କରୋନା ଖିଲାପ : ୨ ବିଦେଶ ଫେରନ୍ତାଙ୍କ ନାଁରେ ମାମଲା

ତଥ୍ୟ ଲୁଚାଇବା ଅଭିଯୋଗରେ ୨ ଜଣଙ୍କ ନାମରେ ମାମଲା, ଭଦ୍ରକରେ ବ୍ୟବସାୟୀ ଗିରଫ, ଫୁଲବାଣୀରେ  ବର ଓ ବଡ଼ଭାଇ ଗିରଫ

ବ୍ରହ୍ମପୁର/ପାତ୍ରପୁର : ସଙ୍ଗରୋଧ ଖିଲାପ କରିଥିବା ଦୁଇ ବିଦେଶ ଫେରନ୍ତାଙ୍କ ନାମରେ ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ପୁଲିସ ମାମଲା ରୁଜୁ କରିଛି। ପ୍ରଶାସନର ଏତଲା କ୍ରମେ ପୁଲିସ ମାମଲା ରୁଜୁ କରିଥିବା ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ପାତ୍ରପୁର ବ୍ଲକ ଅଞ୍ଚଳର ଦୁଇ ଜଣ ବି‌ଦେଶରୁ ଫେରିଥିଲେ। ଜଣେ ମାସ୍କଟରୁ ଆସିଥବାବେଳେ ଅନ୍ୟ ଜଣେ ଦୋହାରୁ ଫେରି କୋଭିଡ଼-୧୯(୧୦୪)ରେ ପଞ୍ଜୀକରଣ କରିଥିଲେ । ସ୍ବାସ୍ଥ୍ୟ ପରୀକ୍ଷା ପରେ ସେମାନଙ୍କୁ ଘରେ ୧୪ ଦିନ ( ସଙ୍ଗରୋଧ) ‌ହୋଇ ରହିବାକୁ କୁହାଯାଇଥିଲା। ଏହାର ଖିଲାପ କରି ସେମାନଙ୍କ ମଧ୍ୟରୁ ଜଣେ ତାସ ଖେଳୁଥିବା ବେଳେ ଅନ୍ୟଜଣେ ଗାଁରେ ବୁଲୁଥିଲେ। ଜଣକ ନାମରେ ତହସିଲଦାର ଶ୍ରୀନିବାସ ବେହେରା ଏତଲା ଦେଇଥିବା ବେଳେ ଅନ୍ୟ ଜଣକ ନାମରେ ବିଡିଓ ପ୍ରକାଶ ଦାସ ଏତଲା ଦେଇଥିବା ଜରଡା ଥାନା ଅଧିକାରୀ ମୃତ୍ୟୁଞ୍ଜୟ ସ୍ବାଇଁ ସୂଚନା ଦେଇଛନ୍ତି ।

ତଥ୍ୟ ଲୁଚାଇବା ଅଭିଯୋଗରେ ୨ ଜଣଙ୍କ ନାମରେ ମାମଲା
ସମ୍ବଲପୁର : ବିଦେଶରୁ ଫେରିଥିବା ବୁର୍ଲା ଅଞ୍ଚଳର ୨ ବ୍ୟକ୍ତି କରୋନା ସତର୍କତା ନିୟମ ଉଲ୍ଲଂଘନ କରିଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ଗୋଶାଳା ଅଞ୍ଚଳର ଜଣେ ଦୋକାନୀ ଗତ ୩ ତାରିଖରେ ମାଲେସିଆ ଯାଇଥିବା ସମୟରେ ସେଠାରୁ ୯ ତାରିଖରେ ସମ୍ବଲପୁରରେ ପହଞ୍ଚିଥିଲେ। କୌଣସି ବ୍ୟକ୍ତି ବିଦେଶରୁ ଫେରିଥିଲେ ସ୍ବତଃପ୍ରବୃତ୍ତ ଭାବେ ୪୮ ଘଣ୍ଟା ମଧ୍ୟରେ ସରକାରୀ ୱେବସାଇଟ୍‌ରେ ସ୍ବୀକାରନାମା ଦେବାକୁ ୧୩ ତାରିଖରେ ସରକାରଙ୍କ ପକ୍ଷରୁ ନିର୍ଦେଶନାମା ଜାରି ହୋଇଥିଲା। ମାତ୍ର ଉକ୍ତ ବ୍ୟକ୍ତି ଏହି ନିୟମକୁ ଉଲ୍ଲଂଘନ କରି ସ୍ବୀକାରନାମା ‌ଦେଇନଥିଲେ। ବରଂ ନିଜେ ଦୋକାନ ଖୋଲି ଲୋକଙ୍କୁ ଜିନିଷ ବିକ୍ରି କରିଥିଲେ। ଏନେଇ ସୂଚନା ମିଳିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଧନକଉଡ଼ା ବିଡିଓ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ଦ୍ବିତୀୟ ଘଟଣାରେ ବୁର୍ଲା ଥାନା ଚିପିଲିମା ଫାଣ୍ଡି ଅନ୍ତର୍ଗତ ବସନ୍ତପୁର ଅଞ୍ଚଳର ଜଣେ ଦୋକାନୀ ଗତ ୧୫ ତାରିଖରେ କାଜାକିସ୍ତାନରୁ ଫେରିଥିଲେ। ମାତ୍ର ସେଠାରୁ ଫେରି ସରକାରଙ୍କ ନିର୍ଦେଶ ମୁତାବକ ସ୍ବୀକାରନାମାରେ ଜଣାଇନଥିଲେ। ଏନେଇ ଅଭିଯୋଗ ହେବା ପରେ ବୁର୍ଲା ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ଭଦ୍ରକରେ ବ୍ୟବସାୟୀ ଗିରଫ
ଭଦ୍ରକ: ଭଦ୍ରକ ଜିଲ୍ଲା ଅନ୍ତର୍ଗତ ସାହାପୁର ଛକରେ ଥିବା ଏକ ସିମେଣ୍ଟ ଗୋଦାମ ଦୋକାନ ଖୋଲିଥିବାରୁ ଉକ୍ତ ବ୍ୟବସାୟୀଙ୍କୁ ଟାଉନ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। କଚେରୀ ଭିତରେ ଥିବା ଏକ ମୋବାଇଲ ଦୋକାନ ଆଇନ ଭଙ୍ଗ କରିଥିବାରୁ ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଫୁଲବାଣୀରେ  ବର ଓ ବଡ଼ଭାଇ ଗିରଫ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନା ଅଞ୍ଚଳର ଖଜୁରୀଗାଁରେ ଏକ ଘଟଣାରେ ବାହାଘର ଭୋଜି ଆୟୋଜନ କରି ବର ଓ ତାଙ୍କ ବଡ଼ ଭାଇ ଗିରଫ ହୋଇଛନ୍ତି। ଭୋଜିରୁ ବର ଓ ତାଙ୍କ ବଡ଼ଭାଇଙ୍କୁ ପୁଲିସ ଉଠାଇ ନେଇଥିବା ଜଣାପଡିଛି। କରୋନା ପାଇଁ ପ୍ରଶାସନର କଟକଣା ଲାଗିଥିବା ବେଳେ ଏହାକୁ ଅମାନ୍ୟ କରି ଗାଁରେ ଦେବେନ୍ଦ୍ର କହଁରଙ୍କ ପୁଅ ବିଜୁ କହଁରଙ୍କ ବାହାଘର ଭୋଜି ଚାଲିଥିଲା। ପୁଲିସ ପହଞ୍ଚି ବର ବିଜୁ ଓ ତାଙ୍କ ବଡ଼ଭାଇ ସର୍ବେଶ୍ବରଙ୍କୁ ଗିରଫ କରି ନେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର