ଭୟଙ୍କର ହେଉଛି କରୋନା : ଚୀନରେ ୩୦୦ ମୃତ, ଲକ୍ଷାଧିକ ଆକ୍ରାନ୍ତ

କେରଳରେ ଆଉ ଜଣେ ରୋଗୀ ଚିହ୍ନଟ

ନୂଆଦିଲ୍ଲୀ/ବେଜିଂ : ଚୀନ୍‌ରେ କରୋନା ଭାଇରସ୍‌ ଭୟଙ୍କର ରୂପ ଧାରଣ କଲାଣି। ଭାଇରସ ଯୋଗୁଁ ମୃତ୍ୟୁ ସଂଖ୍ୟା ଆଜି ୩୦୦ ଅତିକ୍ରମ କରିଛି। ୩୦୭ ଜଣ ଏହି ଭାଇରସ୍‌ରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ଚୀନ୍‌ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି। ଅନ୍ୟପକ୍ଷରେ ପ୍ରାୟ ୧ ହଜାର ଆକ୍ରାନ୍ତଙ୍କ ଅବସ୍ଥା ଉଦ୍‌ବେଗଜନକ ରହିଛି ଏବଂ ୧୪ ହଜାର ଆକ୍ରାନ୍ତଙ୍କୁ ସ୍ବତନ୍ତ୍ର ବ୍ୟବସ୍ଥାରେ ଚିକିତ୍ସା ଚାଲିଛି। ବିଶ୍ବ ବ୍ୟାପୀ ୧୮ ହଜାର ଲୋକ ଏଥିରେ ସଂକ୍ରମିତ ହୋଇଥିବା ବେଳେ ଚୀନ୍‌ ବାହାରେ ମଧ୍ୟ କରୋନାଜନିତ ମୃତ୍ୟୁ ଆରମ୍ଭ ହୋଇଗଲାଣି।

ଗତ ୪୮ ଘଣ୍ଟା ମଧ୍ୟରେ ଆଉ ୩ ହଜାର ରୋଗୀ ଚୀନ୍‌ରେ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଚୀନ୍‌ରେ ମୋଟ କରୋନା ଆକ୍ରାନ୍ତ ସନ୍ଦିଗ୍ଧଙ୍କ ସଂଖ୍ୟା ୧ ଲକ୍ଷ ୩୭ ହଜାର ରହିଥିବା ସୂଚନା ମିଳିଛି। ଚୀନ୍‌ରୁ ଆକ୍ରାନ୍ତଙ୍କ ଅନ୍ତିମ ସଂସ୍କାର ନେଇ ମଧ୍ୟ ବଡ଼ ସମସ୍ୟା ଉପୁଜିଛି। ଶେଷକୃତ୍ୟକୁ ଯଥାସମ୍ଭବ ସଂକ୍ଷିପ୍ତ କରିବା ପାଇଁ ସରକାର ଲୋକଙ୍କୁ ନିବେଦନ କରିଛନ୍ତି। ଏ ପର୍ଯ୍ୟନ୍ତ ୨୩ଟି ଦେଶରେ କରୋନା ଭାଇରସ୍‌ ପହଞ୍ଚିସାରିଛି ଏବଂ ଫିଲିପାଇନ୍ସରେ ପ୍ରଥମ ‌କରୋନା ମୃତ୍ୟୁ ହୋଇଛି। ବିଭିନ୍ନ ରାଷ୍ଟ୍ର ଚୀନ୍‌ରୁ ସେମାନଙ୍କ ନାଗରିକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଖାଲି କରାଉଛନ୍ତି। ଭାରତ ଆଜି ଚୀନ୍‌ ନାଗରିକଙ୍କ ପାଇଁ ଇ-ଭିସା ସୁବିଧାକୁ ବାତିଲ କରିଛି।

ଭାରତରେ କରୋନା ଭାଇରସର ଦ୍ବିତୀୟ ରୋଗୀ ଆଜି କେରଳରେ ଚିହ୍ନଟ ହୋଇଛନ୍ତି। ଜୟପୁରରେ ମଧ୍ୟ ୩ ଜଣଙ୍କୁ କରୋନା ଭାଇରସ ସନ୍ଦେହରେ ପୃଥକ୍‌ ୱାର୍ଡରେ ରଖି ଚିକିତ୍ସା ଆରମ୍ଭ ହୋଇଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ଦ୍ବିତୀୟ କରୋନା ଆକ୍ରାନ୍ତ ଚିହ୍ନଟ ହେବାକୁ ସ୍ବୀକାର କରିଛନ୍ତି ଏବଂ ସମସ୍ତ ସନ୍ଦିଗ୍ଧ ଆକ୍ରାନ୍ତଙ୍କ କ୍ଷେତ୍ରରେ ସର୍ବାଧିକ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭାରତରେ ପ୍ରଥମ କରୋନା ରୋଗୀ ମଧ୍ୟ କେରଳରେ ଚିହ୍ନଟ ହୋଇଥିଲେ।

ସମ୍ବନ୍ଧିତ ଖବର