ମାର୍ଚ୍ଚ ୧ରୁ ୬୦ରୁ ଊର୍ଦ୍ଧ୍ବ ବୟସ୍କଙ୍କୁ ଦିଆଯିବ କରୋନା ଟିକା, ବେସରକାରୀ ଟିକାକରଣ କେନ୍ଦ୍ରରେ ଟିକା ନେଲେ ଦେବାକୁ ପଡ଼ିବ ଟଙ୍କା

ନୂଆଦିଲ୍ଲୀ: କରୋନା ଟିକାକରଣ ସମ୍ପର୍କରେ ବୁଧବାର ଭାରତ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ମାର୍ଚ୍ଚ ୧ରୁ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବା ସହ ୬୦ରୁ ଊର୍ଦ୍ଧ୍ବ ବୟସ୍କଙ୍କୁ କରୋନା ଟିକା ଦିଆଯିବ। ବୁଧବାର କ୍ୟାବିନେଟର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର୍ ଏହା ଘୋଷଣା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଜାଭଡେକରଙ୍କ ଅନୁଯାୟୀ, ମାର୍ଚ୍ଚ ୧ରୁ ଗମ୍ଭୀର ଶରୀରିକ ସମସ୍ୟା ଥିବା ୪୫ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ବ୍ୟକ୍ତି ଏବଂ ୬୦ରୁ ଊର୍ଦ୍ଧ୍ବ ବୟସ୍କଙ୍କୁ କରୋନା ଟିକା ଦିଆଯିବ। ଦେଶର ୧୦ହଜାର ସରକାରୀ ଟିକାକରଣ କେନ୍ଦ୍ର ଏବଂ ୨୦,୦୦୦ବେସରକାରୀ ଟିକାକରଣ କେନ୍ଦ୍ରରେ ଏମାନଙ୍କୁ ଟିକା ଦିଆଯିବ।

ସରକାରୀ ଟିକାକରଣ କେନ୍ଦ୍ରରେ ଲୋକଙ୍କୁ ମାଗଣାରେ ଟିକା ଦିଆଯିବ। ହେଲେ ବେସରକାରୀ ଟିକାକରଣ କେନ୍ଦ୍ରରେ ଟିକା ନେବା ପାଇଁ ଟଙ୍କା ଦେବାକୁ ହେବ। ତେବେ ଏପର୍ଯ୍ୟନ୍ତ କରୋନା ଟିକା ନେବା ପାଇଁ ଲୋକେ କେତେ ଟଙ୍କା ଦେବେ, ସେ ବିଷୟରେ କୌଣସିି ସୂୂଚନା ଦିଆଯାଇ ନାହିଁ।

ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଜାନୁଆରି ୧୬ରୁ ଫେବ୍ରୁଆରି ୨୪ମଧ୍ୟରେ ପ୍ରାୟ ୧.୦୭ କୋଟି ଲୋକଙ୍କୁ କରୋନା ଟିକା ଦିଆଯାଇଥିବାବେଳେ ୧୪ଲକ୍ଷ ଲୋକ ଟିକାର ଦ୍ୱିତୀୟ ଡୋଜ ନେଇ ସାରିଛନ୍ତି।

ଉଲ୍ଲେଖଯୋଗ୍ୟ, ଜାନୁଆରିରେ ଭାରତରେ କରୋନା ଟିକାକରଣ କାର୍ଯ୍ୟ ଆରମ୍ଭ ହୋଇଥିଲା, ଯାହା ପରେ ଦେଶବାସୀଙ୍କୁ ବିଭିନ୍ନ ପର୍ଯ୍ୟାୟରେ ଟିକା ଦିଆଯାଇଥିଲା। କରୋନା ଯୋଦ୍ଧାମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ଟିକା ଦିଆଯାଉଛି, ଯେଉଁଥିରେ ସ୍ୱାସ୍ଥ୍ୟ କର୍ମୀ ଏବଂ ଅନ୍ୟ ସମ୍ମୁଖଯୋଦ୍ଧା ରହିଛନ୍ତି।

ସମ୍ବନ୍ଧିତ ଖବର