କୋୱିନ୍ ଆପ ଲଞ୍ଚ କରାଯାଇ ନାହିଁ, ନକଲି ଆପରେ ବ୍ୟକ୍ତିଗତ ତଥ୍ୟ ଦେଇ ଠକାମିର ଶିକାର ହୁଅନ୍ତୁ ନାହିଁ : ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: କରୋନା ବିରୋଧରେ ଚାଲିଥିବା ଲଢ଼େଇ ମଧ୍ୟରେ ଦେଶରେ ଟିକାକରଣ କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। କିନ୍ତୁ ଏହାପୂର୍ବରୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଟିକା ପଞ୍ଜିକରଣ ପାଇଁ ତିଆରି ହେଉଥିବା କୋୱିନ୍ ଆପକୁ ନେଇ ଏକ ବଡ଼ ଚେତାବନୀ ଦେଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ ଟିକା ପଞ୍ଜିକରଣ ପାଇଁ କୌଣସି ଆପ୍ ଲଞ୍ଚ କରାଯାଇ ନାହିଁ, ତେଣୁ କୋୱିନ୍ ନାମକ ଆପ ଉପରେ ଭରସା କରି ଠକାମିର ଶିକାର ହୁଅନ୍ତୁ ନାହିଁ। ଆପରେ ଆପଣଙ୍କର କୌଣସି ବ୍ୟକ୍ତିଗତ ତଥ୍ୟ ଦିଅନ୍ତୁ ନାହିଁ। ଆପ୍ ଲଞ୍ଚ କରାଗଲେ ପର୍ଯ୍ୟାପ୍ତ ସୂଚନା ସହିତ ସମସ୍ତଙ୍କୁ ସୂଚନା ଦିଆଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

କିଛି ଦିନ ତଳେ ଖବର ଆସିଥିଲା ​​ଯେ ସରକାରଙ୍କ ଘୋଷଣା ପରେ ଟିକା ପଞ୍ଜିକରଣ ପାଇଁ ଗୁଗୁଲ୍ ପ୍ଲେ ଷ୍ଟୋରରୁ କୋ-ୱିନ୍ ଆପ୍ ଡାଉନଲୋଡ୍ କରିବାକୁ ପଡିବ। ପଞ୍ଜିକରଣ ପରେ ଶିବିର ବିଷୟରେ ସୂଚନା ଦିଆଯିବ। କିନ୍ତୁ ବର୍ତ୍ତମାନ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏଭଳି କୌଣସି ଆପ ଏ ପର୍ଯ୍ୟନ୍ତ ଲଞ୍ଚ କରାଯାଇ ନଥିବା କୁହାଯାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ମଙ୍ଗଳବାର କହିଥିଲେ ଯେ କରୋନା ଟିକା ଅନୁମୋଦନ ହେବାର ୧୦ଦିନ ପରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବାର ସମ୍ଭାବନା ରହିଛି। ଏହା ପୂର୍ବରୁ ଟିକାକରଣ ପାଇଁ ସରକାରଙ୍କ ପକ୍ଷରୁ ତିଆରି କରାଯାଇଥିବା କୋୱିନ ଆପରେ ପଞ୍ଜିକରଣ କରିବା ପରେ ହିଁ ଜଣେ ଟିକା ନେଇ ପାରିବ ଏବଂ ଟିକାକରଣ କେନ୍ଦ୍ରରେ ପଞ୍ଜିକରଣର ସୁବିଧା ଦିଆଯିବ ନାହିଁ ବୋଲି ସ୍ପଷ୍ଟ କରାଯାଇଥିଲା। ଏବେ ଏହି ସମାନ ନାଁରେ ଆପ ତିଆରି କରି କିଛି ଠକ ଲୋକଙ୍କୁ ଠକିବା ପାଇଁ ଉଦ୍ୟମ କରୁଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଲୋକଙ୍କୁ ଟୁଇଟ କରି ସତର୍କ କରାଯାଇଛି।

ସମ୍ବନ୍ଧିତ ଖବର