ଦ୍ରୁତ ସଂକ୍ରମଣ, ଦିନକରେ ୪୦ ହଜାର, ୩ ମାସରେ ସର୍ବାଧିକ

ନୂଆଦିଲ୍ଲୀ : ଦେଶରେ ବିଗତ ୨୪ ଘଣ୍ଟା‌ ମଧ୍ୟରେ ପ୍ରାୟ ୪୦ ହଜାର ନୂଆ କରୋନା ସଂକ୍ରମଣ ମାମଲା ଭୟ ସୃଷ୍ଟି କରିଛି। ନଭେମ୍ବର ୨୯ ପରେ ପ୍ରଥମ ଥର ପାଇଁ ଦେଶରେ ଏତେ ସଂଖ୍ୟକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ୩୯,୭୨୬ ନୂଆ ମାମଲା ସହ ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୧,୧୫,୧୪,୩୩୧ରେ ପହଞ୍ଚିଛି । ଅନ୍ୟପକ୍ଷେ ମୃତ୍ୟୁସଂଖ୍ୟା ୧,୫୯,୩୭୦କୁ ବୃଦ୍ଧି ପାଇଛି। ବିଗତ ୨୪ ଘଣ୍ଟା ମଧ୍ୟରେ ୧୫୪ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ମହାରାଷ୍ଟ୍ରରେ ଗତକାଲି ସର୍ବାଧିକ ୨୫,୮୩୩ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିଲା। ଅନ୍ୟପକ୍ଷେ ୧୫ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ମଧ୍ୟ ସଂକ୍ରମଣ ମାମଲା ଅଧିକ ରହିଛି।

ଦେଶର ମୋଟ୍ ମାମଲାର ୬୩.୨୧ ପ୍ରତିଶତ ମହାରାଷ୍ଟରେ ରହିଛି। ଏହାପଛକୁ ‌କେରଳ ଏବଂ ପଂଜାବରେ ସଂକ୍ରମଣ ମାମଲା ଅଧିକ ରହିଛି। ମଧ୍ୟପ୍ରଦେଶ, ରାଜସ୍ଥାନ, ତାମିଲନାଡ଼ୁ ଏବଂ ଗୁଜରାଟରେ ମଧ୍ୟ ସଂକ୍ରମଣ ଲଗାତାର ବଢ଼ୁଥିବାରୁ ଅଧିକ ସତର୍କତା ପଦକ୍ଷେପ ଗ୍ରହଣ ହୋଇଛି। ମହାରାଷ୍ଟ୍ରରେ ସଂକ୍ରମଣ ବଢ଼ିବାରୁ ସରକାର ନୂଆ କଟକଣା ଜାରି କରିଛନ୍ତି। ସେହିପରି ପଂଜାବ ସରକାର ମଧ୍ୟ ନୂଆ ନିର୍ଦ୍ଦେଶାବଳି ଜାରି କରିଛନ୍ତି। ପଂଜାବରେ ୧୧ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଜାରି ହୋଇଛି। ସମସ୍ତ ସ୍କୁଲ୍‌ କଲେଜ୍‌ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିଛି। ବିବାହ, ଅନ୍ତ୍ୟେଷ୍ଟି କ୍ରିୟା ବାଦ୍‌ ଅନ୍ୟ ସମସ୍ତ କାର୍ଯ୍ୟକ୍ରମ ବନ୍ଦ ରହିଛି। ସଂକ୍ରମଣ ବଢ଼ିବାରୁ ଦେଶରେ ଟେଷ୍ଟିଂ ବୃଦ୍ଧି କରାଯାଇଛି। ଆଇସିଏମ୍ଆର ରିପୋର୍ଟ ଅନୁଯାୟୀ ଦେଶରେ ଏବେ ୨୩,୧୩,୭୦,୫୪୬ ନମୁନା ପରୀକ୍ଷା ‌ହୋଇଛି। ଗତକାଲି କେବଳ ୧୦,୫୭,୩୮୩ ନମୁନା ପରୀକ୍ଷା ହୋଇଥିଲା।

ଦେଶରେ ଦ୍ବିତୀୟ ଲହର ସଂକ୍ରମଣ ରୋକିବାପାଇଁ ସମସ୍ତ ରାଜ୍ୟ ଟେଷ୍ଟିଂ ବଢ଼ାଇବା ସହ କଣ୍ଟାକ୍ଟ ଟ୍ରେସିଂ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ଗୁରୁତ୍ବାରୋପ କରିଛନ୍ତି। ଏଥିସହ ଚିକିତ୍ସା ପାଇଁ ସଠିକ୍‌ ପଦକ୍ଷେପ ଗ୍ରହଣ କରିବାକୁ ଆଇଏମ୍‌ଏ (ଇଣ୍ଡିଆନ୍‌ ମେଡିକାଲ୍‌ ଆସୋସିଏସନ୍‌) ପକ୍ଷରୁ କୁହାଯାଇଛି। କୌଣସି ପ୍ରକାର ଭୁଲ୍‌ ଔଷଧ ଗ୍ରହଣ ନକରିବାପାଇଁ ଆଇଏମ୍‌ଏ ଚେତାଇ ଦେଇଛି।

ସମ୍ବନ୍ଧିତ ଖବର