣନୀତି ପ୍ରସ୍ତୁତ ହେବ। ଆଜି ସମସ୍ତ ମୁଖ୍ୟ ସଚିବ, ଡିଜିପି, ସ୍ବାସ୍ଥ୍ୟ ସଚିବ, ଜିଲ୍ଲାପାଳ, ଏସ୍‌ପି, ପୌର କମିସନର ଏବଂ ସିଏମ୍‌ଓଙ୍କ ସହିତ ଏକ ଭିଡିଓ କନ୍‌ଫରେନ୍ସିଂରେ ଏ ବାବଦ ବିସ୍ତୃତ ଆଲୋଚନା ହୋଇଛି।

ରାଜସ୍ଥାନରେ ଆଜି ୧୨ଟି ନୂଆ ମାମଲା ସହିତ ସଂକ୍ରମିତଙ୍କ ସଂଖ୍ୟା ୧୦୪୬ରେ ପହଞ୍ଚିଛି। କର୍ଣ୍ଣାଟକରେ ୧୭ ନୂଆ ମାମଲା ସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭୭ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୭୫ ଜଣ ସୁସ୍ଥ ହୋଇ ଫେରିଛନ୍ତି। ଅନ୍ୟପକ୍ଷରେ ମହାରାଷ୍ଟ୍ରରେ ଆକ୍ରାନ୍ତ ୨୮୦୧ରେ ପହଞ୍ଚିଛି। ଆଜି ଚିହ୍ନଟ ହୋଇଥିବା ୧୧୭ ନୂଆ ମାମଲାରେ ମୁମ୍ବାଇର ୬୬ ଏବଂ ପୁନେର ୪୪ଟି ମାମଲା ରହିଛି। ଗତକାଲି ବାନ୍ଦ୍ରାରେ ଯେଭଳି ଭାବରେ ଶ୍ରମିକମାନେ ଏକାଠି ହୋଇଥିଲେ ସେଥିପାଇଁ ଦାୟୀ ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆଜି ରାଜ୍ୟ କ୍ୟାବିନେଟ୍‌ ମନ୍ତ୍ରୀ ଅଶୋକ ଚୌହାନ କହିଛନ୍ତି। ଏହି ମାମଲାରେ ଗିରଫ ହୋଇଥିବା ବିନୟ ଦୁବେ ନାମକ ଜେନୈକ ବ୍ୟକ୍ତିଙ୍କୁ ୨୧ ଏପ୍ରିଲ ପର୍ଯ୍ୟନ୍ତ ପୁଲିସ ହାଜତକୁ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର