କଏଦୀଙ୍କୁ ମିଳିପାରେ ପାରୋଲ କିମ୍ବା ଜାମିନ

ନୂଆଦିଲ୍ଲୀ: ‌ଦେଶର ଜେଲ୍‌ଗୁଡ଼ିକରେ କ୍ଷମତା ଠାରୁ ଅଧିକ ସଂଖ୍ୟକ କଏଦୀ ରହୁଛନ୍ତି। ଏବେ କରୋନା ଭୂତାଣୁ ବ୍ୟାପୁଥିବାରୁ କଏଦୀମାନେ ଏହି ରୋଗର ଶିକାର ହେବା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଜେଲ୍‌ଗୁଡ଼ିକରୁ କଏଦୀଙ୍କ ସଂଖ୍ୟା ହ୍ରାସ କରିବା ଲାଗି ସୁପ୍ରିମ କୋର୍ଟ ଗତ ସପ୍ତାହରେ ନିଜ ଆଡ଼ୁ ଏକ ମାମଲା ବିଚାର ପାଇଁ ଗ୍ରହଣ କରିଥିଲେ। ପ୍ରଧାନ ବିଚାରପତି ଏସ ଏ ବୋ‌ବଡେ ଆଜି ଏହି ମାମଲାର ଶୁଣାଣି କରି ଆଦେଶ ଦେଇଛନ୍ତି ଯେ ଯେଉଁ କଏଦୀମାନଙ୍କୁ ୭ ବର୍ଷ କିମ୍ବା ତାଠାରୁ କମ୍ ଦଣ୍ଡ ଦିଆଯାଇଛି ସେମାନଙ୍କୁ ପାରୋଲ କିମ୍ବା ଅନ୍ତରୀଣ ଜାମିନ୍‌ରେ ଛଡ଼ାଯାଇ ପାରିବ। ଏଥିପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବା ପାଇଁ ଅଦାଲତ ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କମିଟି ହିଁ ନିଷ୍ପତ୍ତି ନେବ କେଉଁ କଏଦୀଙ୍କୁ ପାରୋଲ ବା ଜାମିନ ଦିଆଯିବ ଏବଂ କେଉଁମାନଙ୍କୁ ନୁହେଁ। କଏଦୀମାନଙ୍କୁ ବିଭିନ୍ନ ବର୍ଗରେ ବିଭକ୍ତ କରାଯିବା ସହିତ ସେମାନଙ୍କ ବ୍ୟବହାରକୁ ଏଥିପାଇଁ ବିଚାରକୁ ନିଆଯିବ। କମିଟିରେ ରାଜ୍ୟ ଆଇନ ସଚିବ ଏବଂ ରାଜ୍ୟ ଆଇନ ସେବା କର୍ତ୍ତୃପକ୍ଷର ଅଧ୍ୟକ୍ଷ ସଦସ୍ୟ ରହିବେ।

ସମ୍ବନ୍ଧିତ ଖବର